ସମ୍ବଲପୁର : ସେମାନେ ସମାନ କାମ କରୁଥିଲେ ଓ ବର୍ଷେ ହେଲା ସମାନ ଦରମା ବି ପାଇ ଆସୁଥିଲେ। ହେଲେ ହଠାତ୍ ସରକାରଙ୍କ ଏକ ନିଷ୍ପତ୍ତି ପୁଣିଥରେ ବିଭେଦର ସୀମାରେଖା ଟାଣିଦେଇଛି। ପୁଣି ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ବିଭେଦ ସୃଷ୍ଟିହୋଇଛି। ଅନୁଷ୍ଠାନ ଭିତରେ ଅଶାନ୍ତି ଦେଖାଦେଇଛି। ଏହାକୁ ଅଧ୍ୟାପକମାନେ କେବଳ ଆର୍ଥିକ କ୍ଷତି ବୋଲି ବିଚାର କରୁନାହାନ୍ତି, ଏହା ସେମାନଙ୍କ ମର୍ଯ୍ୟାଦା ଓ ଆତ୍ମସମ୍ମାନକୁ କ୍ଷୁଣ୍ଣ କରିଛି ବୋଲି ଅଭିଯୋଗ କରିଛନ୍ତି।
ଗତ ୨୧ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସ୍ଥିରୀକୃତ ଦରମା ପଦ୍ଧତିକୁ ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ୍ ଅଧ୍ୟାପକ, କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛି। ଏହାଦ୍ବାରା ରାଜ୍ୟର ୭୫୦ କଲେଜ୍ର ୬ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ପାତରଅନ୍ତର ଅଭିଯୋଗ କରି ଆନ୍ଦୋଳନ ପାଇଁ ପାଗ ଭିଡ଼ିଛନ୍ତି। ଆସନ୍ତା ୧୩ ତାରିଖରୁ ସାରା ରାଜ୍ୟରୁ ପ୍ରାୟ ୪୦୦୦ ଶିକ୍ଷକ ଓ କର୍ମଚାରୀ ରାଜଧାନୀରେ ଏକାଠି ହୋଇ ଅହୋରାତ୍ର ଧାରଣା ଦେବେ। ୨ ଦିନର ଏହି ଆନ୍ଦୋଳନ ସତ୍ତ୍ବେ ସରକାର ସେମାନଙ୍କ ଦାବି ନଶୁଣିଲେ ଜିଲ୍ଲାୱାରି ଅନଶନ କରାଯିବ। ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷା ଓ ପରବର୍ତ୍ତୀ ସମୟରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟର ପରୀକ୍ଷା ଓ ଖାତାଦେଖାରେ ସେମାନେ ଅସହଯୋଗ କରିବାକୁ ବାଧ୍ୟ ହେବେ ବୋଲି ନିଖିଳ ଓଡ଼ିଶା ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି।
ସଂଘର ଅଭିଯୋଗ ହେଲା ଯେ ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅବିକଳ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ଭିତ୍ତିକରି ଉଚ୍ଚଶିକ୍ଷା ବିଭାଗ ଗତ ବର୍ଷ ଜାରି କରିଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୬ ଅନୁଯାୟୀ ୧ ବର୍ଷ ଧରି ସମାନ ହାରରେ ଅଧ୍ୟାପକମାନଙ୍କୁ ସମାନ ଦରମା ଦେଇଥିଲେ। କିନ୍ତୁ ଗତ ୨୧ ଜାନୁଆରି କ୍ୟାବିନେଟ୍ ନିଷ୍ପତ୍ତିରେ କିଛି ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ଦେଖାଇ ୧୦ ହଜାର ଟଙ୍କାର ଦରମା ତାରତାମ୍ୟ ଘୋଷଣା କରାଯାଇଛି। ଏହାପରେ ୪୨୦୦ ଗ୍ରେଡ୍ ପେ ପାଉଥିବା ୪୮୮ ବର୍ଗର ପିଇଟି, ଲାଇବ୍ରେରିଆନ୍, ଡେମୋନ୍ଷ୍ଟ୍ରେଟର୍ମାନଙ୍କଠାରୁ ୪୬୦୦ ଗ୍ରେଡ୍ ପେ ପାଉଥିବା ୬୬୨ ବର୍ଗର ଅଧ୍ୟାପକମାନେ କମ୍ ଦରମା ପାଇବେ।
ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅଣଦେଖା କରାଯାଇଛି। ଏହାକୁ ଗୁରୁତ୍ବର ସହ ନେଇ ସଂଘ ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ଅମଲାମାନେ ଏଭଳି ଉଦ୍ଭଟ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା କେବଳ ଦରମାରେ ନୁହେଁ, ସମାଜରେ ଅଧ୍ୟାପକଙ୍କ ସମ୍ମାନହାନି କରାଯାଇଛି। ୧ ବର୍ଷ ଧରି ସମାନ ଦରମା ପାଉଥିବା ଅଧ୍ୟାପକମାନଙ୍କ ପାଇଁ ପିଛିଲାଭାବେ ୩ଟି ଇନ୍କ୍ରିମେଣ୍ଟ ଦେଇଥିଲେ ଉଭୟ ବର୍ଗର ଅଧ୍ୟାପକମାନେ ସମାନ କାମକୁ ସମାନ ଦରମା ପାଇପାରିଥାନ୍ତେ। ମାତ୍ର ତାହା ନକରି କେବଳ ୪୮୮ ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କାହିଁକି ଅନୁକମ୍ପା ପ୍ରଦର୍ଶନ କରାଯାଇଛି ବୋଲି ସଂଘ ପ୍ରଶ୍ନ କରିଛି। ସରକାର ଆମ ପକ୍ଷ ନଶୁଣି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେଣୁ ତୁରନ୍ତ ଏହି ତ୍ରୁଟି ସୁଧାରି ପୁଣି ସମାନ କାମକୁ ସମାନ ଦରମା ଲାଗୁ କରନ୍ତୁ ବୋଲି ସଂଘ ଦାବି କରିଛି।