କଟକ: କଟକ ତଳ ତେଲେଙ୍ଗା ବଜାରରେ ଜନ୍ମ। ରେଭେନ୍ସା କଲିଜିଏଟ ସ୍କୁଲରୁ ୧୯୬୭ରେ ସ୍କୁଲ ଶିକ୍ଷା ଶେଷ କରିଥିଲି। ଆମେ ସେତେବେଳେ ଚାଲି ଚାଲି ସ୍କୁଲକୁ ଯା’ଆସ କରୁଥିଲୁ। କଟକର ମୁଖ୍ୟ ରାସ୍ତାକୁ ଛାଡ଼ି ଦେଲେ ଅନ୍ୟ ସବୁ ନାଲିଗୋଡ଼ି ରାସ୍ତା। ରାସ୍ତାରେ ଘୋଡ଼ା ଗାଡ଼ି ଓ ହାତଟଣା ରିକ୍ସା ଦେଖିବାକୁ ମିଳୁଥିଲା। ଲଣ୍ଠନ ଆଲୋକରେ ପଢୁଥିଲୁ। ସୁଲେଖା କାଳୀ କଲମରେ ଭରୁଥିଲୁ। କାଳୀ ବୋହି ସାର୍ଟରେ ଲାଗି ଯାଉଥିଲା। ଡଟ୍ ପେନ୍ ପରେ ଆସିଲା।
ଖ୍ରୀଷ୍ଟ କଲେଜ ଓ ପରେ ରେଭେନ୍ସାରେ କଲେଜରୁ ଉଚ୍ଚ ଶିକ୍ଷା ଲାଭ କରିଥିଲି। ଏହାପରେ ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପଢିଥିଲି। ସେତେବେଳେ କଟକରେ ଫୁଟବଲ୍ ଖେଳ ଭାରି ଲୋକପ୍ରିୟ ଥିଲା। କଳିଙ୍ଗ କପ୍ ହେଉଥିଲା। ରାଜ୍ୟ ବାହାରୁ ଦଳ ସବୁ ଆସୁଥିଲେ ଖେଳିବାକୁ। ଚାନ୍ଦିନୀଚୌକରେ ବସ୍ ଷ୍ଟାଣ୍ଡ ଥିଲା। ନାଲି ଓ ନୀଳ ଦୁଇଟି ରଙ୍ଗର ବସ୍ ଚାଲୁଥିଲା। ଗୌରୀଶଙ୍କର ପାର୍କ, ଚୌଧୁରୀବଜାର, ବକ୍ସିବଜାର ଦେଇ ବସ୍ ଯାଉଥିଲା। କ୍ୟାପିଟାଲ ସିନେମାରେ ପ୍ରଥମେ କଳାଧଳା ଫିଲ୍ମ ଦେଖିଥିଲୁ।
/sambad/media/post_attachments/wp-content/uploads/2020/10/DR-SANJAY-DAS102957-253x300.jpg)
ପ୍ରଭାତ ଓ ହିନ୍ଦ୍ରେ ମଧ୍ୟ ସିନେମା ଦେଖୁଥିଲୁ। କଟକରେ ଜନତା ରଙ୍ଗମଞ୍ଚ ଓ ଅନ୍ନପୂର୍ଣ୍ଣା ଥିଏଟର। ବାପାଙ୍କ ସହିତ ଯାଇ ଜନତା ରଙ୍ଗମଞ୍ଚରେ ନାଟକ ଦେଖିଛି। ସେତେବେଳେ କଟକରେ ପ୍ରତିବର୍ଷ ସର୍କସ ପଡ଼ୁଥିଲା। ଷ୍ଟାଡିୟମ ପାଖରେ ସର୍କସ ପଡୁଥିବା ବେଳେ ଦେଖିବାକୁ ଭିଡ଼ ହେଉଥିଲା। ୧୯୬୨ରେ ଭାରତ-ଚୀନ ଯୁଦ୍ଧ ବେଳେ ସାହିବସ୍ତିରେ ଲୋକମାନେ ରେଡିଓ ନିକଟରେ ରୁଣ୍ଡ ହୋଇ ଖବର ଶୁଣୁଥିଲେ। କଟକ ଖାଇବା ଆଉ କୋଉଠି ନାହିଁ। ୧୦ ପଇସାରେ ୪ଟା ବରା ଖାଉଥିଲୁ। ତରକାରୀ ଫ୍ରି।
ଦଶହରା ଦେଖିବାକୁ ଗ୍ରାମାଞ୍ଚଳରୁ ଲୋକମାନେ ଶଗଡ଼ରେ ଆସି କଟକ ସହରରେ ପହଞ୍ଚୁଥିଲେ। ବାଦାମବାଡ଼ି ନିକଟରେ ରାସ୍ତା କଡ଼ରେ ଧାନ ବିଲ ଥିଲା। ଶଗଡ଼ ଗାଡି ସେଠାରେ ରଖି ଲୋକମାନେ ଚାଲି ଚାଲି କଟକ ଦଶହରା ବୁଲୁଥିଲେ। ଚୌଧୁରୀବଜାର ଚାନ୍ଦି ମେଢ ଥିଲା ଆକର୍ଷଣ। ସବୁ ମେଢ ଚାନ୍ଦିନୀଚୌକ ଯାଇ ସେଠାରୁ ଦେବୀଗଡ଼ାକୁ ଯାଉଥିଲେ। ଦଶହରା ବେଳେ ଦୂରରୁ ଆସିଥିବା ବହୁ ଲୋକ ବୁଲି ବୁଲି ଅନ୍ୟମାନଙ୍କ ପିଣ୍ଡାରେ ରାତିରେ ଶୋଇ ପଡୁଥିଲେ। ଦଶହରା ବେଳେ ବହୁତ ଶୀତ କରୁଥିଲା ଓ ଆମେ ଶୀତବସ୍ତ୍ର ପିନ୍ଧି ବାହରୁଥିଲୁ।
/sambad/media/post_attachments/wp-content/uploads/2020/10/download-9-750x430.jpg)
କଟକରେ ପ୍ରକୃତରେ ୧୨ ମାସରେ ୧୩ ପରବ। ଏଥି ସହିତ କଟକର ରୁପା ତାରକସି କାମ ଆଉ କୋଉଠି ଦେଖିବାକୁ ମିଳେନି। ବାଲୁବଜାର ଆମିଷ ବଜାର ଥିଲା ନିଆରା। ଚାରି ଅଣାରେ ଅଣ୍ଡା ମିଳୁଥିଲା। ପାମ୍ପ୍ଲେଟ୍ ମାଛ ଦୁଇ ଜଣ ବୁଢୀଲୋକ କିଲୋ ପ୍ରତି ୩ ଟଙ୍କାରେ ବିକ୍ରି କରୁଥିଲେ। କଟକ ସହରରେ ସଜ ପରିବା ମିଳୁଥିଲା। ୫ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ପରିବା। ଏହା କହିଛନ୍ତି ପ୍ରଫେସର ଡାକ୍ତର ସଞ୍ଜୟ କୁମାର ଦାସ।
ଅଧିକାଂଶ କଳାକାରଙ୍କ ଭଳି କଟକ ମଧ୍ୟ ମତେ ବହୁତ କିଛି ଦେଇଛି। ରାଜ୍ୟ ତଥା ବାହାରେ ଜଣେ ଗାୟିକା ଭାବେ କଟକ ମତେ ପରିଚିତ କରାଇଛି ବୋଲି କହିଛନ୍ତି ଗାୟିକା ମାନସୀ ପାତ୍ର। ବାଲେଶ୍ବର ରେମୁଣା ଅଞ୍ଚଳରେ ଆମ ଘର। ବାପା ଶିକ୍ଷକତା କରୁଥିଲେ ମଧ୍ୟ ତାଙ୍କର କଳାପ୍ରତି ଆଦର ରହିଥିଲା। ଏକ ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ କଟକ ଆସିଥିଲି। ଏହାପରେ ସଫଳତା ମିଳିଥିଲା। ରାଖାଲ ମହାନ୍ତି, ସିକନ୍ଦର ଆଲାମ ଓ ବହୁ ବିଶିଷ୍ଟ କଳାକାରଙ୍କ ସଂସ୍ପର୍ଶରେ ଆସିଥିଲି। ଭଜନ କେବଳ ଗାଇବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲି।
/sambad/media/post_attachments/wp-content/uploads/2020/10/MANASI-PATRA105045-225x300.jpg)
ଏହାପରେ ବହୁ ଭଜନ କ୍ୟାସେଟ୍ ରିଲିଜ ହୋଇଥିଲା ଓ ଟିଭି କାର୍ଯ୍ୟକ୍ରମରେ ମଧ୍ୟ ସୁଯୋଗ ମିଳିଥିଲା। ଇତିମଧ୍ୟରେ ୨ ହଜାରରୁ ଅଧିକ ଭଜନରେ କଣ୍ଠଦାନ କରି ସାରିଛି। ମୋ ଲୋକପ୍ରିୟତା ପାଇଁ କଟକ ସହରକୁ ଶ୍ରେୟ ଦେବି। କୌଣସି ବର୍ଷ ବାଲିଯାତ୍ରା ଓ ଦଶହରା ବୁଲିବାକୁ ଭୁଲି ନଥାଏ। ବୈଷ୍ଣବ ପାଣି ମଞ୍ଚରେ ଗୀତ ବୋଲିବା ପରେ ବାଲିଯାତ୍ରା ବୁଲି ଘର ପାଇଁ ବିଭିନ୍ନ ଜିନିଷପତ୍ର କିଣାକିଣି କରିଥାଏ। ଦଶହରା ବେଳେ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସମୟ ବାହାର କରି ବୁଲିବାକୁ ଯାଇଥାଏ। କଟକ ସହରର ଖାଇବା ଆଉ କୋଉଠି ନାହିଁ। କନିକା ଛକର ଦହିବରା-ଆଳୁଦମ୍, ହାଇକୋର୍ଟ ପାଖ ବରା-ଆଳୁକସା, ଚୌଧୁରୀ ବଜାର ପାମ୍ପୁଡି ଚାଟ୍, ଗୁପଚୁପ୍ର ସ୍ବାଦ ସ୍ବତନ୍ତ୍ର। ଏଠାରେ ପରିବେଶ ସହର କମ୍ ଗାଁ ଭଳି ଅଧିକ ଲାଗେ। ସମସ୍ତେ ସମସ୍ତଙ୍କ ସୁଖଦୁଃଖ, ଭଲମନ୍ଦ ବୁଝିଥାନ୍ତି ଓ ସବୁଥିରେ ସାମିଲ ହୋଇଥାନ୍ତି।