ରାୟଗଡ଼ା: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସହରର ଡିଏଫଓ କଲୋନି ପଛପାର୍ଶ୍ବ ହରିଜନ ସାହିରୁ ୧୧ ଆକ୍ରାନ୍ତ ଚିହ୍ନଟ ପରେ ସାହିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସ୍ ଟିମ୍ ସାହିରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ମାଧ୍ୟମରେ ୩୭ ସ୍ବାବ ସଂଗ୍ରହ କରିବା ପରେ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଗୋଟିଏ ସାହିରୁ ୧୬ ପଜିଟିଭ୍ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ଫୋକସ୍ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି। କିନ୍ତୁ ସ୍ବାବ ଦେବା ପାଇଁ ଅଧିକାଂଶ ସାହିବାସିନ୍ଦା ରାଜି ହେଉନଥିବାରୁ ସ୍ବାସ୍ଥ୍ୟ ବିଭାଗ ପାଇଁ ସମସ୍ୟା ସୃଷ୍ଟି ହୋଇଛି।

Advertisment

କରୋନା ତୃତୀୟ ଲହରୀ ଆସିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ସାହି, ବସ୍ତିରେ ସ୍ବାବ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି। ସହରର ଅନ୍ୟ ବସ୍ତି ପରି ଗତକାଲି ସ୍ବାସ୍ଥ୍ୟ ବିଭାଗ ଟିମ୍ ହରିଜନ ସାହିରେ ପହଞ୍ଚିବା ପରେ ୧୧ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସଙ୍ଗେ ସଙ୍ଗେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଉକ୍ତ ସାହିକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇ ସାହିର ଉଭୟ ପାର୍ଶ୍ବକୁ ସିଲ୍ କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ୍ ମୁତୟନ କରାଯାଇ ସାହି ବାସିନ୍ଦାଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ଆଜି ନଗର ଚିକିତ୍ସାଳୟର ଏକ ଟିମ୍ ହରିଜନ ସାହିରେ ପହଞ୍ଚି ସ୍ବାବ ସଂଗ୍ରହ ପାଇଁ ଲୋକଙ୍କୁ ବୁଝାଇଥିଲେ। ଉକ୍ତ ସାହିର ଅଧିକାଂଶ ଲୋକ ପରିବା ବିକାଳୀ, ଦିନ ମଜୁରିଆ ଭାବେ କାମ କରୁଥିବାରୁ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି। କୌଣସି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ନଥିବାରୁ ପୂଜା, ପାର୍ବଣ ଭୋଜିକାର୍ଯ୍ୟରେ ଯୋଗଦେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି। ତେବେ ହରିଜନ ସାହିର ଲୋକଙ୍କୁ ବୁଝାଶୁଝା କରି ଅଧିକ ସ୍ବାବ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ସମସ୍ତ ଆକ୍ରାନ୍ତ ଗୃହସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡ଼ିସିନ୍ କିଟ୍ ସହ ସତର୍କତା ସଂପର୍କରେ ଆକ୍ରାନ୍ତଙ୍କୁ ଅବଗତ କରାଯାଇଛି। ସ୍ବତନ୍ତ୍ର ମେଡ଼ିକାଲ୍ ଟିମ୍ ଓ ଫାର୍ମାସିଷ୍ଟ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।

ଗତକାଲି ହରିଜନ ସାହିରୁ ୭, ମସଜିଦ ଲାଇନରୁ ୪, ବୁଦୁରାଉଲ୍ଲାସରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପୁଣି ହରିଜନ ସାହିରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହରିଜନ ସାହି କଣ୍ଟେନମେଣ୍ଟ୍ ଜୋନର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଏସିଏସଓ ସିଏଚ୍. ମୁରଲୀକ୍ରିଷ୍ଣା, ପୌର ନିର୍ବାହୀ ଅଧିକାରୀ ୟାସିର୍ ବିଲାଲ ଅହମ୍ମଦ, ପରିମଳ ସଫେଇ ପାଇଁ ସାନିଟାରୀ ଇନସପେକ୍ଟର୍ ଭି. ରାଜୁ, ସ୍ବାସ୍ଥ୍ୟ ସେବା ପାଇଁ ସହରାଞ୍ଚଳ ମେଡ଼ିକାଲ୍ ଅଧିକାରୀ ଓ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରାକୁ ନିଯୁକ୍ତ କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସରକାରୀ ରିପୋର୍ଟରେ ଆଜି ରାୟଗଡ଼ାରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଉଲ୍ଲେଖ ରହିଛି। ଆଜି ସୁଦ୍ଧା ଜିଲ୍ଲାରୁ ୨୦ ହଜାର ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୯୨୮ ସୁସ୍ଥ ହୋଇଛନ୍ତି। ୩୨ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ୧୬୦ ଜଣଙ୍କ ମୃତ୍ୟୁ ହୋଇଛି।