ଦୁର୍ଘଟଣା ପରେ ଏରା ସୋଡି ଏବେ କୋମାରେ, ଜମିବାଡ଼ି ବିକ୍ରି କରି ଚିକିତ୍ସା କରିବା ପରେ ବି ଏରା ଭଲ ହୋଇନାହିଁ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହଯୋଗ ପାଇଁ ଦାବି

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ସୋଡିଙ୍କ ପୁଅ ଏରା ସୋଡି ଗତ ଅକ୍ଟୋବର ମାସରେ ଦୁର୍ଘଟଣାଗ୍ରସ୍ତ ହୋଇ ଆଜି ପର୍ଯ୍ୟନ୍ତ ଭଲ ହୋଇପାରୁନାହାନ୍ତି । ଯାହାଫଳରେ ପରିବାର ଲୋକେ ଘରେ ଯାହା ସଂପତ୍ତି ଥିଲା ସେସବୁ ବିକ୍ରି କରି  ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଏହାପରେ ମଧ୍ୟ ଏରା ଆଜି ବି କୋମାରେ ରହିଛି । ଘଟଣା ଅନୁଯାୟୀ ଗତ ଅକ୍ଟୋବର ୧୦ ତାରିଖ ଦିନ ଏରା କୌଣସି କାମରେ ମଟର ସାଇକେଲରେ ମାଲକାନଗିରି ଯାଉଥିବା ବେଳେ ହଠାତ୍ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ଏରାର ବଡ ଭାଇ ଶାନ୍ତୁନୁ ତୁରନ୍ତ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲା।ତେବେ ଡାକ୍ତର ତୁରନ୍ତ ବଡ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ।ଭାଇ ଶାନ୍ତୁନୁ ବାପା ଦେବାଙ୍କ ସହ କଥାବାର୍ତ୍ତା କରି କଟକ ବଡ ମେଡିକାଲକୁ ନେଇଯାଇଥିଲା । ତେବେ ସେଠାରେ ବହୁ ଟଂକା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ଘରକୁ ଫେରି ଆସି ଯାହା ଜମିବାଡି ଥିଲା ତାକୁ ବିକ୍ରି କରିଦେଲା ।

ଏଥିସହ ଘରେ ଥିବା ଗାଈଗୋରୁ, ଛେଳମେଣ୍ଢାକୁ ମଧ୍ୟ ବିକ୍ରି କରି ପ୍ରାୟ ଚାରି ଲକ୍ଷ ଟଂକା ନେଇ ମେଡିକାଲକୁ ଯାଇଥିଲେ।ତେବେ ଏତେ ଟଂକା ଖର୍ଚ୍ଚ ହେଲା ପରେ ମଧ୍ୟ ଏରାର ସ୍ବାସ୍ଥ୍ୟର ଉନ୍ନତି ହୋଇନଥିଲା।ଆଜି ବି ଏରା କୋମାରେ ପଡି ରହିଛି । ତେବେ ଡାକ୍ତର ଆହୁରି ଟଂକା ଖର୍ଚ୍ଚ କରିବାକୁ ପଡିବ ବୋଲି କହିବା ପରେ ପରିବାର ଲୋକେ ଏବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ମୁଖ୍ୟମନ୍ତ୍ରୀ ରିଲିଭ ପାଣ୍ଠିର ସହଯୋଗ କାମନା କରିଛନ୍ତି । ଏରାକୁ ବଞ୍ଚାଇବା ପାଇଁ ପରିବାର ଲୋକେ ବହୁ ଟଂକା ଖର୍ଚ୍ଚ କରି ଏବେ ସର୍ବସ୍ବାନ୍ତ ହୋଇସାରିଲେଣି।ଏବେ କଣ କରିବେ କିଛି ବୁଝି ପାରୁନାହାନ୍ତି । ଏରା ଏବେ ଘରେ ଶଯ୍ୟାଶାୟୀ।ତୁରନ୍ତ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ହେଲେ ଏରା ସୁସ୍ଥ ହେବ ବୋଲି ପରିବାର ଲୋକେ ଆଶା ବନ୍ଧିଛନ୍ତି ।

ସମ୍ବନ୍ଧିତ ଖବର