ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି, ଚିଠିରେ ଉଲ୍ଲେଖ- ଭଗବାନ ଡିଭୋର୍ସ କରାଇଦିଅ

ଭୁବନେଶ୍ୱର: ଗଜପତି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାର ଜୋରଦାର ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତ ଲେଖା ଚିଠି । ଏଥିରେ ନିଜ ସମ୍ପର୍କକୁ ନେଇ ଖୁବ କ୍ରୋଧ ପ୍ରକାଶ କରିଛନ୍ତି ବିଦ୍ୟା । ଶତ୍ରୁକୁ ବି ଏମିତି ଲୋକ ନମିଳନ୍ତୁ ବୋଲି ଭଗବାନଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅନ୍ତୁ, ମୁଁ ବଂଚିଥିଲା ଯାଏଁ ଋଣୀ ରହିଯିବି । ଏପରିକି ପୁରୀ ମନ୍ଦିରରେ ଦାସୀ ହୋଇ ସାରା ଜୀବନ ସେବା କରିବା କଥା ମଧ୍ୟ ଲେଖିଛନ୍ତି । କିନ୍ତୁ କିଛି ବି କରିକି ଏହି ଡିଭୋର୍ସ କରେଇ ଦେବାକୁ ସେ ଚିଠିରେ ଲେଖିଛନ୍ତି ।

ଗତକାଲି ବିଦ୍ୟାଙ୍କ ପ୍ରଥମ ଚିଠି ସାମ୍ନାକୁ ଆସିଥିଲା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଛନ୍ତି । ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ବୋଲି ଚିଠିରେ କହିଛନ୍ତି ବିଦ୍ୟାଭାରତୀ । ଦୟାକରି ମୋ ଜୀବନ ନଷ୍ଟ କରିନାହିଁ ।

ତେବେ ପ୍ରଥମ ଚିଠିରେ ବିଦ୍ୟା କ୍ଷୋଭ ପ୍ରକାଶ କରୁଥିବା ବେଳେ ଦ୍ବିତୀୟ ଚିଠିରେ କ୍ରୋଧ ପ୍ରକାଶ କରିଛନ୍ତି । ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବାହାଘର ପରେ ଉଭୟ ମଧ୍ୟରେ ଭୟଙ୍କର ମନାନ୍ତର ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ବିଦ୍ୟା ଏହି ଚିଠି କେବେ ଲେଖିଲେ ତାହା ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର