ବ୍ରହ୍ମପୁର/ଦିଗପହଣ୍ଡି: ପ୍ରଥମେ ଚୁକ୍ତିଭିତ୍ତିକ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇ ଚାକିରି ଜୀବନ ଆରମ୍ଭ କରିଥିଲେ। ଅଳ୍ପ କେତୋଟି ବର୍ଷ ତଳେ ନିୟମିତ ହୋଇଥିଲେ। ଏବେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଛାନ୍‌ଭିନ୍‌ ପରେ ତାଙ୍କର ୧.୧୭କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଖବର ଲେଖାହେବା ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ ଏହି ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Advertisment

ଏହି କୋଟିପତି ଯନ୍ତ୍ରୀ ‌ହେଲେ ବଂଶୀଧର ସେଠୀ। ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ସେକ୍ସନ୍-୧ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ରହିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ୍ ଅଦାଲତ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ୍ ବଳରେ କଟକ ଏବଂ ବ୍ରହ୍ମପୁର ଭିଜିଲାନ୍ସ୍ ବିଭାଗର ୨ ଡିଏସ୍‌ପି ଏବଂ ୬ ଇନ୍ସପେକ୍ଟରଙ୍କ ନେତୃତ୍ବରେ ୫ଟି ଟିମ୍ ଆଜି ଭୋର୍‌ରୁ ଏକକାଳୀନ ଚଢ଼ଉ ଆରମ୍ଭ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ୍‌ ଡିଭିଜନ୍‌ର ୫ଟି ଟିମ୍ ଆଜି ବ˚ଶୀଧରଙ୍କ ବ୍ରହ୍ମପୁରସ୍ଥିତ ଶକ୍ତିନଗର ଦ୍ବିତୀୟ ଲେନ୍‌ରେ ଥିବା ୨ଟି ୩ ମହଲା କୋଠା ସମେତ ଦିଗପହଣ୍ତିସ୍ଥିତ ସରକାରୀ କାର୍ଯ୍ୟାଳୟ, ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ାଶାସନସ୍ଥିତ ପୈତୃକ ଘର ଓ ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ାରେ ଥିବା ସଂପର୍କୀୟଙ୍କ ବାସଭବନରେ ଏକକାଳୀନ ଚଢ଼ଉ କରିଥିଲେ।

ଖବର ଲେଖାଯିବା ସୁଦ୍ଧା, ବଂଶୀଧରଙ୍କ ପାଖରୁ ସ୍ଥାବର ଓ ଅସ୍ଥାବର ମିଶାଇ ୧କୋଟି ୧୭ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହେଲାଣି ବ୍ରହ୍ମପୁର ଶକ୍ତିନଗରରେ ତିନିମହଲା କୋଠା (୭୦ ଲକ୍ଷ ୬୧ହଜାର ଟଙ୍କା), ନିମଖଣ୍ତିରେ ୩ଟି ପ୍ଲଟ୍ (୨ ଲକ୍ଷ ୫ହଜାର ୭୩୦ ଟଙ୍କା, ୧ଲକ୍ଷ ୯ହଜାର ୧୦୦ ଟଙ୍କା, ୧୧ହଜାର ଟଙ୍କା) ଓ ଆମ୍ବପୁଆରେ ଗୋଟିଏ ପ୍ଲଟ୍‌ (୨ଲକ୍ଷ ୧୭ହଜାର ୬୦୦ ଟଙ୍କା), ୧୦ ଲକ୍ଷ ୪୬ ହଜାର ଟଙ୍କାର ଇନସ୍ୟୁରାନ୍ସ୍, ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୯ଲକ୍ଷ ୬୯ହଜାର ୯୭୬ ଟଙ୍କାର ଘରକରଣା ସାମଗ୍ରୀ, ଦୁଇଟି ବାଇକ୍, ୮ ଲକ୍ଷ ୭୫ ହଜାର ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍‌ ଓ ନଗଦ ୫୦ହଜାର ୩୬୦ ଟଙ୍କା ସମେତ ପ୍ରାୟ ୧ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ସେହିପରି ଦିଗପହଣ୍ଡି ସହର ରାଜପୁର ରୋଡ଼୍‌ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିମ୍ ଛାନ୍‌ଭିନ୍ କରି ବଂଶୀଧରଙ୍କ ପ୍ରକୋଷ୍ଠରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।