ବେଙ୍ଗାଲୁରୁ: ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ | ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି | କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୫୦,୦୦୦ହେବା ପରେ ଏବେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି | ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି |
ଏହି ଲକଡାଉନ ମେ' ୧୦ ତାରିଖ ସକାଳ ୬ଟାରୁ ମେ' ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ | ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ଅନୁମତି ଦିଆଯାଇଛି ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିପାରିବ ବୋଲି ସରକାର କହିଛନ୍ତି। ଏହା ସହ ଲକଡାଉନ ସମୟରେ ସଡକ ମରାମତି କାର୍ଯ୍ୟ ଏବଂ କାର୍ଗୋ ଯାନ ଚଳାଚଳକୁ ଅନୁମତି ଦିଆଯାଇଛି |
ପୂର୍ବରୁ ଧାର୍ଯ୍ୟ ହୋଇଥିବା ବିମାନ ଏବଂ ଟ୍ରେନ୍ ଲକଡାଉନ ସମୟରେ କାର୍ଯ୍ୟ କରିବ ବୋଲି କର୍ଣ୍ଣାଟକ ସରକାର ନିର୍ଦ୍ଦେଶରେ କହିଛନ୍ତି। ମେଟ୍ରୋ ରେଳ ଚାଲିବ ନାହିଁ, ଜରୁରୀକାଳୀନ ପରିସ୍ଥିତି ପାଇଁ ନିଯୁକ୍ତ ହୋଇନଥିବା କ୍ୟାବଗୁଡିକ ରାସ୍ତାରେ ଚାଲିପାରିବ ନାହିଁ | ଅନଲାଇନ୍ ଶିକ୍ଷା ଜାରି ରହିବ ଯଦିଓ ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ବନ୍ଦ ରହିବ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି |
ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮,୭୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୫୯୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।