ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ବିବାଦର ସମାଧାନ ଦାବିରେ ଗତ ଗାନ୍ଧୀ ଜୟନ୍ତୀ ଠାରୁ ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ ରାଜଧାନୀ ଅମରାବତୀକୁ ପଦଯାତ୍ରାରେ ଯାଇଥିବା ରାଉରକେଲାର ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ସଫଳତାର ସହିତ ନିଜ ପଦଯାତ୍ରା ଶେଷ କରି ଓଡ଼ିଶା ଫେରିଆସିଛନ୍ତି। ପଦଯାତ୍ରାର ସଫଳତା ପାଇଁ ଉତ୍କଳ ସମ୍ମିଳନୀ ତରଫରୁ ସାମ୍ବାଦିକ ସମ୍ମିଳନୀରେ ମୁକ୍ତିକାନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

Advertisment

ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଯଥାଶୀଘ୍ର ସମାଧାନ କରିବା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକତ୍ର ବସି ଆଲୋଚନା କରିବାକୁ ଦାବି ଜଣାଇ ମୁକ୍ତିକାନ୍ତ ବିଶ୍ୱାଳ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ୱରରୁ ପଦଯାତ୍ରାରେ ଯାଇ ଦୀର୍ଘ ୩୬ ଦିନ ପରେ ଗତ ୭ ତାରିଖ ଦିନ ଅମରାବତୀରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ୍‌ ରେଡ୍ଡୀ ଏବଂ ବିରୋଧିଦଳ ନେତା ଏନ୍‌. ଚନ୍ଦ୍ରବାବାୁ ନାଇଡୁଙ୍କୁ ସାକ୍ଷାତ୍ କରିବା ପାଇଁ ମୁକ୍ତିକାନ୍ତ ଅନୁମତି ଲୋଡ଼ିଥିବା ବେଳେ ଏଣେ ଓଡ଼ିଶା ସରକାର ଆଲୋଚନା ପାଇଁ ୯ ତାରିଖରେ ଭୁବନେଶ୍ୱର ଆସିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ଖବର ଜଣାପଡ଼ିଥିଲା ।

publive-image

ସେହି ୯ ତାରିଖରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିରୋଧିଦଳ ନେତା ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ଲାଗି ମଧ୍ୟ ମୁକ୍ତିକାନ୍ତଙ୍କୁ ଅନୁମତି ମିଳିବା ପରେ ସେ ଉଭୟଙ୍କୁ ସାକ୍ଷାତ୍ କରି ଦାବିପତ୍ର ପ୍ରଦାନ କରିଥିଲେ । ସେହିଦିନ ଭୁବନେଶ୍ୱରଠାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାରୁ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ପ୍ରକ୍ରିୟା ଆଗେଇ ନେବାକୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏବଂ ବିରୋଧିଦଳ ନେତା ଶ୍ରୀ ନାଇଡୁଙ୍କୁ ମୁକ୍ତିକାନ୍ତ ଅନୁରୋଧ କରିଥିଲେ । ତାଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ବିରୋଧିଦଳ ନେତା ଶ୍ରୀ ନାଇଡୁ ମଧ୍ୟ ସୀମା ବିବାଦର ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିନପାରିବାରୁ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତାଙ୍କୁ ଭେଟିଥିଲେ ।

ପଦଯାତ୍ରା ଶେଷ କରି ଓଡ଼ିଶା ଫେରିଥିବା ମୁକ୍ତିକାନ୍ତ ଆଜି ଭୁବନେଶ୍ୱରର ଲୋହିୟା ଏକାଡେମୀ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପଦଯାତ୍ରାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବାରୁ ସେ ଆନନ୍ଦ ପ୍ରକଟ କରିବା ସହିତ ସୀମା ବିବାଦର ସମାଧାନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି ପଦଯାତ୍ରା ସମୟରେ ବାଟରେ ବିଭିନ୍ନ ସ୍ଥାନରେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଜନସାଧାରଣ ଏବଂ ବୁଦ୍ଧିଜୀବୀ ତାଙ୍କୁ ଭେଟି ଯାତ୍ରାର ସଫଳତା କାମନା କରିଥିବା ବେଳେ କେତେକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସମ୍ବାଦ ପରିବେଷଣ କରିଥିଲେ । ଯାତ୍ରା ଆରମ୍ଭ ସମୟରେ ରାଉରକେଲା ଏବଂ ଭୁବନେଶ୍ୱରରେ ଗଣମାଧ୍ୟମ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର ପଦାଧିକାରୀ ତଥା ଜନସାଧାରଣ ତାଙ୍କୁ ସହଯୋଗ କରିଥିଲେ । ସମସ୍ତ ଶୁଭେଚ୍ଛୁଙ୍କୁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଜଣାଇବା ସମ୍ଭବପର ହେଉନଥିବାରୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁକ୍ତିକାନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।