ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ଏବେ ରାଜ୍ୟରେ ପୁଣି ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ନୂଆକରି ଚିହ୍ନଟ ହୋଇଥିବା ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରେ ୫ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ୍ ହିଷ୍ଟ୍ରି ଥିବାବେଳେ, ଆଉ ୧୯ ଜଣ କମ୍ୟୁନିଟି ସାମ୍ପୁଲରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ମୋଟ ୨୧୮ ନମୁନା ପରୀକ୍ଷଣରୁ ଏହି ପଜିଟିଭ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ସୂଚନା ଦେଇଛି । ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୬୧ରେ ପହଂଚିଛି।

Advertisment

ଓଡ଼ିଶାରେ ଓମିକ୍ରନ୍‌ ମାମଲା

ଜାନୁଆରି ୫- ୨୪
ଜାନୁଆରି ୨ – ୨୩
ଡିସେମ୍ବର ୩୦ – ୫
ଡିସେମ୍ବର ୨୯ – ୧
ଡିସେମ୍ବର ୨୬ – ୪
ଡିସେମ୍ବର ୨୩ – ୨
ଡିସେମ୍ବର ୨୧ – ୨

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ରବିବାର ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶ (ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆ) ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ବିଦେଶ ଫେରନ୍ତାଙ୍କ ସଂପର୍କରେ ଆସିଥିଲେ। ଅନ୍ୟ ୧୦ ଜଣ ବିଦେଶ ଯାଇ ନାହାନ୍ତି କି ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନାହାନ୍ତି। ତେଣୁ ସେମ‌ାନେ କିପରି ଓମିକ୍ରନ ସଂକ୍ରମିତ ହେଲେ, ‌ତାହାର ଅନୁଧ୍ୟାନ କରାଯାଉଛି।  ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ନାଇଜେରିଆ ଏବଂ କତାରରୁ ଫେରିଥିଲେ।