ଆନ୍ତଃରାଜ୍ୟ ମାଫିଆଙ୍କ ଟାର୍ଗେଟରେ ବନ୍ଦ ଖଣି; ବେଧଡକ ଚୋର ହେଉଛି ମାଙ୍ଗାନିଜ୍‌ ପଥର, ଚାଲାଣ ହେଉଛି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ

ରାଉରକେଲା: ଖଣି ଚୋରଙ୍କ ଭୂସ୍ବର୍ଗ ପାଲଟିଛନ୍ତି ସୁନ୍ଦରଗଡ଼ର କୋଇଡା ଖଣି ଅଞ୍ଚଳ। ବି​ଶେଷକରି ଆନ୍ତଃରାଜ୍ୟ ମାଙ୍ଗନିଜ ପଥର ମାଫିଆ ସେଠାରେ ଖୁବ୍ ସକ୍ରିୟ ଅଛନ୍ତି। ସେମାନଙ୍କ ଟାର୍ଗେଟରେ ରହିଛି ବନ୍ଦ ପଡିଥିବା ମାଙ୍ଗାନିଜ୍‌ ଖଣି। ବିଶେଷ କରି ମାଙ୍ଗାନିଜ୍‌ ପଥର ଖଣି ଥିବା ମାଲଦା ଓ ପାଟମୁଣ୍ଡାରେ ଏ ଚୋରା କାରବାର ସବୁଠୁ ଅଧିକ। ମାଲଦା ପଞ୍ଚାୟତର ୮ଟି ଖଣି ବ୍ଲକ୍‌ ଟାଟା ଷ୍ଟିଲ ଅଧୀନରେ ଥିଲା। ଲିଜ୍‌ ଅବଧି ସରିବା ପରେ ଏସବୁ ଖଣି ଆନ୍ତଃରାଜ୍ୟ ମାଫିଆଙ୍କ ନଜରରେ ରହିଛି। ମାଲଦାର ଉପରପାଖ, ଗିଡେଇ, ଜଡିପଡା, ପାନପୋଷିଆ, କଳମଙ୍ଗ ଓ ରାଣୀଶାଳ ଆଦି ବନ୍ଦ ପଡିଥିବା ମାଙ୍ଗାନିଜ ଖଣିକୁ ଚୋରମାନେ ଲୁଟି ଚାଲିଛନ୍ତି। ଟ୍ରକ ଓ ଟିପ୍ପରରେ ଲୋଡିଂ ପରେ ଗଳାବାଟ ଦେଇ ତାହା କେନ୍ଦୁଝର ଖଣି ଅଞ୍ଚଳରେ ପହଞ୍ଚୁଛି। ସେଠାରୁ ସୀମାନ୍ତ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମାଙ୍ଗାନିଜ ଫେରୋ ପ୍ଲାଣ୍ଟକୁ ଚାଲିଯାଉଛି। ସବୁକିଛି ପରିଚାଳିତ ହେଉଛି ଆନ୍ତଃରାଜ୍ୟ ଖଣି ମାଫିଆଙ୍କ ଇଙ୍ଗିତରେ। ସେମାନଙ୍କୁ ସହାୟତା କରୁଛନ୍ତି ରୋଜଗାର ହରାଇଥିବା କିଛି ଶ୍ରମିକ ଓ ସ୍ଥାନୀୟ ମାଫିଆ, ଯେଉଁମାନେ ଆନ୍ତଃରାଜ୍ୟ ମାଫିଆଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଲୋଡିଂରୁ ଆରମ୍ଭ କରି ଗାଡ଼ିକୁ ସୀମା ପାର୍‌ କରିବା ପର୍ଯ୍ୟନ୍ତ ସବୁ କିଛି କାମ କରୁଛନ୍ତି। କିଛି ଖଣି ଅଞ୍ଚଳରେ ତ ଏହି ଦୁଇ ଶ୍ରେଣୀର ମାଫିଆଙ୍କର ପୂରା ରାଜ୍‌ ଚା​ଲିଛି। ସବୁ ଦେଖୁଥିଲେ ହେଁ ସ୍ଥାନୀୟ ଲୋକ ମୁହଁ ଖୋଲିବାକୁ ସାହସ କରୁ ନାହାନ୍ତି।

ଶାହା କମିସନ୍‌ଙ୍କ ହସ୍ତକ୍ଷେପ ପରେ କିଛି ମାତ୍ରାରେ ଖଣି ଚୋରି କମିଥିଲା। କିନ୍ତୁ ଗତ ୨-୩ ବର୍ଷ ଭିତରେ କୋଇଡାର ବନ୍ଦ ଖଣି ସମେତ ବିସ୍ତୀର୍ଣ୍ଣ ଜଙ୍ଗଲ ଭିତରୁ ମଧ୍ୟ ମାଙ୍ଗାନିଜ ପଥର ଚୋରି ନିତିଦିନିଆ ଘଟଣା ହୋଇ ଯାଇଛି। ରାତି ତମାମ ବିଭିନ୍ନ ବନ୍ଦ ଖଣିରୁ ଶହ ଶହ ଟନ୍‌ ମାଙ୍ଗାନିଜ ପଥର ପଡୋଶୀ ଜିଲ୍ଲା କେନ୍ଦୁଝର ଓ ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଛି। ଚୋରା ବଜାରରେ ମାଙ୍ଗାନିକ ପଥରର ଟନ୍‌ ପିଛା ମୂଲ୍ୟ ୧ ଲକ୍ଷରୁ ଅଧିକ ଟଙ୍କା। ଅତି ମୂଲ୍ୟବାନ ହୋଇଥିବାରୁ ଛୋଟ ଗାଡ଼ିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଏହି ପଥର ଚୋରିକରିବା ସମ୍ଭବ ହେଉଥିବାରୁ ଚୋରଙ୍କୁ ଭଲ ସୁହାଉଛି। ଏହି ଅଞ୍ଚଳରେ ଏକ ସର୍ବପୁରାତନ ଓଏମ୍‌ଏମ୍‌ ପାଟମୁଣ୍ଡା ମାଙ୍ଗାନିଜ୍‌ ଖଣି ରହିଛି, ଯାହା ଗତ ୨୦୧୮ ଜାନୁଆରିରୁ ବନ୍ଦ ହୋଇଯାଇଛି। ଏହି ଖଣିରେ ପାଟମୁଣ୍ଡା ପଞ୍ଚାୟତର ପ୍ରାୟ ୧୪୦୦ ଶ୍ରମିକ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବନ୍ଦ ପଡିଥିବା ଏହି ଖଣି ବର୍ତ୍ତମାନ ସରକାରଙ୍କ ଅଧୀନରେ ରହିଛି। ଖଣି ମଧ୍ୟରେ ପୂର୍ବରୁ ଉତ୍ତୋଳିତ ଉଚ୍ଚମାନର ମାଙ୍ଗାନିଜ (ଡାଇ-ଅକ୍ସାଇଡ୍) ପଥର ବହୁମାତ୍ରାରେ ପଡ଼ିଛି। ଏହାକୁ ଚୋରମାନେ ଲୁଟି ଚାଲିଛନ୍ତି। ଖଣି ବିଭାଗ ଓ ବନ ବିଭାଗ ସହିତ ପୁଲିସ ଏଥିପ୍ରତି କୌଣସି କଡ଼ା ପଦକ୍ଷେପ ନେଉ ନଥିବାରୁ ଏହାର ଭରପୂର ଫାଇଦା ଉଠାଉଛନ୍ତି ମାଫିଆ।

ପାଟମୁଣ୍ଡା ଗ୍ରାମବାସୀମାନେ ଏ ସମ୍ପର୍କରେ ଖଣି ବିଭାଗ ଓ ବନ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ଏଯାଏ ପତ୍ରଟିଏ ହଲିନାହିଁ। ତେଣୁ ଏହି ଖଣି ଚୋରିକୁ ବିଭାଗୀୟ ଅଧିକାରୀମାନେ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଉଲ୍ଲେଖନୀୟ ଯେ ବିଗତ ଦିନରେ କୋଇଡା ଥାନା‌ ଓ ଟେନ୍‌ସା ଫାଣ୍ଡି ପୁଲିସ କିଛି ମାଙ୍ଗାନିଜ ବୋଝେଇ ପିକ୍‌-ଅପ୍‌ ଓ ଡମ୍ପରକୁ ଅବଶ୍ୟ ଜବତ କରିଛି। କିନ୍ତୁ ନିଜସ୍ବ ଉଦ୍ୟମରେ ନୁହେଁ। ଯେଉଁ ଖଣିଜ ବୋଝେଇ ଯାନଗୁଡ଼ିକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବା ଖାଲଖମାରେ ଫସିବା ପରେ ବାଧ୍ୟହୋଇ ଅଟକି ଯାଇଛନ୍ତି, ସ୍ଥାନୀୟ ଗ୍ରାମବାସୀ ସେ ବିଷୟରେ ପୁଲିସକୁ ସୂଚନା ଦେଇଛନ୍ତି ଓ ପୁଲିସ ଆସି ଉକ୍ତ ଡ଼ମ୍ଫର ବା ପିକ୍‌-ଅପ୍‌କୁ ଜବତ କରିଛି। କିଛି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଏହା ପଛରେ ଥିବା ଅସଲ ଅପରାଧୀ ବା କିଣୁଥିବା ବଡ଼ ବ୍ୟବସାୟୀ ବା କାରଖାନା ମାଲିକଙ୍କ ପାଖରେ ଆଇନର ହାତ ପହଞ୍ଚି ନାହିଁ। ମାସକୁ କୋଟି କୋଟି ଟଙ୍କାର ମୂଲ୍ୟବାନ ଖଣିଜ ଚୋରି ହେଉଥିବାବେଳେ ସଂପୃକ୍ତ ବିଭାଗଗୁଡ଼ିକ ନିରବ ରହିଛନ୍ତି କାହିଁକି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଏହି ଚୋରିକୁ କେନ୍ଦ୍ରକରି ମୁଣ୍ଡ ମଧ୍ୟ ଗଡୁଛି।

ସମ୍ବନ୍ଧିତ ଖବର