ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଆଜି କୋର୍ଟରେ ହାଜର କରାଯିବ

ବଲାଙ୍ଗୀର: ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏହାପୂର୍ବରୁ, ଗତକାଲି ବିଳମ୍ବିତ ରାତିରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗୋବିନ୍ଦ ଜଣେ ମଧୁମେହ ରୋଗୀ ହୋଇଥିବା ହେତୁ ତାର ଚେକ୍ ଅପ୍ କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ରିମାଣ୍ଡ ସମୟରେ ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲା ତା’ର ‘ଡେମୋ’ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ଦେଖାଇଥିଲା।ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ ନେଇଥିଲା। ମମିତାଙ୍କୁ ହତ୍ୟା କରି କେମିତି ଗାତ ଖୋଳି ପୋତିଥିଲା, ସେ ସମ୍ବନ୍ଧରେ ପ୍ରାୟ ୧୫ ମିନିଟ୍‌ ଧରି ଗୋବିନ୍ଦ ପୁଲିସକୁ କହିଥିଲା। ସେ କହିଥିଲା କି, ପ୍ରଥମେ କାଠ ଏବଂ କାଠ ଉପରେ ମମିତାଙ୍କ ଶବକୁ ରଖି ‘ଜେସିବି’ଦ୍ୱାରା ତାହାକୁ ଖଣ୍ଡବିଖଣ୍ଡ କରିଥିଲା। ତା’ପରେ ଟାୟାର୍‌ ଓ କେତୋଟି ବେଞ୍ଚ୍‌କୁ ଭାଙ୍ଗି ପୋଡ଼ି ଦେଇଥିଲା। ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଭାଙ୍ଗି ସେହି ଜଳନ୍ତା ନିଆଁରେ ପକାଇ ଦେଇଥିଲା।

ଉତ୍ତରାଞ୍ଚଳ ପୁଲିସ ଡିଆଇଜି ଦୀପକ କୁମାର, ବଲାଙ୍ଗୀର ପୁଲିସ ଏସ୍‌ପି ନିତିନ କୁଶଲକର, କଳାହାଣ୍ଡି ପୁଲିସ ଏସ୍‌ପି ଡା. ଶ୍ରବଣ ବିକେକ ଏମ୍‌.ଙ୍କ ନେତୃତ୍ବରେ ଏକ ପୁଲିସ ତଦନ୍ତକାରୀ ଦଳ ଗୁରୁବାର ମହାଲିଙ୍ଗ ଗାଁରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ଚିଥିଲେ । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରେ ଶବକୁ ଉଦ୍ଧାର ହୋଇଥିବା ସ୍ଥାନରେ ପୁଲିସ ପକ୍ଷରୁ ଜେସିବି ସହାୟତାରେ ପୁଣି ମାଟି ଖୋଳା ଯାଇଥିଲା ।

ସମ୍ବନ୍ଧିତ ଖବର