କାହିଁକି ଏକ ବର୍ଷ ଯାଏଁ ଗଙ୍ଗା ମାତା ଭଗବାନ ଶିବଙ୍କ ଜଟାରେ ରହିଥିଲେ?
ଆମର ଦୈନନ୍ଦିନ ଜୀବନରେ ଗଙ୍ଗା ଜଳର ଆବଶ୍ୟକତା ଅନୁଭୂତ ହୁଏ। ହିନ୍ଦୁ ସନାତନ ପରମ୍ପରାରେ ଭଗବତୀ ଗଙ୍ଗାଙ୍କ ମହିମା ସର୍ବବିଦିତ।ଆସ୍ତିକମାନେ ଗଙ୍ଗାମାତାଙ୍କୁୁ ଅଶରଣ ଶରଣ୍ୟା ,ମୁକ୍ତିଦାୟିନୀ,ପରମ କରୁଣାମୟୀ ଓ ତୀର୍ଥମାନଙ୍କ ଜନନୀ ରୂପେ ସ୍ୱୀକାର କରନ୍ତି।ଗଙ୍ଗା ସ୍ୱର୍ଗଲୋକ,ମୃତ୍ୟୁଲୋକ ଓ ପାତାଳଲୋକକୁ ପବିତ୍ର କରି ପ୍ରବାହିତ ହୋଇଥାଏ।ବିଷ୍ଣୁ ଧର୍ମାବତାର ପୁରାଣରେ ଭଗବତୀ ଗଙ୍ଗାକୁ ତୈ୍ରଲୋକ୍ୟ ବ୍ୟାପିନୀ ବୋଲି କୁହାଯାଇଛି।ପଦ୍ମ ପୁରାଣରେ ସଦ୍ଗତିର ଇଚ୍ଛା ରଖୁଥିବା ଲୋକମାନଙ୍କୁ ପାପବୁଦ୍ଧିର ପରିତ୍ୟାଗ କରି ଲୋକମାତା ଗଙ୍ଗା ଜଳରେ ସ୍ନାନ କରିବା ଉଚିତ ବୋଲି ଉଲ୍ଲେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଲ୍ମିକୀ ରାମାୟଣ ଅନୁଯାୟୀ ଗଙ୍ଗାଙ୍କ ଉତ୍ପତ୍ତି ହିମାଳୟଙ୍କ ପତ୍ନୀ ମେନକାଙ୍କ ଠାରୁ ହୋଇଛି। ନିଜର ପୂର୍ବଜମାନଙ୍କୁ ଉଦ୍ଧାର କରିବା ଲାଗି ଭଗୀରଥ ବ୍ରହ୍ମାଙ୍କର କଠୋର ତପସ୍ୟା କରିଥିଲେ। ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗୀରଥୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବତୀ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତ ହେଲେ। ଗଙ୍ଗାକୁ ଧାରଣ କରିବା ପାଇଁ ଭଗୀରଥୀ ନିଜର ତପବଳରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିଲେ।ଭଗବାନ ଶଙ୍କର ଗଙ୍ଗାଜୀଙ୍କ ବେଗକୁ ରୋକିବା ପାଇଁ ତାଙ୍କୁ ଆଶ୍ୱାସନା ଦେଲେ।ଏକ ବର୍ଷ ଯାଏଁ ଗଙ୍ଗା ମାତା ଭଗବାନ ଶିବଙ୍କ ଜଟାରେ ରହିଲେ।ଅବଶେଷରେ ପ୍ରସନ୍ନ ହୋଇ ଭଗବାନ ଶଙ୍କର ନିଜ ଜଟାମଧ୍ୟରୁ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଛାଡ଼ିଲେ।ଭଗବତୀ ଗଙ୍ଗା ଭଗୀରଥୀଙ୍କ ପଛେ ପଛେ କପିଳମୁନିଙ୍କ ଆଶ୍ରମକୁ ଗଲେ।ସେଠାରୁ ସେ କପିଳ ମୁନିଙ୍କ ଅଭିଶାପରେ ଭସ୍ମୀଭୂତ ହୋଇଥିବା ସାଗର ପୁତ୍ରମାନଙ୍କୁ ଉଦ୍ଧାର କରିଲେ।
ଦେବୀ ଭାଗବତ ଅନୁଯାୟୀ,ଭଗବାନ ବିଷ୍ଣୁଙ୍କର ତିନି ପତ୍ନୀ ଥିଲେ।ସେମାନେ ହେଲେ-ଲକ୍ଷ୍ମୀ,ଗଙ୍ଗା ଓ ସରସ୍ୱତୀ।ଅଭିଶାପ ଯୋଗୁଁ ଗଙ୍ଗା ଓ ସରସ୍ୱତୀ ନଦୀ ରୂପରେ ପୃଥିବୀ ପୃଷ୍ଠରେ ପ୍ରବାହିତ ହେବାକୁ ପଡ଼ିଥିଲା। ଗଙ୍ଗାଜୀ ଧରାଧାମରେ ଅବତରିତ ହୋଇ ପତିତପାବନୀ ହେଲେ।ଶ୍ରମନ୍ ଭାଗବତଙ୍କ ଅନୁଯାୟୀ, ରାଜା ବଳିଙ୍କ ଯଜ୍ଞରେ ଭଗବାନ ବାମନ ତାଙ୍କୁ ତିନି ପାଦ ଭୂମିର ଦାନ ମାଗିଥିଲେ।ଭଗବାନ ବାମନଙ୍କ ପୃଥିବୀକୁ ଚାପିବା ସମୟରେ ତାଙ୍କ ବାମ ପାଦ ବ୍ରହ୍ମଲୋକକୁ ଚାଲିଗଲା। ବ୍ରହ୍ମା ଭଗବାନଙ୍କ ଚରଣ ପ୍ରକ୍ଷାଳନ କରି ସେହି ଜଳକୁ ନିଜର କମଣ୍ଡଳୁରେ ରଖିଲେ।ଭଗବାନଙ୍କ ଚରଣ ସ୍ପର୍ଶରେ ପବିତ୍ର ହୋଇଥିବା ବ୍ରହ୍ମାଙ୍କ କମଣ୍ଡଳୁର ସେହି ଜଳଧାରା ଧ୍ରୁବଲୋକରେ ପଡ଼ିଲା ଏବଂ ଚାରି ଭାଗରେ ବିଭକ୍ତ ହୋଇ ସପ୍ନତା,ଅଳକାନନ୍ଦା,ଚକ୍ଷୁ ତଥା ଭଦ୍ରା ନାମରେ ବିଖ୍ୟାତ ହେଲା।ଭଦ୍ରା ନଦୀ ଉତ୍ତର କୁରୁବର୍ଷ ବାଟଦେଇ ଉତର ଦିଗରେ ପ୍ରବାହିତ ହେଲଶ।ବିନ୍ଧ୍ୟଗିରିର ଉତର ଭାଗରେ ଏହାକୁ ଭଗୀରଥୀ ଗଙ୍ଗା ଓ ଦକ୍ଷିଣ ଭାଗରେଗୌତମ ଗଙ୍ଗା କୁହାଗଲା।
ଭାରତୀୟ ସାହିତ୍ୟରେ ଗଙ୍ଗାବତାରଣ ର ଦୁଇ ତିଥି ଉପଲବ୍ଧ ହୋଇଥାଏ।ପ୍ରଥମଟି ହେଲା ବୈଶାଖ ଶୁକ୍ଳ ପକ୍ଷର ତୃତୀୟ ତିଥି(ଆଦିତ୍ୟ ପୁରାଣ) ଓ ଦ୍ୱିତୀୟଟି ହେଲା-ଜ୍ୟେଷ୍ଠ ଶୁକ୍ଳ ପକ୍ଷଦଶମୀ (ସ୍କନ୍ଧ ପୁରାଣ)।ଗଙ୍ଗା ଦଶହରା ମଧ୍ୟ ଏକ ତିଥି ଭାବେ ବେଶ୍ ବିଖ୍ୟାତ।ଏହା ମହାରାଜ ଭଗୀରଥିଙ୍କ ସହ ସଂପର୍କୀତ।
ବାସ୍ତବରେ ଗଙ୍ଗା ଗୋଲୋକ ଓ ବିଷ୍ଣୁ ଲୋକରେ ଭଗବାନ ଶ୍ରୀହରିଙ୍କ ଏବ ସ୍ୱରୂପା ଶକ୍ତି ଅଟେ। ପୃଥିବୀ ପୃଷ୍ଠରେ ଏହାଙ୍କ ଅବତରଣର ଅନେକ କାରଣ ପୁରାଣମାନଙ୍କରେ ଦର୍ଶାଯାଇଛି। ଏଗୁଡ଼ିକ ପରସ୍ପର ବିରୋଧୀ।ଏଥିମଧ୍ୟରେ ମହାରାଜା ଭଗୀରଥିଙ୍କ ପ୍ରସଙ୍ଗ ସର୍ବବିଦିତ।