ଶାଳପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି ମୁଣ୍ଡିଗଡ଼ବାସୀ

ତୁମୁଡିବନ୍ଧ: କରୋନା ଭୟ ପରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳଗୁଡ଼ିକରେ ବଜାରରେ ଆଉ ମିଳୁନି ମାସ୍କ। ଗ୍ରାମାଞ୍ଚଳ ଲୋକେ କିଏ କେମିତି ସିଲେଇ କରି କିମ୍ବା ସଂଗ୍ରହ କରି ମାସ୍କ ପିନ୍ଧି କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଉଦ୍ୟମ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ରହୁଥିବା ତୁମୁଡ଼ିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ଗ୍ରାମର ଲୋକେ ଏ ଦିଗରେ ପଛରେ ପଡ଼ିନାହାନ୍ତି। ନିଜେ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସଚେତନ କରୁଛନ୍ତି। ଦେଶରେ ବଢ଼ି ବଢ଼ି ଚାଲିଥିବା ମହାମାରୀ କରୋନା ଭୂତାଣୁକୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥାସାଧ୍ୟ ପଦକ୍ଷେପ ନେଇଛନ୍ତି। ଜଙ୍ଗଲରୁ ଶାଳପତ୍ର ତୋଳି ଆଣି ସେଥିରେ ମାସ୍କ ତିଆରି କରି ମୁହଁରେ ପିନ୍ଧୁଛନ୍ତି। ଯାହାକି ସହରରେ ରହି ବି ମାସ୍କ ବ୍ୟବହାର କରୁନଥିବା ଲୋକଙ୍କ ପାଇଁ ଏକ ସଚେତନତାର ବାର୍ତ୍ତା ସାଜିଛି।

ଏହାସହ ସେମାନେ ଗାଁ ମୁଣ୍ଡରେ ଲକ୍‌ଡାଉନ୍‌ ଲେଖାଥାଇ ପୋଷ୍ଟର ମାରିଛନ୍ତି। ଏହାସହ ଗାଁ ଭିତରକୁ ବାହାର ଲୋକ ଏବଂ ଗାଁ ଲୋକଙ୍କୁ ବାହାରକୁ ଯିବା ପାଇଁ ବାରଣ କରୁଛନ୍ତି। ଗାଁ ମୁଣ୍ଡରେ ବାଲ୍‌ଟି, ମଗ ଓ ସାବୁନ ରଖି ଲୋକଙ୍କୁ ଧୋଇବାକୁ ସଚେତନ କରାଉଛନ୍ତି। ଏହି ସଚେତନତା ଅଭିଯାନରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ଓ କିଛି ଯୁବକ, ମହିଳା ଓ ଉଦ୍ୟମୀ ବ୍ୟକ୍ତି ସାମିଲ ହୋଇଛନ୍ତି। ବେକଳ ମୁଣ୍ଡିଗଡ଼ ନୁହେଁ; ଏହି ବାର୍ତ୍ତା ଅନ୍ୟ ନିକଟ ପଞ୍ଚାୟତ ଓ ଗ୍ରାମକୁ ମଧ୍ୟ ପ୍ରଦାନ କରିବା ସହ ନିଜ ସ୍ୱାସ୍ଥ୍ୟ ନିଜେ ଜଗିବା ଓ ନିଜ ଗାଁ କୁ ମଧ୍ୟ ସୁସ୍ଥ ରଖିବା ପାଇଁ ଗ୍ରାମବାସୀ ଏବେ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର