ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହେମଗିର ଥାନା ଟିକିଲିପଡ଼ା ମମିନାଢିପାରେ ସଂଘଟିତ ମା’ଝିଅଙ୍କ ନିର୍ମମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ହତ୍ୟା ଅଭିଯୁକ୍ତ ଝାରଖଣ୍ଡ ସିଂହଭୂମ ଜିଲ୍ଲା ମନୋହରପୁର ଥାନା ରେଡା ଗାଁର ସଲୀଳ ଭେଙ୍ଗ୍ରା (୩୧)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଓ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡ ୬ ମାସ ବୃଦ୍ଧି କରିବାକୁ ଆଦେଶ ହୋଇଛି। ଘଟଣା ଦିନ ହତ୍ୟାକାରୀ ମୃତ ମହିଳାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ବିଫଳ ହେବା ପରେ ଏହି କାଣ୍ଡ ଭିଆଇଥିଲା।

Advertisment

ମାମଲାର ବିବରଣୀ ଅନୁସାରେ, କୁତ୍ରା ଥାନା କହପାଣି ଖୁଦାନପଡ଼ାର ପାତ୍ରିକ ମିଞ୍ଜ ପତ୍ନୀ ନାଦିଆ ମିଞ୍ଜ, ୯ ବର୍ଷର ଝିଅ ଶ୍ରୁତି ଓ ୨ ବର୍ଷର ପୁଅ ସୁରତ ସହ ହେମଗିର ଥାନା ଟିକିଲିପଡ଼ା ମମିନାଢିପାରେ ମତୁୱାଲ ତିର୍କୀଙ୍କ ଘରେ ଭଡ଼ାରେ ରହୁଥିଲେ। ସେ ଜିବିଏସ୍ କମ୍ପାନିରେ ଟ୍ରକ ଚଲାଉଥିଲେ। ୨୦୧୭ ଡିସେମ୍ବର ୨୫ ତାରିଖ ସକାଳୁ ସେ କାର୍ଯ୍ୟକ୍ଷେତ୍ରକୁ ଚାଲି ଯାଇଥିଲେ। ସନ୍ଧ୍ୟାରେ ପଡ଼ୋଶୀ ଘରେ ଭଡ଼ାରେ ରହି ଜିବିଏସ କ୍ୟାମ୍ପ ବସୁନ୍ଧରାରେ କାମ କରୁଥିବା ଝାରଖଣ୍ଡ ସିଂହଭୂମ ଜିଲ୍ଲା ମନୋହରପୁର ଥାନା ରେଡା ଗାଁର ସଲୀଳ ଭେଙ୍ଗ୍ରା ପାତ୍ରିକକୁ ଫୋନ୍ କରି କାର୍ଯ୍ୟକ୍ଷେତ୍ରରୁ ଫେରିବାର ସମୟ ପଚାରିଥିଲା। ସେ ସକାଳେ ଫେରିବ ବୋଲି କହିଥିଲେ। ସକାଳୁ ପାତ୍ରିକ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଓ ଝିଅ ମରି ପଡ଼ିଥିବା ଓ ୨ ବର୍ଷର ପୁଅ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲା। ଏହା ପରେ ସେ ହେମଗିର ଥାନାରେ ତୁରନ୍ତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ସଲୀଳକୁ ସନ୍ଦେହରେ ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲା। ରାତିରେ ପାତ୍ରିକ ଘରେ ନଥିବା ସୁଯୋଗ ନେଇ ପତ୍ନୀ ନାଦିଆ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା। କିନ୍ତୁ ନାଦିଆ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଝିଅ ଶ୍ରୁତି ସବୁ ଦେଖି ଦେଇଥିବାରୁ ତାକୁ ତଣ୍ଟିଚିପି ହତ୍ୟା କରିବା ସହ ୨ ବର୍ଷର ପୁଅକୁ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ଛୋଟ ପିଲା କ’ଣ ଜାଣିବ ଭାବି ତାକୁ ଛାଡ଼ି ଦେଇଥିଲା। ସଲୀଳର ସ୍ବୀକାରୋକ୍ତି ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବାବେଳେ ପୁଲିସର ରିପୋର୍ଟ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୌରାଜଜ୍ ସଲୀଳକୁ ଦୋଷୀ ସାବ୍ୟସ୍ତ କରି ୨୦୨୩ ନଭେମ୍ବର ୧ରେ ରାୟ ସଂରକ୍ଷିତ ରଖି ୧୭ ତାରିଖରେ ଦଣ୍ଡ ଶୁଣାଇଥିଲେ। ମାମଲାକୁ ଭାରପ୍ରାପ୍ତ ସରକାରୀ ଓକିଲ ଅଶୋକ କୁମାର ସ୍ବାଇଁ ପରିଚାଳନା କରିଥିଲେ।