କରୋନା ଭୟରେ ହସ୍ପିଟାଲ୍‌ର ୭ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଲା

ନୂଆଦିଲ୍ଲୀ: କରୋନା ଭୟରେ ହସ୍ପିଟାଲ୍‌ର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ପରୀକ୍ଷା ରିପୋର୍ଟ ମିଳିବା ପରେ ଏହାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ପରୀକ୍ଷା ରିପୋର୍ଟରେ କରୋନା ନେଗେଟିଭ୍‌ ଥିବା ଜାଣିବାକୁ ମିଳିଛି। ସେ କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ବୋଲି ସନ୍ଦେହ କରାଯିବା ପରେ ତାଙ୍କୁ ଦିଲ୍ଲୀର ସଫଦାରଜଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବ୍ୟକ୍ତି ଜଣକ ନିଜକୁ କରୋନା ଦ୍ବାରା ଆକ୍ରାନ୍ତ ବୋଲି ନିଜ ମନରେ ସନ୍ଦେହ ଆଣିବା ପରେ ୭ ମହଲା ବିଶିଷ୍ଟ ହସ୍ପିଟାଲ୍‌ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଥିଲା।

ମୃତକ ବ୍ୟକ୍ତି ଜଣକ ‌ହେଉଛନ୍ତି ତନଭୀର ସିଂହ। ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ତାଙ୍କର ପରୀକ୍ଷା କରିବା ପାଇଁ ଆଜି ସକାଳ ୯ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଘର ପଞ୍ଜାବ। ସେ ଗତ କିଛି ବର୍ଷ ହେବ ସିଡ୍‌ନିରେ ରହୁଥିଲେ। ବିଦେଶରୁ ଆସି ଦିଲ୍ଲୀ ପହଞ୍ଚିବା ପରେ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା। ତାଙ୍କର ମୁଣ୍ଡ ବିନ୍ଧା ହେବା ପରେ ବିମାନ କର୍ତ୍ତୃପକ୍ଷମାନେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। କାଳେ ତାଙ୍କୁ କରୋନା ହୋଇଥିବ ବୋଲି ଆଶଙ୍କା କରି ସେ ଜୀବବ ହାରି ଦେଇଥିବା ସୂଚନା ରହିଛି।

ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ତାଙ୍କୁ ହସ୍ପିଟାଲ୍‌ର ପୃଥକ ୱାର୍ଡରେ ରଖାଯାଇଥିଲା। ସେ ସେହି ୱାର୍ଡର ଝରକା ଖୋଲି ୭ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର