ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଉଥିବା ବେଳେ ଅମରାବତୀ ଜିଲ୍ଲାର ୨ଟି ସହରରେ କରାଯାଇଥିବା ଲକଡାଉନ ଅବଧିକୁ ବଢ଼ାଇଛନ୍ତି ଜିଲ୍ଲାପାଳ। ପ୍ରଥମେ ୭ଦିନ ପାଇଁ ଅମରାବତୀ ଓ ଆଚଲପୁରରେ ଲକଡାଉନ କରାଯାଇଥିବା ବେଳେ ଏବେ ଏହାକୁ ମାର୍ଚ୍ଚ ୮ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ସହ ଅଞ୍ଜନଗାଓଁ ସୁରଜୀ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।
ଲକଡାଉନ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ମିଳୁଥିବା ଦୋକାନ ବ୍ୟତୀତ ଶିକ୍ଷାନୁଷ୍ଠାନ, କୋଚିଂ କ୍ଲାସ୍, ସ୍କୁଲ୍ ଇତ୍ୟାଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫିଲ୍ମ ହଲ, ଜିମ୍, ସୁଇମିଂ ପୁଲ୍, ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ଉଦ୍ଦେଶ୍ୟ ଇତ୍ୟାଦି ପାଇଁ ସମାବେଶକୁ ଅନୁମତି ଦିଆଯାଇନାହିଁ।
/sambad/media/post_attachments/adf8d9eb4ec55075dc59843fb8a5e7a60ffcac0d13bccb1dad9605d95e4af664.jpeg)
ଫେବ୍ରୁଆରି ୨୧ପୂର୍ବରୁ ଅମରାବତୀରେ ସପ୍ତାହର ଶେଷ ଦୁଇ ଦିନ ଲକଡାଉନ କରାଯାଇଥିଲା। କିନ୍ତୁ ହଠାତ୍ ସଂକ୍ରମଣ ସଂଖ୍ୟା ବଢ଼ିବାରୁ ଅମରାବତୀ ଜିଲ୍ଲାର ଜିଲ୍ଲାପାଳ ୭ଦିନ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଲକଡାଉନ ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣକୁ ଆସି ନଥିବାରୁ ଏହାର ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି। ତେବେ ମାର୍ଚ୍ଚ ୮ପରେ ଲକଡାଉନ ଅବଧି ବଢ଼ିବ କି ଜିଲ୍ଲାପାଳ ଲକଡାଉନ ଉଠାଇବେ, ତାହା ଏବେଠାରୁ କହିବା ଅସମ୍ଭବ।