ପତ୍ରିକା ବଜାରରେ ୮୦ରୁ ଅଧିକ ବିଶେଷାଙ୍କ: କରୋନା ପରେ ବଢ଼ିଛି ଆଦର

ଖଣ୍ଡଗିରି : ପ୍ରତିବର୍ଷ ଦଶହରା ଅବସରରେ ଓଡ଼ିଆ ପତ୍ରିକା ବଜାର ଚଳଚଞ୍ଚଳ ହୋଇପଡ଼େ। ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଏ ପାର୍ବଣ ବିଶେଷାଙ୍କ। ସମ୍ପ୍ରତି ପାଠକ ସଂଖ୍ୟା ବେଶ୍ ହ୍ରାସ ପାଇଥିଲେ ବି ଏହି ପାର୍ବଣ ଅବସରରେ ପତ୍ରିକା ବଜାରରେ ଭିଡ଼ ଜମେ। ପାଠକମାନେ ନିଜ ନିଜର ପ୍ରିୟ ପ୍ରାବନ୍ଧିକ, ଲେଖକ, ଗାଳ୍ପିକ ଓ କବିଙ୍କୁ ଖୋଜନ୍ତି। ନୂଆ ନୂଆ ଲେଖକମାନଙ୍କ ଆତ୍ମପ୍ରକାଶ ପାଏ। ବିଭିନ୍ନ ଶାରଦୀୟ ବିଶେଷାଙ୍କରେ ନୂଆ ଲେଖକମାନଙ୍କୁ ସୁଯୋଗ ମିଳେ। ତେଣୁ ସାହିତ୍ୟାନୁରାଗୀମାନେ କେବଳ ପୁରୁଣା ନୁହେଁ, ନୂଆ ଲେଖକମାନଙ୍କୁ ପଢ଼ିବାକୁ ଅପେକ୍ଷା କରନ୍ତି ଏହି ପୂଜା ଅବସରରେ। ଗତବର୍ଷଠାରୁ କରୋନା ମହାମାରୀ ପତ୍ରିକା ବଜାରକୁ ମାନ୍ଦା କରିଥିଲା। ଲୋକେ ମହାମାରୀ ସହ ସଂଘର୍ଷ କରୁଥିଲେ। ମାତ୍ର ଚଳିତ ବର୍ଷ ପୁଣି ପତ୍ରିକା ବଜାର ଚଳଚଞ୍ଚଳ ହୋଇପଡ଼ିଛି। ବଜାରରେ ବହୁ ବିଶେଷାଙ୍କ ଆସ୍ଥାନ ଜମାଇଲେଣି। ପାଠକମାନେ ବଜାରକୁ ଆସି ପାର୍ବଣ ବିଶେଷାଙ୍କ କିଣିବାରେ ଲାଗିଛନ୍ତି।

ଏବେ ପତ୍ରିକା ବଜାରରେ ପାଖାପାଖି ୮୦ ବିଶେଷାଙ୍କ ବିକ୍ରି ହେଉଛି। ଆହୁରି ୨୦ରୁ ଅଧିକ ପତ୍ରିକା ପ୍ରକାଶ ପାଇବାକୁ ଯାଉଛି। ତେଣୁ ଚଳିତବର୍ଷ ବିଶେଷାଙ୍କ ସଂଖ୍ୟା ଶହେ ଛୁଇଁବା‌ ଆଶା କରାଯାଉଛି। ଏହା ଓଡ଼ିଆ ପତ୍ରିକା ଜଗତ ପାଇଁ ଏକ ଶୁଭ ଲକ୍ଷଣ ବୋଲି ମନେ କରାଯାଉଛି। ଭୁବନେଶ୍ବର ପୁରୁଣା ବସ୍‌ଷ୍ଟାଣ୍ଡର ସାହିତ୍ୟ ଖଟିରେ ପ୍ରକାଶ ପାଇଥିବା ବିଭିନ୍ନ ପତ୍ରିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନୂଆ ନୂଆ ଲେଖକ ଓ କବିମାନେ ଖଟିକୁ ଆସି ବରିଷ୍ଠମାନଙ୍କ ପରାମର୍ଶ ନେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଲେଖାକୁ ନେଇ ଚାଲିଛି ‌ସରଗରମ ଚର୍ଚ୍ଚା। କେବଳ ପାଠକ ନୁହଁନ୍ତି, ନୂଆ ଲେଖକ ଓ କବିମାନେ ମଧ୍ୟ ଚର୍ଚ୍ଚିତ ଲେଖା ପ୍ରକାଶ ପାଇଥିବା ଶାରଦୀୟ ବିଶେଷାଙ୍କ କିଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ବଜାରରେ ଉପଲବ୍ଧ ପତ୍ରିକାଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ କରି ୨୭୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ବଜାରକୁ ଆସିଥିବା ପତ୍ରିକାମାନଙ୍କ ମଧ୍ୟରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ, କଥା, କାଦମ୍ବିନୀ, ଝଙ୍କାର, ସୁଧନ୍ୟା, ସମାରୋହ, ପ୍ରାଚୀଧାରା, ନିଶବ୍ଦ, ପଲକ, ପରାଗ, ଶତଦ୍ରୁ, ଗୋକର୍ଣ୍ଣିକା, ଘାସଫୁଲ, ଅମୃତନୟନା, ତୀରତରଙ୍ଗ, ଶିବାନୀ, ଆଇନା, ପଶ୍ଚିମା, କାହାଣୀ, ସତ୍ୟବାଦୀ, ପକ୍ଷୀଘର, ମହୁରୀ, ସାହିତ୍ୟ ଦର୍ପଣ, ବନଫୁଲ, ନବଲିପି, ଆକାଂକ୍ଷା, ଅକ୍ଷାଂଶ, ପ୍ରେମପୃଥିବୀ, ସୀମାନ୍ତ, ଶିଳାଶ୍ରୀ ଓ ଗୌରବ ଆଦି ବିଶେଷାଙ୍କ ପାଠକମାନଙ୍କୁ ଆକର୍ଷିତ କରୁଛନ୍ତି।

ସରକାରଙ୍କ ପ୍ରୋତ୍ସାହନ ଲୋଡ଼ା

ଗତ ୧୦ ବର୍ଷ ହେବ ବହି ତୁଳନାରେ ଅଧିକ ସଂଖ୍ୟାରେ ପତ୍ରିକା ପ୍ରକାଶ ପାଉଛି। ଅଧିକାଂଶ ପତ୍ରିକା ବର୍ଷକୁ ଥରେ ପୂଜା ବିଶେଷାଙ୍କ ଆକାରରେ ପ୍ରକାଶ ପାଉଛି। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ପୂଜା ବିଶେଷାଙ୍କ ବିକ୍ରି ହେଉଛି। ବର୍ଷକରେ ଥରେ ହେଉ ପଛେ, ପୂଜା ବିଶେଷାଙ୍କ ଅନେକ ପାଠକଙ୍କୁ ପଢ଼ିବାର ଖୋରାକ ଯୋଗାଉଛି। ତେବେ ସରକାର ପତ୍ରିକା ପ୍ରକାଶକମାନଙ୍କୁ ସହଯୋଗ କଲେ, ଅନେକ ପତ୍ରିକା ନିଜର ସ୍ଥିତି ସୁଦୃଢ଼ କରିପାରନ୍ତେ। ଫଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଅଧିକ ହୋଇପାରନ୍ତା। ଆର୍ଥିକ ସଂକଟ କାରଣରୁ ଅନେକ ପତ୍ରିକା ଅଣ୍ଟା ସଳଖି ପାରୁନାହାନ୍ତି। ତେଣୁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟମାନଙ୍କରେ ସରକାର ସେମାନଙ୍କ ଭାଷାର ପତ୍ରିକାଗୁଡ଼ିକୁ ସହାୟତା ଯୋଗାଉଛନ୍ତି। ବିଜ୍ଞାପନ ମାଧ୍ୟମରେ ସମ୍ପାଦକମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ଫଳରେ ପତ୍ରିକା ମୂଲ୍ୟ କମ୍ ହୋଇପାରୁଛି ଓ ସବୁ ବର୍ଗର ପାଠକମାନେ ବହି ଖଣ୍ଡିଏ କିଣିବାକୁ ମନ କରୁଛନ୍ତି।
ବିଭୂତି ପଟ୍ଟନାୟକ, ଔପନ୍ୟାସିକ

ସାହିତ୍ୟ ଚିରକାଳ ଅମର
ମହାମାରୀ କରୋନା ପତ୍ରିକା ବଜାରକୁ ମାନ୍ଦା କରିଛି। କିନ୍ତୁ ତାହା ସାହିତ୍ୟକୁ ପ୍ରଭାବିତ କରିପାରିବ ନାହିଁ। ପରିସ୍ଥିତି ସଂକଟଜନକ ଥିଲେ ମଧ୍ୟ ଓଡ଼ିଆ ପତ୍ରିକା କିଣିବା‌କୁ ଲୋକେ ଆଗ୍ରହୀ ଅଛନ୍ତି। ‘ପଶ୍ଚିମା’ ମହାପୂଜା ସଂଖ୍ୟାକୁ ପାଠକ ଓ ଲେଖକମାନେ ଗ୍ରହଣ କରିଛନ୍ତି। ମହାମାରୀ କରୋନା କଟକଣା ଲାଗି ସମ୍ପ୍ରତି ସାହିତ୍ୟ ସଭା, ପୁସ୍ତକ ମେଳା ଭଳି ଅନୁଷ୍ଠାନ ବନ୍ଦ ରହିଛି। ଏହି ପରିସ୍ଥିତି ରହିବ ନାହିଁ। ପରିସ୍ଥିତି ନିଶ୍ଚୟ ସୁଧୁରିବ। ସାହିତ୍ୟ ସଭା, ପୁସ୍ତକ ମେଳାରେ ପୁଣି ପାଠକ ଓ ଲେଖକ ଭେଟାଭେଟି ହେବେ।
ଅଶୋକ ମହାନ୍ତି, ସଂପାଦକ ‘ପଶ୍ଚିମା

ସାହିତ୍ୟ ସ୍ରୋତକୁ ଅଟକାଇ ହେବ ନାହିଁ
ସାହିତ୍ୟକୁ ଭଲ ପାଉଥିବା ଓ ବୁଝୁଥିବା ଲୋକଙ୍କ ସଂଖ୍ୟା ଏବେ ବି କିଛି କମ୍ ନୁହେଁ। ତେଣୁ ସାହତ୍ୟର ସ୍ରୋତକୁ କେହି ଅଟକାଇ ପାରିବ ନାହିଁ। ଗତବର୍ଷ କରୋନା ପାଇଁ କିଛିଟା ପ୍ରଭାବ ପଡ଼ିଥିଲା। ମାତ୍ର ଏଥର ପୂଜା ସଂଖ୍ୟା ବିକ୍ରିକୁ ଦେଖିଲେ, ସାହିତ୍ୟାନୁରାଗୀଙ୍କୁ ଧନ୍ୟବାଦ ନ ଦେଇ ରହି ହେଉନାହିଁ। ଏଥର ଗତ ୨ ତାରିଖରୁ ପତ୍ରିକା ବିକ୍ରି ଆରମ୍ଭ ହୋଇଛି। ତେବେ ଓଡ଼ିଆ ପତ୍ରିକା ସଂଖ୍ୟା ବଢ଼ିଥିଲେ ମଧ୍ୟ ପାଠକଙ୍କ ସଂଖ୍ୟା କିଛି କମିଛି। ଏହା ଭଲ ସଙ୍କେତ ନୁହେଁ। ତେଣୁ ଲେଖକଙ୍କୁ ବି ପାଠକ ହେବାକୁ ହେବ।
ଦେବେନ୍ଦ୍ର ନାଥ ଦାସ, ସଂପାଦକ ‘ଶ୍ବେତ ସଙ୍କେତ’

ଲେଖକମାନେ ଡିଜିଟାଲ୍‌ ପୋ‌ଷ୍ଟରୁ ବିରତ ହେବା ଉଚିତ
ଏବେ ବହୁ ଲେଖକ ଓ କବି ସେମାନଙ୍କ ଲେଖାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। ଡିଜିଟାଲ ମିଡିଆରେ ଲେଖା ପୋଷ୍ଟ କରିବା ଫଳରେ ବହୁ ପାଠକ ବହି କିଣିବାକୁ ମନ କରୁନାହାନ୍ତି। ଟଙ୍କା ଦେଇ ପତ୍ରିକା କିଣିବା ଅପେକ୍ଷା ଲେଖାଟି ଫେସ୍‌ବୁକ୍‌ରୁ ପଢ଼ିଦେବା ସହଜ ଓ ନିଶୁଳ୍କ ହେଉଥିବାରୁ ବହି ଦୋକାନର ବେପାର ମାନ୍ଦା ହେଉଛି। ବହି ଦୋକାନ ବେପାର ମାନ୍ଦା ହେଲେ, ପତ୍ରିକା ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେଣୁ ପତ୍ରିକା ବଞ୍ଚାଇବାକୁ ହେଲେ ଲେଖକମାନେ ସେମାନଙ୍କ ଲେଖା ସବୁକୁ ଡିଜିଟାଲ ମାଧ୍ୟମରେ ଛାଡ଼ିବା ବନ୍ଦ କରିବା ଉଚିତ। ସେମାନେ ଡିଜିଟାଲ ମାଧ୍ୟମରେ ପାଠକମାନଙ୍କୁ ପତ୍ରିକା ପ୍ରତି ଆକୃଷ୍ଟ କରାଇବା ଦରକାର।
ବାବୁଲା ବେହେରା, ମା’ ନାରାୟଣୀ ବୁକ୍‌ଷ୍ଟଲ୍‌, ପୁରୁଣା ବସ୍‌ଷ୍ଟାଣ୍ଡ

ସମ୍ବନ୍ଧିତ ଖବର