ଝାରସୁଗୁଡ଼ା: ଖଣିଜ ସଂପଦରେ ଭରପୁର ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଖଣି ଖାଦାନର ପରିଚାଳନା ପାଇଁ ମାଇନିଂ ଅଫିସ ନଥିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଜିଲ୍ଲାରେ ୧୦ ରୁ ଅଧିକ କୋଇଲା ଖଣି ରହିଥିବା ବେଳେ ଲଘୁ ଖଣିଜ ସଂପଦ ଉତ୍ତୋଳନ ସ୍ଥାନର କୌଣସି ହିସାବ ନାହିଁ। ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିଚାଳନା ପାଇଁ ସରକାରୀ ନୀତି ନିୟମ ଅନୁଯାୟୀ ମାଇନିଂ ଅଫିସ ଏହାର ତତ୍ବାବଧାନ କରୁଥିବା ବେଳେ ଜିଲ୍ଲାରେ ଥିବା ମାଇନିଂ ଅଫିସକୁ ବନ୍ଦ କରି ଦିଆଯାଇଥିଲା। ଜିଲ୍ଲାରେ କାହିଁକି ମାଇନିଂ ଅଫିସ ବନ୍ଦ ହେଲା ତାର ଉତ୍ତର କାହାରି ପାଖରେ ନାହିଁ। ତେବେ ମାଇନିଂ ଅଫିସ ଏଠାରୁ ଉଠିଯିବା ପରେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଜିଲ୍ଲାର ଖଣି ମାଫିଆ ମାନେ।
ପ୍ରାୟ ୨୦୧୦ ମସିହା ଯାଏଁ ଝାରସୁଗୁଡ଼ା ଜିଲ୍ଲାରେ ସହକାରୀ ମାଇନିଂ ଅଫିସରଙ୍କ ଏକ କାର୍ଯ୍ୟାଳୟ ସୁରୁଖୁରରେ ଚାଲୁଥିଲା। ଅଫିସରେ ପ୍ରାୟ ୧୦ ଜଣ କର୍ମଚାରୀ ନିୟୋଜିତ ମଧ୍ୟ ଥିଲେ। ସହକାରୀ ମାଇନିଂ ଅଫିସର ଥିବା ବିମ୍ବାଧର ସେଠୀଙ୍କ ବଦଳି ପରେ ଝାରସୁଗୁଡ଼ା ଅଫିସକୁ ଆଉ ନୂତନ ଅଧିକାରୀ ଦିଆଗଲା ନାହିଁ। କିଛି ଦିନ କେବଳ କିରାଣୀ ଓ ଅମଲାଙ୍କ ଦ୍ବାରା ଅଫିସ ପରିଚାଳିତ ହେଲା। ଏହି କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ମଧ୍ୟ ପରେ ଅନ୍ୟତ୍ର ବଦଳି କରି ଦିଆଗଲା। ଆଉ କିଛି କର୍ମଚାରୀଙ୍କ କାର୍ଯ୍ୟକାଳ ସରିଗଲା। ଫଳରେ ମନକୁ ମନ ସହକାରୀ ମାଇନିଂ ଅଫିସ ବନ୍ଦ ହୋଇ ଯାଇଥିଲା। ଆଜିବି ଅଫିସ ଭିତରେ ଅନେକ ଫାଇଲ ପତ୍ର ପଡ଼ି ରହିଥିବା କୁହାଯାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୁତକୋଠି ଭାବରେ ପଡ଼ିଥିବା ଏହି କୋଠା ପରିତ୍ୟକ୍ତ ହୋଇ ପଡ଼ି ରହିଛି।
ଜିଏସ୍ଟି ଲାଗୁ ହେବାପରେ ୨୦୧୭ରେ ସରକାର ମାଇନିଂ ଚେକ୍ଗେଟ୍ ଗୁଡ଼ିକୁ ଉଚ୍ଛେଦ କଲେ। ଫଳରେ ସେଥିରେ ନିୟୋଜିତ କର୍ମଚାରୀ ମଧ୍ୟ ଅନ୍ୟ ଆଡ଼େ ଚାଲିଯାଇଥିଲେ। ଏହି ପରି ଭାବରେ ଝାରସୁଗୁଡ଼ାରେ ପରିଚାଳିତ ସହକାରୀ ମାଇନିଂ ଅଫିସ ବନ୍ଦ ହୋଇ ଯାଇଥିଲା। ତେବେ କେଉଁ କାରଣ ପାଇଁ ସରକାର ନୂତନ ଅଧିକାରୀ ଦେଲେ ନାହିଁ, ବର୍ତ୍ତମାନ ଝାରସୁଗୁଡ଼ା ଖଣି ସଂକ୍ରାନ୍ତୀୟ ହିସାବ କିତାବ କାହା ଦ୍ବାରା ପରିଚାଳିତ ଏବଂ ଜିଲ୍ଲାରୁ ମାଇନିଂ ଅଫିସ ଉଠାଇ ନେବାର କାରଣ ସମ୍ପର୍କରେ ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ। ଝାରସୁଗୁଡ଼ା ଜିଲ୍ଲାରେ ଏମ୍ସିଏଲ୍ ପରିଚାଳନାଧୀନ ତିନୋଟି କୋଇଲା କ୍ଷେତ୍ର ରହିଛି। ଲଖନପୁର କୋଇଲା କ୍ଷେତ୍ର ଅଧୀନରେ ଲଖନପୁର, ବେଲପାହାଡ଼ ଓ ଲିଲାରି ଭଳି ତିନୋଟି ଖୋଲାମୁହଁ କୋଇଲା ଖଣି ରହିଛି। ସେହିପରି ଇବ୍ ଭ୍ୟାଲି କୋଇଲା କ୍ଷେତ୍ର ଅଧୀନରେ ସମଲେଶ୍ବରୀ ଏବଂ ଲଜକୁରା ଭଳି ଦୁଇଟି ଖୋଲାମୁହଁ କୋଇଲା ଖଣି ରହିଛି।
ଅପରପକ୍ଷେ ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ କୋଇଲା କ୍ଷେତ୍ର ଅଧୀନରେ ବୋନ୍ଦିଆ, ମାଇନ୍ସ ନମ୍ବର ୧, ୨, ୩ ଓ ୪ ମୋଟ ପାଞ୍ଚୋଟି କୋଇଲା ଖଣି ରହିଛି। ମାଇନିଂ ନିୟମାବଳି ଅନୁସାରେ ଦୈନନ୍ଦିନ ଭିତ୍ତିରେ ଜିଲ୍ଲାରୁ ଉତ୍ତୋଳନ ହେଉଥିବା ଖଣିଜ ପଦାର୍ଥ ସମ୍ପର୍କିତ ତଥ୍ୟ ମାଇନିଂ ଅଫିସରେ ଦାଖଲ କରାଯିବା କଥା। କିନ୍ତୁ ଏହି ସବୁ ତଥ୍ୟ କେଉଁଠି ଦାଖଲ ହେଉଛି ତାର ସ୍ପଷ୍ଟୋକ୍ତି ନାହିଁ। ସେହିପରି ଏତେ ସବୁ କୋଇଲା ଖଣିରୁ ନିୟମିତ ଭାବେ କୋଇଲା ଚୋରି ଜାରି ରହିଛି। ସରକାରୀ ରାଜସ୍ବ ଚୋର ଖାଉଛନ୍ତି। କୋଇଲା ଉତ୍ତୋଳନ ଠାରୁ ପରିବାହନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ହେଉଥିବା ବଟି ଆଦାୟରେ ରାଜନେତା, ବିଭିନ୍ନ ଅଧିକାରୀ, ପୁଲିସ ଓ ଦାଦା ବଟି ନେଇ ଜାଣିଥିଲେ ମଧ୍ୟ ଏହା ଉପରେ କେହି ଅଙ୍କୁଶ ଲଗାଇ ପାରୁନାହାଁନ୍ତି। ପୁଲିସ କୋଇଲା ଚୋରଙ୍କୁ ଧରି ସାଧାରଣ ଚୋରି ମାମଲା ଦାୟାର କରି ବସି ଯାଉଛି। ଏହାଦ୍ବାରା କୋଇଲା ଚୋରଙ୍କ ଦୌରାତ୍ମ୍ୟ ବଢ଼ି କୋଇଲା ଚୋରି ଖୋଲାଖୋଲି ଚାଲୁଛି। କୋଇଲା ବ୍ୟତୀତ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ମଧ୍ୟ ବିପୁଳ ପରିମାଣରେ ରହିଛି ହେଲେ ତଦାରଖ ଅଭାବରୁ ଏହାର ନିୟନ୍ତ୍ରଣ ରାଜସ୍ବ ବିଭାଗର କିଛି ଅସାଧୁ ଅଧିକାରୀ ଓ ମାଫିଆ ମାନଙ୍କ ହାତକୁ ଚାଲି ଯାଇଛି।
ଜିଲ୍ଲାରେ ୫ ଟି ବ୍ଲକରେ ୬୯ ଟି ପଥର କ୍ବାରୀ ଓ ବାଲିଘାଟ ରହିଛି। ମାତ୍ର ଦାଖଲ ରାଜସ୍ବ ଠାରୁ ଲିଜଧାରୀ ମାନେ ହଜାରେ ଗୁଣା ଅଧିକ ପଥର ଓ ବାଲି ଚାଲାଣ କରୁଛନ୍ତି । ନିଲାମ ହୋଇନଥିବା ଘାଟରୁ ବାଲି ଉଠା ଯାଉଥିବା ବେଳେ ଜଙ୍ଗଲ ଭିତରୁ ବେଆଇନ ପଥର ଖନନ ଚାଲିଛି। ଏହାକୁ ରୋକିବାରେ ସରକାରୀକଳ ସଫଳ ହୋଇ ପାରୁ ନାହିଁ। ଆବଶ୍ୟକ ସ୍ଥଳେ ସମ୍ବଲପୁର ମାଇନିଂ ଅଫିସରୁ କର୍ମଚାରୀ ଆସି ଏଠାରେ ତଦାରଖ କରିଥାନ୍ତି।