ମାଲକାନଗିରି ପୁଲିସକୁ ବଡ଼ ସଫଳତା: ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ସ୍ବାଭିମାନ ଅଂଚଳର ତୋଟାଗୁଡାରେ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଚାଲିଛି।

ଘଟଣାସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର ଶବ ଜବତ କରାଯାଇଛି।ଏହି ନକ୍ସଲକୁ ଚିହ୍ନଟ କରାଯାଇଛି।  ସେ ମାଓ କମାଣ୍ଡର କିଶୋର ବୋଲି ପୁଲିସ କହିଛି। ତେବେ ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି।

ପ୍ରକାଶ ଥାଉକି ମାଓବାଦୀ ପାର୍ଟିର ମିଲିଟ୍ରି ପ୍ଲାଟୁନର ସଦସ୍ୟମାନେ ଜଂଗଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁଘୁରିବୁଲୁଥାନ୍ତି। ସଂଗଠନର ଯେତେବେଳେ ଏମାନଙ୍କୁ ଦରକାର ପଡେ ସେତେବେଳେ ଏମାନେ ଏମାନଙ୍କର ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି। ତେବେ ଗୁଇନ୍ଦା ସୂତ୍ରରୁ ଏମାନଙ୍କର ବୁଲିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଯାହାଫଳରେ ପୁଲିସ ଏହି ଅଂଚଳକୁ ଘେରାଉ କରିଥିଲା। ତେବେ ବହୁ ନକ୍ସଲ ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ପୁଲିସ ନକ୍ସଲ ପିଛା କରି ଗୁଳି ଚଳାଉଥିବା ଜଣାପଡିଛି।

ବର୍ତ୍ତମାନ ଗୁଳିବିନିମୟ ଚାଲୁଥିବାରୁ ଏସପି ରିଶିକେଷ ଖିଲାରି କୌଣସି ସବିଶେଷ ବିବରଣୀ ପ୍ରଦାନ କରିହେବ ନାହିଁ ବୋଲି କହିଥିଲେ। ତେବେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା କହିଥିଲେ। ସ୍ବାଭିମାନ ଅଂଚଳକୁ ସୁରକ୍ଷାକର୍ମୀ ଧୀରେ ଧୀରେ ନିଜ କବଜାକୁ ନେଉଥିବା ବେଳେ ବ୍ୟାକଫୁଟରେ ନକ୍ସଲ ଚାଲିଯାଇଛନ୍ତି। ଏବେ ବି ବହୁ ଅଂଚଳକୁ ନିଜ କବଜାକୁ ନେଇ ନକ୍ସଲ ନିଜର ପତିଆରା ଦେଖାଉଛନ୍ତି। ତେବେ ପୁଲିସ ଏହି ଅଂଚଳକୁ ମଧ୍ୟ ନିଜ କବଜାକୁ ନେବ ବୋଲି କହିଛି।ଲୋକଙ୍କୁ ନକ୍ସଲ ଦାଉରୁ ରକ୍ଷା କରିବା ପାଇଁ ଅଣ୍ଟାଭିଡିଛି ପୁଲିସ। ତେବେ ଆଗାମୀ କିଛି ବର୍ଷ ଭିତରେ ସ୍ବାଭିମାନ ଅଂଚଳରୁ ନକ୍ସଲ ମୂଳପୋଛ ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର