ରାଜଧାନୀରେ ପୁଣି ଲୁଟେରାଙ୍କ ଦୌରାତ୍ମ୍ୟ: ତାଲା ଭାଙ୍ଗି ୧୮ ଲକ୍ଷରୁ ଉର୍ଦ୍ଧ୍ବ ସୁନା ଗହଣା ଲୁଟିନେଲେ

ଭୁବନେଶ୍ୱର: ରାଜଧାନୀରେ ପୁଣି ଲୁଟେରାଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଅଞ୍ଚଳରୁ ଭଡ଼ାଟିଆଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା।
ପ୍ରାପ୍ତ ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିବା ଜଣେ ବ୍ୟକ୍ତି ସପରିବାର ଦଶାହ କର୍ମରେ ଗାଁକୁ ଯାଇଥିବା ବେଳେ ତାଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି। ଲୁଟେରାମାନେ ତାଙ୍କ ଘରୁ ୨୬ ହଜାର ଟଙ୍କା, ୧୮ ଲକ୍ଷରୁ ଉର୍ଦ୍ଧ୍ବ ସୁନା ଗହଣା,ଏଲଇଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ଲୁଟ ହୋଇଥିବାର ଅଭିଯୋଗ ଆସିଛି। ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ନାକାଗେଟ୍ ନିକଟରେ ଜଣେ ମହିଳା ସ୍ବାମୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଦୁଇ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଛନ୍ତି। ଏ ନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଦୀପକ ମହାରଣା ଏକ ସ୍କୁଟିରେ ତାଙ୍କ ପତ୍ନୀଙ୍କ ସହ ନନ୍ଦନକାନନକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ନାକାଗେଟ୍ ନିକଟରେ ଦୁଇ ଦୁର୍ବୃତ୍ତ ଏକ କଳା ନୀ​ଳ ରଙ୍ଗର ପଲସର ବାଇକରେ ଆସି ଦୀପକଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଲୁଟି କଳିଙ୍ଗ ଷ୍ଟୁଡିଓ ଅଭିମୁଖେ ପଳାଇଥିଲେ। ସେହି ପଲ୍‌ସରରେ ଝାଡ଼ଖଣ୍ଡ ନମ୍ବର ଲାଗିଥିବା ଜଣାପଡ଼ିଛି।

ଗତ ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ କଳ୍ପନା-ରାଜମହଲ ଛକ ରାସ୍ତାରେ ଜଣେ ମାଛ ବେପାରୀଙ୍କ ବେକରେ ଭୁଜାଲି ଲଗାଇ ଦୁର୍ବୃତ୍ତମାନେ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ବାଲିଅନ୍ତାର ଅରୁଣ ବେହେରା। ମିଳିଥିବା ସୂଚନା ଅନୁସାରେ, ଅରୁଣ ତାଙ୍କ ଭାଇଙ୍କ ସହ ସ୍କୁଟିରେ ରାଜମହଲ ଅଭିମୁଖେ ଆସୁଥିଲେ। ୪ ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ତାଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ନେଇ ଯାଇଥିଲେ। ଏପରିକି ସ୍କୁଟି ମଧ୍ୟ ନେଇ ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଶିଶୁଭବନ ଛକରୁ ସ୍କୁଟି ଉଦ୍ଧାର କରିଥିଲା। ଗାଡ଼ି ଡିକିରେ ଦେଢ଼ ହଜାର ଟଙ୍କା ଥିଲା। ଯାହାକୁ ଲୁଟେରା ଦେଖି ପାରିନଥିଲେ। କିନ୍ତୁ ଲୁଟେରାଙ୍କର ପତ୍ତା ମିଳିପାରି ନାହିଁ।

ଭୁବନେଶ୍ବର-ପୁରୀ ରାସ୍ତାର ଗ୍ୟାରେଜ୍ ଛକ ନିକଟରେ ଚଳନ୍ତା ସ୍କୁଟିରୁ ଜଣେ ମହିଳାଙ୍କର ସୁନାଚେନ୍ ଲୁଟି ନେଇଛନ୍ତି ଦୁଇ ଲୁଟେରା। ଲୁଟେରାଙ୍କ ଶିକାର ହୋଇଛନ୍ତି ନୂଆଗାଁ ବିଜୟବିହାର ଲେନ୍-୨ ଅଞ୍ଚଳର ଶୈବାଳିନୀ ପରିଡ଼ା। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ, ଶୈବାଳିନୀ ତାଙ୍କର ଜଣେ ସହକର୍ମୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଏକ କଳା ରଙ୍ଗର ପଲ୍‌ସର ବାଇକ୍‌ରେ ଦୁଇ ଲୁଟେରା ଆସି ତାଙ୍କ ସୁନାଚେନ୍ ଛିଡ଼ାଇ ଲିଙ୍ଗରାଜ ମନ୍ଦିର ରାସ୍ତାରେ ପଳାଇଥିଲେ।

ସମ୍ବନ୍ଧିତ ଖବର