ମିଶନ ଶକ୍ତି ଏକ କୋଟି ମା’ଙ୍କର ବିରାଟ ଆନ୍ଦୋଳନ ହେବାକୁ ଯାଉଛି : ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା’ଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି । ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶାର ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା’ମାନେ ଖୁବ ସ୍ଵାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତି କୁ ଚଳ ଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସଚିବାଳୟ ରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତାକୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା’ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

File Photo

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୂରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।

ମିଶନ ଶକ୍ତିର କମିଶନର ତଥା ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ରେ ମିସନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିସନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା’ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା’ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।

ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିସନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ , ମୋବାଇଲ ଆପ ଓ ବ୍ଯାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର  ବିଲୋପ ପାଇଁ ଆଇଇସି ପ୍ୟାକେଜର  ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା , ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର