ଏମଏଲଏ କ୍ୱାର୍ଟର୍ସ ଭଙ୍ଗା ଆରମ୍ଭ : ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା, ରହିବ ସମସ୍ତ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ବର:  ବିଧାନସଭାର ପୁରୁଣା ଏମଏଲଏ କ୍ୱାର୍ଟର୍ସ ଉପରେ ଚାଲିଲା ବୁଲଡୋଜର । ୪୨ଟି ଏଫ୍ ଓ ଆର୍ ଟାଇପ୍ ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଏସବୁ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ନୂଆ କୋଠା ତିଆରି ହେବ । ଖୁବ୍ ଶୀଘ୍ର ୧୫୦ ଜଣ ବିଧାୟକଙ୍କ ରହିବା ପାଇଁ ବହୁତଳ ବିଶିଷ୍ଟ କୋଠା ଘର ତିଆରି କରାଯିବ ।

ତେବେ ଏହି ସ୍ଥାନରେ ୯ ଓ ୧୦ ମହଲା କୋଠା ତିଆରି ହେବ । ଏଠାରେ ହେବାକୁ ଥିବା ଆପାର୍ଟମେଣ୍ଟଗୁଡ଼ିକ ସାତ ବଖରା ବିଶିଷ୍ଟ ହେବ । ଏହା ସହ ଜିମ୍, ସ୍ୱିମିଂପୁଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ ।

ସେପଟେ କ୍ୱାର୍ଟର୍ସ ଭଙ୍ଗାକୁ ନେଇ ବାଚସ୍ପତି କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଥର ନିର୍ବାଚିତ ବିଧାୟକଙ୍କୁ ଡି-ଟାଇପ କଲୋନୀରେ ବର୍ତ୍ତମାନ ଥଇଥାନ କରାଯିବ । ଏମଏଲଏ କଲୋନିରେ ଥିବା ୪୨ଟି ଘର ମଧ୍ୟରୁ ୨୨ଟି ଘର ଖାଲି ହୋଇ ସାରିଛି । ପ୍ରଥମେ ସେଗୁଡାକ ଭଙ୍ଗାଯିବ । ଆଉ ଖୁବଶୀଘ୍ର ବିଧାୟକମାନେ ଅନ୍ୟ ଘରଗୁଡ଼ିକ ମଧ୍ୟ ଖାଲି କରିବେ ।

୨୦ ଏକର ଜାଗାରୁ ବର୍ତ୍ତମାନ ୧୨ ଏକର ଜାଗାରେ ୩ଟି ୧୦ ମହଲା ଓ  ୫ଟି ୯ ମହଲା ବିଶିଷ୍ଟ କୋଠା ପାଇଁ ସମସ୍ତ ସୁବିଧା ସୁଯୋଗ ଥାଇ ଅତ୍ୟାଧୁନିକ ଆପାର୍ଟମେଂଟ ନିର୍ମାଣ ହେବ। ଦିଲ୍ଲୀରେ ସାଂସଦମାନେ ଯେଉଁ ସୁବିଧା ପାଉଛନ୍ତି, ଏଠାରେ ବିଧାୟକମାନଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ସମ୍ବନ୍ଧିତ ଖବର