ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସରକାରଙ୍କ ନୂତନ ଆଶୀର୍ବାଦ ଯୋଜନା ଉପରେ ଜିଲ୍ଲାସ୍ତରୀୟ ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସ୍ବଧା ଦେବ ସିଂ ଅଧକ୍ଷତା କରିଥିଲେ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର ରାଉତ ଏହି ଯୋଜନାର ଉଦ୍ଦେଶ୍ୟ ଉପରେ ଅବଗତ କରିଥିଲେ। ମା’ ବାପା ମୃତ୍ୟୁବରଣ କିମ୍ବା ମା’ କିମ୍ବା ବାପାଙ୍କ ମୃତ୍ୟୁ ହୋଇଥିଲେ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଉଦ୍ଧିଷ୍ଟ ଅଟେ। ମା’ ବାପା ମୃତ୍ୟୁବରଣ କରିଥିବା ଶିଶୁଙ୍କୁ ମାସିକ ୨୫୦୦ ଟଙ୍କା ଆର୍ଥିକ ସହାୟତା କରାଯିବାକୁ ଥିବାବେଳେ ମା’ କିମ୍ବା ବାପା ମୃତ୍ୟୁବରଣ କରିଥିବା ଶିଶୁଙ୍କୁ ମାସିକ ୧୫୦୦ ଟଙ୍କା ଆର୍ଥିକ ସହଯୋଗ ରହିଛି। ସେହିପରି ଶିଶୁ ଯତ୍ନ କେନ୍ଦ୍ରରେ ରହିବାକୁ ଥିବା ଶିଶୁଙ୍କୁ ମାସିକ ୧୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
ଏହି ଯୋଜନାରେ ସମସ୍ତ ଶିଶୁ ହିତାଧିକାରୀ ଚୟନ କରି ତାଙ୍କୁ ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶିଶୁ ସୁରକ୍ଷା କମିଟି ଅଧକ୍ଷ ରମେଶ ଚନ୍ଦ୍ର ଭୋଇ, ସଦସ୍ୟ କୁମୁଦ ହୋତା, ଅଶ୍ବିନୀ ପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନବୀନ ପଟେଲ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।