ରାଜଧାନୀରେ ଛାତିଥରା ହତ୍ୟାକାଣ୍ଡ: ସ୍ତ୍ରୀ ଓ ଶାଳୀକୁ ହାଣିଦେଲା

୨ ଶବ ସହ ୨ ଦିନ ୨ ରାତି

ଚନ୍ଦ୍ରଶେଖରପୁର: ଗତ ଦୁଇ ଦିନ ତଳୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସ୍ତ୍ରୀ ଓ ଶାଳୀ ଦୁଇ ଜଣଙ୍କୁ ବଡ଼ ନିର୍ମମ ଭାବେ କଟୁରିରେ ହାଣି ହତ୍ୟା କରିବା ଓ ମୃତଦେହ ଦୁଇଟି ସହ ଗୋଟିଏ ଘରେ ଦୁଇ ଦିନ ଦୁଇ ରାତି କାଟିବା ଭଳି ଛାତିଥରା କାହାଣୀ ଆଜି ପୂରା ରାଜଧାନୀକୁ ସ୍ତବ୍ଧ କରିଦେଇଛି। ଘଟଣା ଜଣାପଡ଼ିବା ପରେ ପୁଲିସ ଅଭିଯୁକ୍ତ ବିଜୟ କୁମାର ସେଠୀ(୪୨)କୁ ଗିରଫ କରିଥିବା ବେଳେ ସ୍ତ୍ରୀ ଗାୟତ୍ରୀ(୩୨) ଓ ଶାଳୀ ସରସ୍ବତୀ(୨୯)ଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୀର୍ଘ ବର୍ଷ ଧରି ସ୍ତ୍ରୀ ଗାୟତ୍ରୀଙ୍କ ନିର୍ଯାତନାର ଶିକାର ହୋଇ ପାଗଳ ହୋଇ ଯାଇଥିବା ବିଜୟ କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ କରିଛି ବୋଲି ପୁଲିସ ସମ୍ମୁଖରେ ସ୍ବୀକାର କରିଛି। ତେବେ ସ୍ତ୍ରୀ ସହିତ ନିକଟରେ ବିବାହ କରିଥିବା ଶାଳୀକୁ ବଡ଼ ବୀଭତ୍ସଭାବେ ହାଣି ପକାଇ ଏକାଥରକେ ଦୁଇ ଦୁଇଟି ହତ୍ୟା କରିବା ଭଳି ପଛରେ ବିଜୟର କି କୁତ୍ସିତ ମାନସିକତା ଛପି ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ତାକୁ ଜଣେ ମା‌ନସିକବିକାରଗ୍ରସ୍ତ(ସାଇକୋ) ବୋଲି କୁହାଯାଉଥିଲେ ହେଁ ପ୍ରକୃତ କାରଣ ଆଉ କିଛି ବୋଲି ସନ୍ଦେହ କରାଯାଉଛି।

ଅଭିଯୁକ୍ତ ବିଜୟର ଘର କେନ୍ଦ୍ରାପଡ଼ା ପାଟକୁରା ଗରଦପୁର ଅଞ୍ଚଳରେ। ସେ ଇନ୍‌ଫୋସିଟି ଛକ ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏସି ମେକାନିକ୍‌ ଭାବେ କାମ କରେ। ହାଉସିଂବୋର୍ଡ ଇଡବ୍ଲୁଏସ୍ କଲୋନିର ୨୩/୨ ନମ୍ବର ଘରେ ସ୍ତ୍ରୀ ଗାୟତ୍ରୀଙ୍କୁ ନେଇ ଭଡ଼ାରେ ରହୁଥିଲା। ଗାୟତ୍ରୀଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଡ଼ଢ଼ାଙ୍କୁଣିରେ। ସେ ନୀଳାଦ୍ରିବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ ଚାକିରି କରୁଥିଲେ। ଦୀର୍ଘ ୧୦ ବର୍ଷର ଦାମ୍ପତ୍ୟ ଜୀବନ କାଳ ଭିତରେ ସେମାନେ ନିଃସନ୍ତାନ ଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ତେବେ ବିବାହର ୩/୪ବର୍ଷ ପରେ ଗାୟତ୍ରୀ ନିଜ ସାନ ଭଉଣୀ ସରସ୍ବତୀକୁ ଆଣି ପାଖରେ ରଖିଥିଲେ। ସରସ୍ବତୀ ନର୍ସିଂ ଟ୍ରେନିଂ ନେବା ପରେ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ନର୍ସ ଚାକିରି କରିଥିଲେ।

ଗତ ଦୁଇ ମାସ ପୂର୍ବେ ସରସ୍ବତୀର ବିବାହ ହୋଇଯାଇଥିଲା। ନିଜେ ବିଜୟ ଏହି ବିବାହରେ ବେଶ୍ କିଛି ଖର୍ଚ୍ଚ ବି କରିଥିଲେ ଓ ଏଥିପାଇଁ ତାକୁ କିଛି କରଜ କରିବାକୁ ପଡ଼ିଥିଲା। ସରସ୍ବତୀର ବିବାହ ପରେ ପୁଣି ବିଜୟ ଓ ଗାୟତ୍ରୀଙ୍କ ମଧ୍ୟରେ ପୂର୍ବ ଭଳି ଝଗଡ଼ା ଲାଗିରହିଲା। ଗତ ଗୁରୁବାର ଦିନ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ତେଣୁ ସମାଧାନ ପାଇଁ ବିଜୟ ଶାଳୀ ସରସ୍ବତୀକୁ ଘରକୁ ଡକାଇଥିଲା। ତେବେ ରାତିରେ ‌କଳହ ପୁଣି ସୀମା ଟପିଯାଇଥିଲା। ହଠାତ୍ ବିଜୟ ଏକ କଟୁରିରେ ସ୍ତ୍ରୀ ଗାୟତ୍ରୀଙ୍କ ବେକକୁ ଶକ୍ତ ଚୋଟ ପକାଇଥିଲା। ଗାୟତ୍ରୀ ତଳେ ପଡ଼ି ଛଟପଟ ହେଉଥିବା ବେଳେ ବିଜୟ ଶାଳୀ ସରସ୍ବତୀଙ୍କୁ ହାଣି ପକାଇଥିଲା। ଉଭୟଙ୍କ ବେକରେ ଶକ୍ତ ଚୋଟ ପଡ଼ିଥିବାରୁ ପ୍ରାୟ ଛିଣ୍ଡିବା ଅବସ୍ଥାରେ ଥିବା ଶବ ପଞ୍ଚନାମାରୁ ଜଣାପଡ଼ିଛି। ଦୁଇ ଜଣଙ୍କୁ ହତ୍ୟା କରିବା ପରେ ବିଜୟ ସେମାନଙ୍କ ମୋବାଇଲ୍‌ ଫୋନ୍‌କୁ ସୁଇଚ୍ ଅଫ୍ କରି ଦେଇଥିଲା ଓ ଘର କବାଟ ବନ୍ଦ କରି ବାହାରକୁ ଚାଲିଯାଇଥିଲା।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବିଜୟ ଘରକୁ ଯିବା ଆସିବା କରୁଥିବା ବେଳେ ଗାୟତ୍ରୀଙ୍କ ଦେଖାମିଳିନଥିଲା। ବିଜୟର ଅସ୍ବାଭାବିକ ବ୍ୟବହାର ଓ ଚାଲିଚଳଣକୁ ନେଇ କଲୋନିବାସୀ ସନ୍ଦେହ କରିଥିଲେ। ଗତକାଲିଠାରୁ ବିଜୟ ଘର ପାଖରୁ ଦୁର୍ଗନ୍ଧ ବାହାରୁଥିଲା ଓ କଲୋନି ସାରା ଖେଳିଯାଇଥିଲା। ତେଣୁ ଆଜି ଭୋର୍‌ ସମୟରେ ବିଜୟ ଘର କବାଟ ବନ୍ଦ କରି ବାହାରକୁ ଯାଉଥିବା ବେଳ କଲୋନି ଲୋକେ ତାକୁ ସନ୍ଦେହରେ ଘେରି ଯାଇ ଘଟଣା ବାବଦରେ ପଚାରିଥିଲେ। ବିଜୟ ସବୁ ସତ ମାନିଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

କଲୋନିବାସୀ ନିର୍ବାକ୍

୧୦ ବର୍ଷ ହେଲା ବିଜୟ ଉକ୍ତ କଲୋନିରେ ରହୁଥିଲା। କଲୋନିବାସୀ ତା’ଠାରେ କୌଣସି ମାନସିକବିକୃତି ଦେଖିନଥିଲେ। ସେହିଭଳି ଦୁଇ ଦୁଇଟି ହତ୍ୟାକାଣ୍ଡ ଭିଆଇବା ପରେ ବି ଅଭିଯୁକ୍ତ ବିଜୟର ଆଚରଣରୁ ବାହାରକୁ କିଛି ଜଣାପଡ଼ିନଥିଲା। ଘରେ ଦୁଇ ଦୁଇଟି ଶବ ଲୁଚାଇ ରଖିବା ପରେ ବି ତା’ର ଚାଲିଚଳଣିରୁ ପଡ଼ୋଶୀ ବା କଲୋନିବାସୀ କିଛି ଟେର୍‌ ପାଇନଥିଲେ। ତେବେ ଦୁଇ ଦିନ କାଳ ପାଉରୁଟି ଧରି ଘରକୁ ଯିବା ଆସିବା କରିବା ଓ କାହା ସହିତ ନମିଶିବାରୁ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ବିଜୟକୁ ପାଖରୁ ଜାଣିଥିବା ପଡ଼ୋଶୀମାନେ ଏବେ ବି ବିଶ୍ବାସ କରିପାରୁନାହାନ୍ତି ଯେ ବିଜୟ ଏମିତି ଅଭାବନୀୟ କାଣ୍ଡ ଘଟାଇଥିବ। ଜଣେ ସାଧାରଣ ମଣିଷ ଭିତରେ ଏମିତି ଜଘନ୍ୟ ହତ୍ୟାକାରୀ କିଭଳି ଛପିଥିଲା, ତାହାକୁ ନେଇ ସେମାନେ ଏବେ ବି ବିଶ୍ବାସ କରିପାରୁନାହାନ୍ତି। ଘଟଣା ପରେ ପ୍ରାୟ ପଡ଼ୋଶୀ ନିର୍ବାକ୍ ହୋଇପଡ଼ିଛନ୍ତି।

ଖଣ୍ଡ ଖଣ୍ଡ କରି ଫୋପାଡ଼ିବାକୁ ଉଦ୍ୟମ କରିଥିଲା

ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ବିଜୟ ଉଦ୍ୟମ କରିଥିଲା। ଦୁଇ ମୃତଦେହକୁ ଖଣ୍ଡଖଣ୍ଡ କରି ପଲିଥିନ୍‌ ବସ୍ତାରେ ଭର୍ତ୍ତି କରି ବାହାରେ ଫୋପାଡ଼ି ଦେବ ବୋଲି ଇଛା କରିଥିଲା। ମାତ୍ର ପରେ ମନ ବଦଳାଇଥିଲା। ପ୍ରଥମ ଦୁଇ ଦିନ ଅନୁତାପରେ କାଟିବା ପ‌ରେ ଆଉ ଗଳିତ ଶବକୁ କାଟି ଖଣ୍ଡଖଣ୍ଡ କରିବାକୁ ତା’ର ଜୁ’ ନଥିଲା। ଶବରୁ ବାହାରୁଥିବା ଗନ୍ଧକୁ ଲୁଚାଇବାକୁ ସେ ଘରେ ରଜନୀଗନ୍ଧା ଅତର ପକାଉଥିଲା।

ମୁଁ ସାଇକୋ ନୁହେଁ ସଟ୍‌ ଟେମ୍ପର…

ପୁଲିସ୍ ବିଜୟକୁ ଗିରଫ କରି ଭ୍ୟାନ୍‌ରେ ବସାଇଥିବା ବେଳେ କ‌ଲୋନିବାସୀ ଓ ଅନ୍ୟମାନେ ତାକୁ ‘ସାଇକୋ’ ବୋଲି କହିଥିଲେ। କିଛି ସମୟ ଏସବୁ ଶୁଣି ଚୁପ୍‌ ରହିଥିଲେ ବି ପରେ ବିଜୟ ମୁହଁ ଖୋଲିଥିଲା। ଲୋକଙ୍କୁ ଜବାବ୍‌ ଦେବାକୁ ଯାଇ ସେ କହିଥିଲା ଯେ ସେ ସାଇକୋ ନୁହେଁ, ସର୍ଟ ଟେମ୍ପର। ଦୀର୍ଘ ବର୍ଷ ଧରି ନିର୍ଯାତନା ସହି ସହି ସେ ସର୍ଟ ଟେମ୍ପର ହୋଇଯାଇଥିଲା ବୋଲି କହିଥିଲା।

ଶାଳୀକୁ ହତ୍ୟା ପଛର ରହସ୍ୟ କ’ଣ?

ଏସିପି ରମେଶ ଚନ୍ଦ୍ର ବିଶୋୟୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବିଜୟ ନିର୍ଯାତନା ସହିନପାରି ଏଭଳି କାଣ୍ଡ କରିବସିଛି। ବିଜୟର ବୟାନକୁ ଆଧାର କରି ସେ କହିଛନ୍ତି ଯେ ଦୁଇ ଉଭଣୀ ତାକୁ ବାରମ୍ବାର ବିଭିନ୍ନ ପ୍ରକାର ପାରିବାରିକ ବିଷୟକୁ ନେଇ ନିର୍ଯ୍ୟାତନା ଦେଉଥିଲେ। ଶାଳୀ ବିବାହ ପାଇଁ ଋଣ କରିଥିବା ଟଙ୍କା ସୁଝିବା ପାଇଁ ବିଜୟ ଉପ‌ରେ ହିଁ ଚାପ ଥିଲା। ଚାକିରି କରିଥିଲେ ବି ଗାୟତ୍ରୀ କରଜ ଟଙ୍କା ସୁଝିବା ନାଁ ଧରୁନଥିଲେ। ଘଟଣାଦିନ ରାତିରେ ଏହି ବିବାଦକୁ ନେଇ ଦୁଇ ଭଉଣୀ ବିଜୟକୁ ବେଶ୍ କଟୁ କଥା କହିଥିଲେ। ତେଣୁ ବିଜୟ ମାନସିକ ସନ୍ତୁଳନ ହରାଇ ବସିଥିଲା ଓ ଦୁଇ ଭଉଣୀଙ୍କୁ ହତ୍ୟା କରିଥିଲା। ତେବେ ବିଜୟର ଏହି ସ୍ବୀକାରୋକ୍ତି କେତେ ସତ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦୁଇ ମାସ ପୂର୍ବେ ବିବାହ କରୁଥିବା ଶାଳୀ ସରସ୍ବତୀ ନିଜ ସ୍ବାମୀଙ୍କ ପାଖରେ ନରହି ଏକ ମେସ୍‌ରେ ରହୁଥିଲେ। ଘଟଣାଦିନ ରାତିରେ ବିଜୟ ତାଙ୍କୁ ଘରକୁ ଡକାଇଥିଲା ଓ ସରସ୍ବତୀ ମଧ୍ୟ ଆସିଥିଲେ। ତେଣୁ ସରସ୍ବତୀଙ୍କୁ ହତ୍ୟା କରିବା ପାଇଁ ବିଜୟ ସୁଚିନ୍ତିତ ଯୋଜନା କରିଥିଲା ବୋଲି ସନ୍ଦେହ କରାଯାଉଛି। ଘଟଣା ପଛରେ ଆଉ କିଛି କାରଣ ଛପି ରହିଥିବା ଦିଗକୁ ମଧ୍ୟ ପୁଲିସ ତଦନ୍ତ ପରିସରକୁ ନେଇଥିବା ସୂଚନା ମିଳିଛି।

୨ ଶବ ପାଖରେ ପାଉଁରୁଟି

ଆଜି ପୁଲିସ ଉକ୍ତ ଘରୁ ମୃତଦେହ ଜବତ କଲା ବେଳେ ଚକିତ ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶବ ଦୁଇଟି ଗଳିତ ଅବସ୍ଥାକୁ ଆସିଯାଇଥିଲା। ଘର ସାରା ରକ୍ତର ଧାର ବହି ବହି ଶୁଖି ଯାଇଥିଲା। ତେବେ ଦୁଇ ଶବ ନିକଟରେ ପାଉରୁଟି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଦୁଇ ଶବକୁ ବିଜୟ ଖାଇବାକୁ ଦେଉଥିଲା ବୋଲି ପୁଲିସକୁ ବୟାନ ଦେଇଛି। ଦୁଇ ଦିନ ଯାକ ଦୁଇ ବେଳା ସେ ପାଉରୁଟି କିଣି ନିଜେ ଖାଉଥିଲା ଓ କିଛି ପାଉଁରୁଟି ଆଣି ସ୍ତ୍ରୀ ଓ ଶାଳୀଙ୍କ ମୁହଁରେ ଦେଇ ମୁଣ୍ଡ ପାଖରେ ରଖି ଦେଉଥିଲା। ସେ ସ୍ତ୍ରୀ ଗାୟତ୍ରୀଙ୍କୁ ଖୁବ୍‌ ଭଲ ପାଉଥିଲା ବୋଲି କହିଛି। ଗାୟତ୍ରୀ ତାକୁ ନିର୍ଯାତନା ଦେଉଥିଲେ ବି ସେ ସବୁ ସହି ଯାଉଥିଲା, କିନ୍ତୁ ଗୁରୁବାର ରାତିରେ ସେ ମାନସିକ ଭାରସାମ୍ୟ ହରାଇ ବସି ଏଭଳି କାଣ୍ଡ କରିଦେଲା ବୋଲି କହିଛି। ତେଣୁ ଦୁଇ ଦିନ କାଳ ସେ ଦୁଇ ଶବକୁ ଖାଇବାକୁ ଦେବା ସହ ସେମାନଙ୍କ ପାଖରେ ବସି କାନ୍ଦୁଥିଲା ବୋଲି କହିଛି।

ସମ୍ବନ୍ଧିତ ଖବର