ଇନ୍ଦୋର: ଦୈବ ଆଦେଶ ପାଳିବାକୁ ବଦ୍ଧପରିକର ଇନ୍ଦୋରବାସୀ କୈଳାସ ବର୍ମାଙ୍କ ପାଇଁ ଗୁରୁବାର ଅପରାହ୍ଣରେ ଇନ୍ଦୋର ଚିଡ଼ିଆଖାନାରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିଂହମାନଙ୍କୁ ପାନେ ଦେବା ପାଇଁ ୩୮ ବର୍ଷିୟ କୈଳାସ ସେମାନଙ୍କ ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ଅକ୍ଷତ ଅବସ୍ଥାରେ ପଦାକୁ ଫେରିଥିଲେ। ବର୍ମାଙ୍କର ପରିସ୍ଥିତି କ’ଣ ହେଇ ଥାଆନ୍ତା ଛାଡ଼ନ୍ତୁ, ଏଥିରେ ଚିଡ଼ିଆଖାନାର କର୍ମଚାରୀମାନଙ୍କ ହୃଦ୍ସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା। ସେମାନେ ମାନସିକ ଉଦ୍ବେଗରେ ବାଇଆ ହୋଇଯାଉଥିବା ବେଳେ କୈଳାସ ସିଂହ ଖୁଆଡ଼ରେ ପଶି ମଉଜରେ ନିଜର ସ୍ନାକ୍ସ ଖାଉଥିଲା।
ଦୈବ ନିର୍ଦେଶ ମାନି ଗ୍ରାମବାସୀଙ୍କୁ ଆକ୍ରମଣ କରୁଥିବା ସିଂହମାନଙ୍କୁ ପାନେ ଚଖାଇବା ପାଇଁ ବୀର ସବରକର୍ ନଗରରେ ବାସ କରୁଥିବା ବର୍ମା ପ୍ରାୟ ଦିନ ଗୋଟାଏ ବେଳେ ‘କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟ’ରେ ପହଞ୍ଚି ଥିଲେ।
ସାଥିରେ ଗୋଟିଏ ପ୍ୟାକେଟ୍ ସ୍ନାକ୍ସ୍ ନେଇ ବର୍ମା ଦର୍ଶକମାନଙ୍କ ଠାରୁ ଜୀବଜନ୍ତୁଙ୍କୁ ଅଲଗା କରି ରଖୁଥିବା ରେଲିଙ୍ଗ୍ ଟପି ବଫର୍ ଜୋନ୍କୁ ପଶିବା ପରେ ଏକ ୧୮ ଫୁଟ୍ ଉଚ୍ଚ ବାଡ଼ ଉପରକୁ ଚଢ଼ିଥିଲେ। ସେଠାରୁ ସେ ଯାଇ ପହଞ୍ଚିଥିଲେ ନିଜର ୪ ଶାବକଙ୍କ ସହ ବିଶ୍ରାମ ନେଉଥିବା ସିଂହ ମେଘା ଏବଂ ସିଂହୀ ବିଜ୍ଲିଙ୍କ ପାଖରେ।
ଏତେ ଉଚ୍ଚକୁ ଚଢ଼ି ଓହ୍ଲାଇ ଥକି ପଡ଼ିଥିବା ବର୍ମା ସେଠାରେ ବସି ସ୍ନାକ୍ସ୍ ଖାଇଥିଲେ। ସୌଭାଗ୍ୟକୁ ଏତିକିବେଳେ ଗାର୍ଡମାନେ ସିଂହୀ ଓ ତା’ ଶାବକମାନଙ୍କୁ ପିଞ୍ଜରାରେ ବନ୍ଦ କରି ଦେଇଥିଲେ। ତାଙ୍କୁ ମଧ୍ୟ ତୁରନ୍ତ ଖୁଆଡ଼ରୁ ବାହାର କରାଯାଇ ସଂଯୋଗୀତାଗଞ୍ଜ ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବଂ ଥାନାବାଲା ପଚରା ଉଚୁରା କରିଥିଲେ।
ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦେଖିଲେ ଯେ ଜଗୁଆଳିମାନେ ବାତୁଳ ପ୍ରାୟ ପାଟି କରି ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେ ସିଂହ ଖୁଆଡ଼ର ଶୀର୍ଷକୁ ଚଢ଼ି ଯାଉଛନ୍ତି।
ଚିଡ଼ିଆଖାନା ଭାରପ୍ରାପ୍ତ ଅଧିକାରୀ ଡକ୍ଟର ଉତ୍ତମ ଯାଦବ କହନ୍ତି: ଗ୍ରାମବାସୀମାନଙ୍କୁ ସିଂହ ଆକ୍ରମଣ କରୁଥିବା ଦୃଶ୍ୟ ଦେଖିଥିଲେ ବୋଲି କୈଳାସ କହିଛନ୍ତି। ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଈଶ୍ୱର ତାଙ୍କୁ ସ୍ୱପ୍ନାଦେଶ ଦେଇଛନ୍ତି। ତେଣୁ ସେ ଦୈବ ଆଦେଶ ମାନି ସିଂହମାନଙ୍କୁ ପାନେ ଦେବାକୁ ଠିକ୍ କରିଥିଲେ।
ବନ୍ୟଜନ୍ତୁ ନିରାପତ୍ତା ଆଇନ୍ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଡ଼ିଆଖାନା ଅଧିକାରୀମାନେ କହିଛନ୍ତି। ଖବର ପାଇ ତାଙ୍କୁ ଘରକୁ ନେବା ପାଇଁ ବର୍ମାଙ୍କର ମାଆ ଏବଂ ଭାଇ ଥାନାରେ ପହଞ୍ଚି ଥିଲେ।
ଚିଡ଼ିଆଖାନା କିଂବା ବନ ଅଧିକାରୀଙ୍କ ଠାରୁ ଅଭିଯୋଗ ପାଇଲେ ଆମେ ତାଙ୍କ ବିରୋଧରେ ମାମଲା ରୁଜୁ କରିବୁ। ଏବେ ତାଙ୍କ ବିରୋଧରେ କୌଣସି ଚାର୍ଜ ଲାଗୁ ହୋଇ ନ ଥିବା କଥା ଥାନାର ଭାରପ୍ରାପ୍ତ ଅଧିକାରୀ ମଞ୍ଜୁ ଯାଦବ କହିଛନ୍ତି।
ଯୋଗ ଭଲ ଏ ଭୟାବହ ଘଟଣାଟି ସେପ୍ଟେମ୍ବର ୨୦୧୪ ମସିହାର ଘଟଣା ପରି ହୋଇ ନାହିଁ। ସେଥିରେ ସମସ୍ତଙ୍କ ସାମ୍ନାରେ ଧଳାବାଘଟାଏ ଜଣେ ବ୍ୟକ୍ତିଙ୍କୁ ମାରି ପକାଇଥିଲା।