ହାଇଦ୍ରାବାଦ୍ : ବ୍ୟାଙ୍କ ଏଟିଏମରୁ ଟଙ୍କା ବାହାରେ, କିନ୍ତୁ ଆନ୍ଧ୍ରପ୍ରଦେଶରେ ପରୀକ୍ଷାମୂଳକ ଭାବେ ଲାଗିଥିବା ଏଟିଏମରୁ ବାହାରୁଛି ଔଷଧ। ଭିନ୍ନ ଭିନ୍ନ ବଟିକା, କ୍ୟାପସୁଲ୍ ଓ ସିରପ୍। ଏହି ଏଟିଏମର ପୂରା ଅର୍ଥ ‘ଏନି ଟାଇମ୍ ମେଡିସିନ୍’।
ନ୍ୟାସନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ୍ ଲିଷ୍ଟରେ ଉପଲବ୍ଧ ଥିବା ଔଷଧ ଏହି ଏଟିଏମରେ ଉପଲବ୍ଧ ହେବ । ସାଧାରଣ ରୋଗ ପାଇଁ ଆବଶ୍ୟକୀୟ ଔଷଧ ଏହି ତାଲିକାରେ ଉପଲବ୍ଧ ଅଟେ। ଏଥିରେ ୩ ଶହରୁ ଅଧିକ ଅତ୍ୟାବଶ୍ୟକୀୟ ଔଷଧ ରହିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଏହି ଏଟିଏମ ୧୫ଟି ସ୍ଥାନରେ ସଫଳତାର ସହ କାମ କରିଛି। ଏବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହି ଏଟିଏମ୍ ସ୍ଥାପନ କରିବାକୁ ଯୋଜନା କରାଯାଉଛି ।
ଏହି ଏଟିଏମ୍ ମେସିନ୍ ଆପଣଙ୍କ ପ୍ରେସକ୍ରିପସନକୁ ସ୍କାନ୍ କରିବା ପରେ ହିଁ ସେଥିରେ ଉଲ୍ଲେଖ ଥିବା ମେଡିସିନ୍ ଆପଣଙ୍କୁ ପ୍ରଦାନ କରିବ । ଆଉ ସବୁଠାରୁ ବଡ କଥା ହେଉଛି, ଫୋନରେ କଲ କରି ମଧ୍ୟ ଆପଣ ଏଟିଏମରୁ ଔଷଧ ପାଇପାରିବେ । ଆଉ ଏଥି ପାଇଁ ରୋଗୀ ଦୂରରେ ଥିଲେ ମଧ୍ୟ ଡାକ୍ତରଙ୍କୁ ଫୋନ ଯୋଗେ ନିଜ ରୋଗ ବିଷୟରେ କହିବାକୁ ହେବ ଏବଂ ଡାକ୍ତର ସେହି ରୋଗ ପାଇଁ ମେଡିସିନ୍ ଲେଖିବା ପରେ ଏଟିଏମ୍ କିଓସ୍କକୁ କମାଣ୍ଡ ଦେବାକୁ ହେବ । ଆଉ କମାଣ୍ଡ ପାଇବା କ୍ଷଣି ଏଟିଏମ୍ ମେସିନରୁ ଔଷଧ ବାହାରିବ ।
ନ୍ୟାସନାଲ ରୁରାଲ ହେଲ୍ଥ ମିସନ (ଏନଆରଏଚଏମ୍) ଅଧିନରେ ପ୍ରଥମ ପର୍ଯ୍ୟାୟରେ ଏହି ଏଟିଏମକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗ୍ରାମୀଣ କ୍ଷେତ୍ରରେ ଲଗାଯିବ ବୋଲି ଜଣାପଡିଛି ।
ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଆବଶ୍ୟକୀୟ ଔଷଧ ମିଳି ନ ଥାଏ, କିମ୍ବା ବିଳମ୍ବିତ ରାତିରେ ଯଦି ଆପଣଙ୍କୁ ଔଷଧର ଆବଶ୍ୟକତା ପଡେ, ତେବେ ଡାକ୍ତରଖାନା ପରିସରରେ ଥିବା ଦୋକାନକୁ ଯିବାକୁ ପଡ଼ିଥାଏ । ତେବେ ଏବେ ହୁଏତ ଆପଣଙ୍କୁ ଆଉ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ଖୁବ ଶୀଘ୍ର ଆପଣଙ୍କୁ ପାଖକୁ ଆସିବ ମେଡିସିନ୍ ଏଟିଏମ୍ ।