ଭୁବନେଶ୍ବର ଭଞ୍ଜଭାରତୀ ପକ୍ଷରୁ ଓଡ଼ିଆ ସାହିତ୍ୟ ସମାରୋହ: ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଚିର ଜୀବନ୍ତ

ଭୁବନେଶ୍ବର: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଯଦି ଶିଳ୍ପୀର ନିହାଣ ମୁନ ମନେ ନ ପକାଇବ, ତେବେ ମା’ ସରସ୍ବତୀ ସେ ଶିଳ୍ପୀ ଉପରେ ଅସନ୍ତୁଷ୍ଟ ହେବେ। ଭଞ୍ଜ ସାହିତ୍ୟରେ କବି ଉପେନ୍ଦ୍ର ଭଞ୍ଜ ଯାହା ଲେଖି ଯାଇଛନ୍ତି, ଯଦି ଜଣେ ଶିଳ୍ପୀ ତାକୁ ତା’ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ ନକରେ, ତାହେଲେ ସେ ଶିଳ୍ପୀ ପଦବାଚ୍ୟ ହୋଇପାରିବ ନାହିଁ। ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଚିରକାଳ ପାଇଁ ଜୀବନ୍ତ। କବି ସମ୍ରାଟଙ୍କ ସାମଗ୍ରିକ କୃତି ଉପରେ ଆଲୋଚନା କରାଗଲେ, ତାହାର ନିଷ୍କର୍ସ ଆମକୁ ସତ୍‌ ପଥରେ ପରିଚାଳିତ ହେବା ପାଇଁ ପ୍ରେରଣା ଦେବ। ଭୁବନେଶ୍ବର ଭଞ୍ଜଭାରତୀ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ସମାରୋହ-୨୦୨୨ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଆଜି ଏହା କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା ଆୟୁକ୍ତ ବାଳକୃଷ୍ଣ ମହାପାତ୍ର କହିଥିଲେ, ବର୍ତ୍ତମାନ ଓଡ଼ିଆ ଭାଷା ଏକ ପ୍ରତିକୂଳ ଅବସ୍ଥା ଦେଇ ଗତି କରୁଛି। ସମସ୍ତେ ଇଂରାଜୀ ଭାଷାକୁ ଆପଣାର କରିବାକୁ ଚେଷ୍ଟା ଚଳାଇଛନ୍ତି। ଇଂରାଜୀକୁ ଆପଣାଇବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ମାତୃଭାଷାକୁ ଭୁଲିଯିବା ଆଦୌ ଉଚିତ ନୁହେଁ। ଓଡ଼ିଆ ପ୍ରତି ସମସ୍ତଙ୍କ ଆଗ୍ରହ ରହିବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା ଏବଂ ଅନୁଷ୍ଠାନର ସଂପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୁରେନ୍ଦ୍ର ବାରିକଙ୍କ ପୁସ୍ତକ ‘ଗଳ୍ପ ସୌରଭ’ ଲୋକାର୍ପିତ ହୋଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ନନ୍ଦକିଶୋର ଜେନା ଧନ୍ୟବାଦ ଦେଇଥିଲେ। ସଦସ୍ୟା ବିଜୟା ମିଶ୍ର, ସୁକାନ୍ତ ଗିରି, ସ୍ବୟଂପ୍ରଜ୍ଞା ସାହୁ, ପ୍ରସନ୍ନ ବେହେରା, ଦିଲୀପ ଦାସ, ଅଶୋକ କୁମାର ମିଶ୍ର, ଶୈଳଜା ମିଶ୍ର, ବିମଳ ଲୋଚନ ପଟ୍ଟନାୟକ, ଦୀପ୍ତିମୟୀ ଦାସ, ବେଣୁଧର ଦାସ, ପବିତ୍ର ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର