ରାହୁଲ ଗାନ୍ଧିଙ୍କ ନାପସନ୍ଦ ପରେ କ୍ଷମା ମାଗିଲେ ଆୟାର

ନୂଆଦିଲ୍ଲୀ: ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛୋଟ ଲୋକ ବା ନିଚ୍‌ ଆଦମୀ ବୋଲି କହିବା ଘଟଣାପରେ କଂଗ୍ରେସ ଦଳ ଅଡୁଆରେ ପଡିଯାଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଉଭୟ କଂଗ୍ରେସ ଦଳ ଓ ଏହାର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଣିଶଙ୍କରଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଛନ୍ତି । ନିଜେ ରାହୁଲ ଗାନ୍ଧି ଏପରି ବୟାନକୁ ନାପସନ୍ଦ କରିବା ସହ ନିଃସର୍ତ୍ତ କ୍ଷମା ମାଗିବାକୁ ଆୟାରଙ୍କୁ କହିବା ପରେ ସେ ଏଥିଲାଗି କ୍ଷମା ମାଗିଛନ୍ତି ।

“ହିନ୍ଦୀ ମୋର ମାତ୍ରୁଭାଷା ନୁହେଁ । ମୁଁ ଇଂରାଜୀରେ ଭାବୁଥିଲି ଯେ ଜଣେ କେତେ ନିମ୍ନ ସ୍ତରକୁ ଯାଇପାରେ ଓ କହିବାବେଳକୁ ହିନ୍ଦୀରେ ନୀଚ୍ଚ ବୋଲି କହିଦେଲି । ଯଦି ଏହାର ଅନ୍ୟ କିଛି ଅର୍ଥ ବାହାରୁଛି, ମୁଁ ସେଥିଲାଗି କ୍ଷମା ମାଗୁଛି ” ଆୟାର କହିଛନ୍ତି ।

ଏହା ପୂର୍ବରୁ ଟ୍ଵିଟ୍ଟ୍‌ କରି ରାହୁଲ ଗାନ୍ଧି କହିଥିଲେ ଯେ ଏପରି ଭାଷାର ବ୍ୟବହାର କଂଗ୍ରେସ ଦଳର ସଂସ୍କୃତି ଓ ପରମ୍ପରା ନୁହେଁ । ଆଜି ଯେଉଁ ବିଜେପି ସଭ୍ୟତା କଥା କହୁଛି, ସେ ଦଳ ମଧ୍ୟ କଂଗ୍ରେସ ଓ ତାହାର ନେତା ମାନଙ୍କ ବିରୁଦ୍ଧରେ ଅସଭ୍ୟ ଭାଷା ବ୍ୟବହାର କରିଆସିଛି ।

ମୋଦି ମଧ୍ୟ ଆୟାରଙ୍କ ମନ୍ତବ୍ୟକୁ ଏକ ମୋଗଲ ଯୁଗର ସାମନ୍ତବାଦୀ ମାନସିକତା, ଯାହା ଅନ୍ୟ ସମସ୍ତଙ୍କୁ ହୀନ ଦୃଷ୍ଟିରେ ଦେଖେ ବୋଲି କହିଛନ୍ତି । ଦିନେ ଏହା କଂଗ୍ରେସ ଦଳକୁ ବୁଡାଇବ ବୋଲି ସେ କହିଛନ୍ତି ।

ଗତ ୨୦୧୪ ନିର୍ବାଚନ ବେଳେ ମଧ୍ୟ ମଣିଶଙ୍କର ଆୟାରଙ୍କ ବୟାନ ଯୋଗୁଁ କଂଗ୍ରେସ ଦଳ ଅଡୁଆରେ ପଡିଯାଇଥିଲା । ମଣିଶଙ୍କର ସେତେବେଳେ କହିଥିଲେ ଯେ ଜଣେ ଚା’ବାଲା କେବେହେଲେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବ ନାହିଁ । ତାଙ୍କର ଏହି ବୟାନ ସେତେବେଳେ ବେଶ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବିଜେପି ଦଳ ତାହାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ସେହିପରି ସୋନିଆ ଗାନ୍ଧି ମଧ୍ୟ ମୋଦିଙ୍କୁ ମୌତ୍‌ କା ସୌଦାଗର (ମୃତ୍ୟୁର ସୌଦାଗର) କହିବା ପରେ ତାହାକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର