ବିଜୁ ଏକ୍ସପ୍ରେସ ୱେରେ ଏମଏସଏମଇ ପାର୍କ ସ୍ଥାପନ ହେବ: ମନ୍ତ୍ରୀ ଦିବ୍ୟଶଙ୍କର

ଘୁମୁରାର ବିକାଶ ପାଇଁ ଏକାଡ଼େମୀ ପକ୍ଷରୁ କର୍ମଶାଳା ହେବ: ପ୍ରବୋଧ ରଥ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବିଜୁ ଏକ୍ସପ୍ରେସ ୱେର ଗୋଲାମୁଣ୍ଡାଠାରେ ଏମଏସଏମଇ ପାର୍କ ସ୍ଥାପନ ହେବ ଏହା ଦ୍ବାରା କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଗୋଲାମୁଣ୍ଡାରେ ମହିଳାମାନଙ୍କ ଦ୍ବାରା ମହୁ ଚାଷ କଳାହାଣ୍ଡି ପାଇଁ ମାର୍ଗଦର୍ଶକ ହେବ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମାଚାର ଜଷ୍ଟକ୍ଲିକ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଯୋଗଦେଇ କହିଛନ୍ତି । ସେହିଭଳି କଳାହାଣ୍ଡି କୃଷିବିଶ୍ବବିଦ୍ୟାଳୟରେ ଖୁବ ଶୀଘ୍ର ପିଜି ପାଠକ୍ରମ୍ୟ ଖୋଲାଯିବ ବୋଲି ଓୟୁଏଟି କୂଳପତି ଡଃ. ପବନ ଅଗ୍ରୱାଲ କହିଥିଲେ । ଅନ୍ୟପକ୍ଷରେ ଘୁମରାର ବିକାଶ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ କର୍ମଶାଳା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

‘ସମାଚାର ଜଷ୍ଟ କ୍ଲିକ’ ପକ୍ଷରୁ ଚାଲ ଦେଖମା ଆମର କଳାହାଣ୍ଡି ୱେବିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଶକ୍ତି, ଏମଏସଏମଇ, ଶିଳ୍ପ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଯୋଗଦେଇ ଗୋଲାମୁଣ୍ଡାଠାରେ ଏମଏସଏମଇ ପାର୍କ ସ୍ଥାପନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି । ଏହା ବିଜୁ ଏକ୍ସପ୍ରେସ ୱେ ଅର୍ଥନୈତିକ କରିଡ଼ର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ । ବର୍ତ୍ତମାନ ବାଲେଶ୍ବରରୁ ମହୁମାଛି ଅଣାଯାଇ ୩୦ ଜଣ ମହିଳାଙ୍କୁ ମହୁ ଚାଷ ପାଇଁ ସହାୟତା କରାଯାଇଛି । ଏହାଦ୍ବାରା ମହିଳାମାନଙ୍କ ଅର୍ଥନୈତିକ ବିକାଶ ହେବ ବୋଲି କହିଥିଲେ ।

ସେହିଭଳି କଳାହାଣ୍ଡି ଜିଲ୍ଲାରେ କୃଷିର ବିକାଶ ପାଇଁ କୃଷିମହାବିଦ୍ୟାଳୟ ସହାୟକ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭବାନୀପାଟଣା କୃଷିମହାବିଦ୍ୟାଳୟରେ ପିଜି ଖୋଲିବା ପାଇଁ ଘୋଷଣା କରିଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବ ଶୀଘ୍ର ଖୋଲାଯିବ ବୋଲି ଓୟୁଏଟି କୂଳପତି ଡଃ. ପବନ ଅଗ୍ରୱାଲ କହିଥିଲେ । ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଇକୋନୋମି ଗ୍ରୋଥର ପୂର୍ବତନ ନିର୍ଦ୍ଦେଶକ ଡଃ. ମନୋଜ ପଣ୍ଡା କଳାହାଣ୍ଡି ଜିଲ୍ଲାରେ କୃଷି ଓ ଆଦିବାସୀମାନଙ୍କ ବିକାଶ ଦ୍ବାରା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି କହିଥିଲେ ।

ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ କଳାହାଣ୍ଡି ଜିଲ୍ଲାରେ ଘୁମୁରାର ବିକାଶ ପାଇଁ ଅଧିକ କର୍ମଶାଳା ଓ କଳାକାରମାନଙ୍କୁ ତାଲିମ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ. ଜୟଦେବ ଷଡ଼ଙ୍ଗୀ କଳାହାଣ୍ଡି ଜିଲ୍ଲାରେ ରେଳ ପଥର ବିକାଶ ଓ ଭିତ୍ତିଭୂମି ପାଇଁ ଗୁରୁତ୍ବଆରୋପ କରିଥିଲେ । ବହୁ ଅସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ ।

ଏନଆରଡ଼ିସିର ରିଜିଓନାଲ ମ୍ୟାନେଜର ଡଃ. ବିଜୟ କୁମାର ସାହୁ କଳାହାଣ୍ଡି ଜିଲ୍ଲାରେ ଏମଏସଏମଇ ପ୍ରକଳ୍ପ ପାଇଁ ଏନଆରଡ଼ିସି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । କଳାହାଣ୍ଡିରେ ଅଧିକରୁ ଅଧିକ କାରିଗରୀ ଜ୍ଞାନ କୈାଶଳ ଦ୍ବାରା ଯୁବ ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟଅଫ ଇଣ୍ଡିଆ  ମାଧ୍ୟମରେ ସ୍ବାବଲମ୍ବୀ କରିବା ପାଇଁ ବହୁ ସୁଯୋଗ ରହିଛି ବୋଲି କହିଥିଲେ । ଓଡ଼ିଶା କ୍ରିକେଟ ଏସୋସିଏସନର ଚିଫ କ୍ୟୁରେଟର ପଙ୍କଜ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାରେ କ୍ରିକେଟ ଭିତ୍ତିଭୂମି ପାଇଁ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଠାରେ ରାଜ୍ୟ ତଥା ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟ ପାଇଁ ପଦକ୍ଷେପ ‌ନିଆଯିବ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡି ଚର୍ଚ୍ଚିତ ଲୋକଗୀତ ଗାୟକ ସର୍ବେଶ୍ବର ଭୋଇ ନିଜର ବକ୍ତବ୍ୟ ରଖିବା ସହିତ ଗୀତ ପରିବେଷଣ କରିଥିଲେ । ଏଥିରେ ପ୍ରଗତି କଲେଜର ପ୍ରତିଷ୍ଠାତା ଇଂ. ଅଜୟ କୁମାର ପଣ୍ଡା ଓ ହରିପ୍ରିୟା ରିଫ୍ରା‌କ୍ଟରିଜ୍‌ର ମାଲିକ ବିଭୁ ପ୍ରସାଦ ସାହୁ ନଲେଜ ପାର୍ଟନର ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର