ରାଞ୍ଚି: ପ୍ରେମୀଯୁଗଳ ଲିଭ୍ଇନ୍ ରିଲେସନ୍ସିପ୍ରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ଅଧିକାଂଶ ଯୁବକ-ଯୁବତୀ ଲିଭ୍ଇନ୍ ରିଲେସନ୍ରେ ରହିବାକୁ ପସନ୍ଦ କରୁଛନ୍ତି। ଝାଡଖଣ୍ଡରୁ ଏଭଳି ଏକ ପ୍ରେମୀ ଯୁଗଳଙ୍କ କଥା ସାମ୍ନାକୁ ଆସିଛି ଯେଉଁମାନେ ୨୨ବର୍ଷ ହେବ ଲିଭ୍-ଇନ୍ରେ ରହିବା ପରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ନିଜ ପୁଅ-ବୋହୂ ଓ ନାତୁଣୀଙ୍କ ସାମ୍ନାରେ ୫୫ବର୍ଷୀୟ ବ୍ୟକ୍ତି ନିଜ ପ୍ରେମିକାକୁ ବିବାହ କରିଥିଲେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।
ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ସାମୁହିକ ବିବାହ ସମାରୋହରେ ଲିଭ୍-ଇନ୍ରେ ରହୁଥିବା କେତେଜଣ ପ୍ରେମୀଯୁଗଳଙ୍କ ବିବାହ ହୋଇଥିଲା। ଏଥିରେ ଏମିତି ଏକ ଯୋଡିଥିଲା, ଯାହାଙ୍କ ଜୀବନ ଓ ପ୍ରେମ କାହାଣୀ ବଡ଼ ବିଚିତ୍ର ଥିଲା। ୫୫ବର୍ଷୀୟ ରାମଲାଲ ମୁଣ୍ଡା ଗତ ୨୨ବର୍ଷ ହେବ ୪୫ବର୍ଷୀୟ ସହୋହରି ଦେବୀଙ୍କ ସହିତ ଲିଭ୍-ଇନ୍ରେ ରହି ଆସୁଥିଲେ। ରାମଲାଲ ଆଦିବାସୀ ସମୁଦାୟର, ସେ ବିବାହ ନକରି ସହୋଦରି ସହିତ ଗୁମଲା ନାମକ ସ୍ଥାନରେ ରହୁଥିଲେ। ଲୋକମାନେ ତାଙ୍କ ସମ୍ପର୍କକୁ ନେଇ ଆପତ୍ତି କରିବାରୁ ଦୁହେଁ ଘାଘରା ଆସି ରହିବାକୁ ଲାଗିଥିଲେ।
ଲିଭ୍-ଇନ୍ରେ ରହିବା ପରେ ଦୁହେଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେହିପରି ରାମଲାଲ ମୁଣ୍ଡାଙ୍କ ପୁଅ ଜିତେଶ୍ୱରକୁ ୧୯ବର୍ଷର ହୋଇଥିବା ସମୟରେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଘରୁ ପଳାଇ ଲିଭ୍-ଇନ୍ ରିଲେସନ୍ସିପ୍ରେ ରହିବାକୁ ଲାଗିଥିଲା। ଏ ଦୁହେଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
୫୫ବର୍ଷୀୟ ରାମଲାଲ ମୁଣ୍ଡା ଯେତେବେଳେ ଜାଣିଲେ ଲିଭ୍ଇନ୍ରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ରାଞ୍ଚିରେ ଏକ ସମୂହ ବିବାହ ଆୟୋଜନ କରାଯାଉଛି ସେ ବି ନିଜ ସାଥୀ ସହୋଦରି, ନିଜ ପୁଅ-ବୋହୂକୁ ଏବଂ ନାତୁଣୀକୁ ନେଇ ସେହି ସମାରୋହରେ ପହଞ୍ଚିଥିଲେ। ସେଠାରେ ପୁଅ-ବୋହୂ ଓ ନାତୁଣୀ ସମ୍ମୁଖରେ ସହୋଦରୀଙ୍କୁ ବିବାହ କରିଥିଲେ।