ଖୋର୍ଦ୍ଧା: ଜଟଣୀ ତରାବୋଇର ମୁସ୍କାନ ତେହସିନ୍ ନିଜର ଅବିକଳ ପ୍ରଚ୍ଛଦ ନକଲ ଲିଖନ (ମିରର ରାଇଟିଂ) ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ।
ଇଣ୍ଡିଆ ବୁକ୍ ଅଫ୍ ରେର୍କ୍ଡସର ସୂଚନାନୁସାରେ, ୧୯ ବର୍ଷୀୟା ମୁସକାନ ଜାତୀୟ ସଂଗୀତକୁ ୫ଟି ବିଭିନ୍ନ ଭାରତୀୟ ଭାଷା- ସଂସ୍କୃତ, ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ନିଜର ଉଭୟ ହାତ ଦ୍ୱାରା ସମ ସମୟରେ ଲେଖିଥିଲେ । ନିଜର ଡାହଣ ହାତର ଲିପି ଓ କ୍ଷୀପ୍ରତା ସହ ବାମହାତର ଲିପି ଓ କ୍ଷୀପ୍ରତା ସମାନ ରହିଥିଲା । ଏହାକୁ ୩୦ ନଭେମ୍ବର ୨୦୨୧ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଦ୍ୱାରା ନିଶ୍ଚିତ କରାଯିବା ପରେ ୮ ଜାନୁଆରୀ ୨୦୨୨ରେ ରେକର୍ଡସ ପକ୍ଷରୁ ପ୍ରମାଣପତ୍ର ଓ ମେଡାଲ୍ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ମୁସ୍କାନ୍ ବର୍ତମାନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନର ତୃତୀୟ ବର୍ଷ ଛାତ୍ରୀ । ଅକ୍ଷର ଶିକ୍ଷା କରିବା ବେଳୁ ତାଙ୍କର ଏହି କ୍ଷମତା ବିକଶିତ ହୋଇଥିଲା । ତେବେ ମହାବିଦ୍ୟାଳୟରେ ପଢ଼ିବା ପରେ ବାପା-ମା’ଙ୍କ ପ୍ରୋତ୍ସାହନରେ ଏହି କ୍ଷମତାକୁ ସେ କ୍ରମାଗତ ଅଭ୍ୟାସ ଦ୍ୱାରା ବିକଶିତ କରିଥିଲେ । ଏନେଇ ଗତ ନଭେମ୍ବର ମାସରେ ସମ୍ବାଦରେ ଖବର ପ୍ରକାଶିତ ହୋଇଥିଲା । ଏହାପରେ ବିଭିନ୍ନ କ୍ଷେତ୍ରରୁ ତାଙ୍କୁ ପ୍ରଶଂସାର ସୂଅ ଛୁଟିଥିଲା ।