ସମ୍ବଲପୁର:ବୁଢ଼ାରଜା ମୁଥୁଟ୍‌ ଫାଇନାନସ ଡକାୟତି ମାମଲାରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ପାଣ୍ଡେ ଓରଫ ନିତ୍ୟାନନ୍ଦ ପାଣ୍ଡେ ଗିରଫ ହୋଇଛି। ଝାଡ଼ଖଣ୍ଡର କୋଡେରମା ନିବାସୀ ସୁନୀଲ ପାଣ୍ଡେକୁ ପଶ୍ଚିମବଂଗର ଆସନସୋଲରୁ ଗିରଫ କରାଯାଇଛି। ସୁନୀଲକୁ ଆଣିବା ପାଇଁ ସମ୍ବଲପୁର ପୁଲିିସର ଏକ ଟିମ୍‌ ଆସନସୋଲରେ ଡେରା ପକାଇଛନ୍ତି। ମୁଥୁଟ୍‌ ଫାଇନାନ୍‌ସର ଡକାୟତିରେ ସଂପୃକ୍ତ ସବୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଲୁଟ୍‌ ହୋଇଥିବା ସୁନା ଓ ଟଙ୍କା ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସମ୍ବଲପୁର ଏସପି ସଂଜୀବ ଅରୋରା ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଗତ ୨୮ ଡିସେମ୍ବର ଦିନ ସମ୍ବଲପୁର ସହରର ମୁଖ୍ୟ ରାସ୍ତା ବୁଢ଼ାରଜା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍‌ସରୁ ଫିଲ୍ମ ଷ୍ଟାଇଲରେ ଡକାୟତି ହୋଇଥିଲା।

Advertisment

ଡକାୟତମାନେ ଜଣେ ସୁରକ୍ଷା କର୍ମୀ ଓ ଅନ୍ୟ ଜଣେ କର୍ମଚାରୀଙ୍କ ପିସ୍ତଲର ପଛପଟୁ ଆକ୍ରମଣ କରି ଆହତ କରିଥିଲେ। ଆଉ ମାତ୍ର କେଇ ମିନିଟ୍‌ ମଧ୍ୟରେ ନଗଦ ଟଙ୍କା ସହିତ ୭ କୋଟି ଟଙ୍କାର ୧୫ ଶହ ପକେଟ୍‌ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଗତ ୨୨ ଜାନୁଆରିରେ ପାଟନା ସ୍ପେସିଆଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଏହି ଗ୍ୟାଂଗର ଲିଡର ସୁବୋଧକାନ୍ତ ସିଂ ଓ ତା’ର ୫ ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ୩ଟି ପିସ୍ତଲ, ଗୋଟିଏ ରିଭଲ୍‌ଭର ସମେତ ପ୍ରାୟ ୧୫ କିଲୋଗ୍ରାମ ସୁନା ଗହଣା ଜବତ କରାଯାଇଥିଲା। ଏହି ଗ୍ୟାଂଗ କୋଲ୍‌କାତା, ଜୟପୁର, ନାଗପୁର ସମେତ ଦେଶର ବିଭିନ୍ନ ଅଂଚଳରେ ସକ୍ରିୟ ରହିଛନ୍ତି। ନିକଟରେ ସମ୍ବଲପୁର ପୁଲିସ୍‌ ଏହି ଗ୍ୟାଂଗର ଜଣେ ଡକାୟତ ପ୍ରକାଶ ଝା’କୁ ରିମାଣ୍ଡରେ ସମ୍ବଲପୁର ଆଣିଥିଲା।