ମାନବାଧିକାର ପରି ନଦୀର ବି ଅଧିକାର ଅଛି

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

ଭୁବନେଶ୍ୱର: ମଣିଷ ବଞ୍ଚିବା ପାଇଁ ଯେପରି ତା’ର ଅଧିକାର ଅଛି। ସେହିପରି ନଦୀର ବି ଅଛି। ତା’ର ଅଧିକାର ଛଡ଼ା ନଯାଉ। ଲୋକଙ୍କୁ ଯେମିତି ଜୀବନରେ ସ୍ୱାଧୀନତା ଦରକାର, ନଦୀକୁ ବି ସେମିତି ସ୍ୱାଧୀନତା ଦରକାର। କୌଣସି ରାଜ୍ୟ ଦାବି କରିପାରିବେନି ନଦୀ ତାଙ୍କର ବୋଲି। ନଦୀ ପ୍ରକୃତିର ସୃଷ୍ଟି। ନଦୀକୁ ବହିବାକୁ ଦିଅ। ତା’ର ପ୍ରବାହକୁ ବନ୍ଦ କରାନଯାଉ। ନଦୀର ଅଧିକାର ଛଡ଼ାଇ ନିଆନଯାଉ ବୋଲି ଭାରତର ଜଳମାନବ ରାଜେନ୍ଦ୍ର ସିଂହ କହିଛନ୍ତି।

ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀରେ ଶ୍ରୀ ସିଂହ ଉଦ୍‌ବୋଧନ ଦେଇ କହିଲେ ଯେ, ଏବେ ସାରା ଦେଶରେ ନଦୀକୁ ନେଇ ଆନ୍ଦୋଳନ ଚାଲିଛି। ନଦୀକୁ ତା’ର ଅଧିକାର ସହ ବଞ୍ଚିବାକୁ ଦିଆଯାଉ। ଏଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉଦ୍‌ବୋଧନ ଦେଇ କହିଲେ ଯେ, ମହାନଦୀ ନୁହେଁ, ଏହା ଆମର ମା’ ନଦୀ। ଆମ ମା’ ଏବେ ସଙ୍କଟରେ, ଏହାକୁ ଉଦ୍ଧାର କରିବାକୁ ହେବ। ଆଜିର ବୁଦ୍ଧିଜୀବୀ ସମ୍ମିଳନୀରେ ରାଜନେତା, ଲେଖକ, କବି, କଳାକାର, ଚିତ୍ରଶିଳ୍ପୀ ଓ ବିଶେଷଜ୍ଞମାନେ ଯୋଗଦେଇ ମହାନଦୀ ଉପରେ ସେମାନଙ୍କ ମତ ରଖିଥିଲେ। ଏଥିରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅନୁପ ସାଏ, ଦୁର୍ଗା ସାମନ୍ତରାୟ, ରମେଶ ଚନ୍ଦ୍ର ତ୍ରିପାଠୀ, ଶିଶିରକାନ୍ତ ବେହେରା, କର୍ମଚାରୀ ମଞ୍ଚର ଆବାହକ ପ୍ରଭାତ ମହାନ୍ତି, ଆଇନଜୀବୀ ଜ୍ଞାନ ମହାନ୍ତି, ଶଙ୍କର ପରିଡ଼ା, ଅରୁଣ ଜେନା, ସିପିଆଇଏମ୍‌ର ଜମ୍ବେଶ୍ୱର ସାମନ୍ତରାୟ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା, ଅନ୍ତର୍ଜାତୀୟ ବୁଡ଼ାଳି ସବିର ବକ୍ସ, ପରିବେଶବିତ୍‌ ଅନିତା ସାବତ, ବ୍ୟଙ୍ଗକବି ରମାକାନ୍ତ ମହାପାତ୍ର, ଦେବାଶିଷ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସେମାନଙ୍କ ଢଙ୍ଗରେ ପ୍ରସ୍ତାବ ରଖିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏହାର ଆବାହକ ସୁଦର୍ଶନ ଦାସ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ପ୍ରବକ୍ତା ମନୋଜ ଜେନା, ପ୍ରସନ୍ନ ବିଷୋୟୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର