ଏସ୍‌ସିବିର ନିରାମୟ କେନ୍ଦ୍ର କାଉଣ୍ଟରରେ ଅବ୍ୟବସ୍ଥା, ପୁରୁଷ-ମହିଳା ଗୋଟିଏ ଧାଡ଼ିରେ

କଟକ: ଔଷଧ ନେବା ପାଇଁ ଗୋଟିଏ ଲାଇନ୍‌ରେ ସମସ୍ତେ। ଅର୍ଥାତ୍‌ ପୁରୁଷ/ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା ନାହିଁ। ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି କଟକ ବଡ଼ ଡାକ୍ତରଖାନା ରଞ୍ଜନରଶ୍ମୀ ବିଭାଗ ସମ୍ମୁଖରେ ଥିବା ନିରାମୟ କେନ୍ଦ୍ରରେ। ଭିଡ଼ରେ ଗୋଟିଏ ଲାଇନ୍‌ରେ ଔଷଧ ନେବା ପାଇଁ ଅପେକ୍ଷା କରିଛନ୍ତି ‌ରୋଗୀ ଓ ରୋଗୀ ସଂପର୍କୀୟ। ଏସ୍‌ସିବିରେ ପ୍ରତିଦିନ ହଜାର ହଜାର ଲୋକ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଭଳି ଗୋଟିଏ ଲାଇନ୍‌ରେ ନିରାମୟ ଔଷଧ ନେବା ପାଇଁ ଠେଲାପେଲା ଭଳି ସ୍ଥିତି ଉପୁଜୁଛି। ଏସ୍‌ସିବିରେ ୪ଟି ନିରାମୟ କାଉଣ୍ଟର ଥିବାବେଳେ ସେଥିରୁ ଗୋଟିଏ କେବଳ ଓପିଡି ରୋଗୀ ଓ ଗୋଟିଏ ଆଇପିଡି ରୋଗୀଙ୍କ ପାଇଁ ରହିଛି। ଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି।
କରୋନା ପାଇଁ କମିଥିଲା ରୋଗୀଙ୍କ ସଂଖ୍ୟା। କିନ୍ତୁ ଜୁଲାଇ ପ୍ରଥମ ସପ୍ତାହରୁ ବୃଦ୍ଧି ପାଇଲାଣି ଆଉଟ୍‌ଡୋର ରୋଗୀଙ୍କ ସଂଖ୍ୟା। ଫଳରେ ନିଦାନ ବିଭାଗଠାରୁ ଆରମ୍ଭ କରି ନିରାମୟ କେନ୍ଦ୍ର ପର୍ଯ୍ୟନ୍ତ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏସ୍‌ସିବିରେ ୪ଟି ନିରାମୟ କେନ୍ଦ୍ର ଥିବାବେଳେ ତାହା‌ ରୋଗୀଙ୍କ ଆବଶ୍ୟକତା ପୂରଣ କରି ପାରୁନି। ସବୁବେଳେ ଭିଡ ରହୁଛି। ଗୋଟିଏ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ, ଗୋଟିଏ ଦୃଦ୍‌ରୋଗ ବିଭାଗରେ ରହିଛି। ଫଳରେ ସେହି ଦୁଇଟି କାଉଣ୍ଟର ଉପରେ ଉକ୍ତ ବିଭାଗର ରୋଗୀ ନିର୍ଭର କରୁଛନ୍ତି। ଓପିଡି ପାଇଁ ଗୋଟିଏ କାଉଣ୍ଟର ଥିବା ବେଳେ ତାରି ଉପରେ ୩୪ଟି ବିଭାଗର ରୋଗୀ ନିର୍ଭର କରନ୍ତି। ଯଦିଓ ସବୁ ବିଭାଗର ସବୁ ଦିନ ଓପିଡି ନଥାଏ କିନ୍ତୁ ମେଡିସିନ୍‌ ଓ କିଛି ନିର୍ଦ୍ଦିଷ୍ଟ ବିଭାଗର ସବୁଦିନ ଓପିଡି ରହୁଛି। ଅନ୍ୟଟି କେବଳ ଆଇପିଡି ବା ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ରହିଛି। ଯାହାକି ୨୪ ଘଣ୍ଟିଆ ସେବା ଯୋଗାଉଛି। ହେଲେ ବର୍ହିବିଭାଗ ପାଇଁ ଥିବା ଗୋଟିଏ କାଉଣ୍ଟର ଉପରେ ସବୁ ଓପିଡି ରୋଗୀ ନିର୍ଭର କରୁଥିବାରୁ ମନଇଚ୍ଛା ସେଠାରେ ଲାଇନ୍‌ ବ୍ୟବସ୍ଥା କରାଯାଉଛି। ବେଳେ ବେଳେ ଗୋଟିଏ ତ ପୁଣି କେତେବେଳେ ଇଚ୍ଛା ଅନୁସାରେ ଦୁଇଟି ଲାଇନ୍‌ କରାଯାଉଛି। ଯାହାଫଳରେ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି। ଏସ୍‌ସିବିରେ ନିରାମୟ କାଉଣ୍ଟର ସଂଖ୍ୟା ବୃଦ୍ଧି ପାଇଁ ବାରମ୍ବାର ଯୋଜନା କରାଯାଉଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରୁନି।

ସମ୍ବନ୍ଧିତ ଖବର