ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୧୬ ଛୁଇଁଲା : ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୧୬ରେ ପହଞ୍ଚିଛି । ଶତାଧିକ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଉତ୍ତରପ୍ରଦେଶର ଅଧିକାଂଶ ମୃତ୍ୟୁ ଶାହାରନପୁର ଓ କୁଶୀନଗର ଜିଲ୍ଲାର ହୋଇଛି । ସେପଟେ ମଦମୃତ୍ୟୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଅଭିଯୋଗ ଆଣିଛନ୍ତି, ଦୁଇ ରାଜ୍ୟରେ ଅବୈଧ ମଦ କାରବାର ଚାଲିଛି । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ୟୁପି ସରକାରଙ୍କୁ ଘେରିଛନ୍ତି । ବିରୋଧୀଙ୍କ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତରବରିଆ ଭାବେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଦୋଷୀଙ୍କୁ ଛଡାଯିବ ନାହିଁ । ଏ ନେଇ ସେ ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମଦମୃତ୍ୟୁ ପଛରେ ଷଡଯନ୍ତ୍ର ଥାଇପାରେ ବୋଲି ବି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ସେହିପରି ଉତ୍ତରାଖଣ୍ଡରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଳାରେ ଏହି ମୃତ୍ୟୁ ହୋଇଛି । ମଦମୃତ୍ୟୁ ପରେ ଉଭୟ ରାଜ୍ୟରେ ଅବକାରୀ ପଦାଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି ଉଭୟ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର