ଟି-୨୦ ବିଶ୍ବକପ୍ : ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ପଡ଼ିଆ ମଝିରେ ଉଚ୍ଚବାଚ, ଲିଟନ୍-ଲାହିରୁ ମୁହାଁମୁହିଁ

ସାରଜା : ଆଜି ଗୋଟିଏ ଦିନରେ ଟି-୨୦ ବିଶ୍ୱକପରେ ଏସିଆର ୪ ଦେଶ ସାମ୍ନାସାମ୍ନି ହେଉଛନ୍ତି । ଗୋଟିଏ ପଟେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଅପେକ୍ଷା । ସାରଜା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଓ ବୋଲର ଏବଂ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଜଣାପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କ ୱିକେଟ ଯିବା ପରେ ଶ୍ରୀଲଙ୍କାର ବୋଲର ଲାହିରୁ  କୁମାର ତାଙ୍କୁ କିଛି ଅକ୍ଷେପ କରି କହିଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାପରେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ସାମ୍ନାକୁ ଆସି ଲାହିରୁ କୁମାରଙ୍କୁ ପଛକୁ ଧକ୍କା ମାରିଥିଲେ । ପରିସ୍ଥିତି ଉତ୍ତେଜକ ହେଇଥିବା ଦେଖି ଅମ୍ପାୟାରମାନେ ଆସି ସମ୍ଭାଳି ଥିଲେ।

ଏହି ମ୍ୟାଚରେ ଆଜି ଶ୍ରୀଲଙ୍କାର ବୋଲର ଲାହିରୁ  କୁମାର ଆକ୍ରମଣାତ୍ମକ ନଜର ଆସିଥିଲେ । ଏହି ଘଟଣାର ଠିକ ପୂର୍ବରୁ ଲାହିରୁ ବ୍ୟାଟ୍ସମ୍ୟାନ ଆଡକୁ ତୀବ୍ରବେଗରେ ବଲ ଫିଙ୍ଗିଥିଲେ ଯାହା ସିଧା ୱିକେଟ କିପର ହାତକୁ ଯାଇଥିଲା ।

ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ତେଣୁ ପ୍ରଥମେ ବ୍ୟାଟିଂ ଆସି ବାଂଲାଦେଶ ଦଳ ୧୭୧ ରନ କରିଥିଲା । ଏବେ ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଜାରି ରଖିଛି ଶ୍ରୀଲଙ୍କା ଦଳ।

ସମ୍ବନ୍ଧିତ ଖବର