ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବାରୀ ଜଳପ୍ରପାତ, ପ୍ରଶାସନର ସହଯୋଗ ମିଳିଲେ ଆହୁରି ବଢ଼ିବ ସୌନ୍ଦର୍ଯ୍ୟ

ନାରାୟଣପାଟଣା: ପ୍ରାକୃତିକ ଶୋଭାରାଜିର ସୌନ୍ଦର୍ଯ୍ୟର ଗନ୍ତାଘରର ପରିଚୟ ସର୍ବଦା ଦେଇଆସୁଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା। ଏଠାରେ ଜଙ୍ଗଲ, ପାହାଡ଼, ଝରଣାରେ ଭରି ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେମାନଙ୍କ ମଧ୍ୟରୁ ରାଣିଡୁଡୁମା, ପୁଜିସିଲ ପରି ଛୋଟ-ବଡ଼ ଜଳପ୍ରପାତ। ଆଉ ସେଥିମଧ୍ୟରୁ ନାରାୟଣପାଟଣା ବ୍ଲକର ତଳଗୁମାଣ୍ଡି ପଂଚାୟତ ଅନ୍ତର୍ଗତ ବାରୀ ଜଳପ୍ରପାତ ଅନ୍ୟତମ। ବର୍ତ୍ତମାନ ଏହି ଜଳପ୍ରପାତ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଲୁଚି ରହିଛି। ଏହି ପର୍ଯ୍ୟଟନ ସ୍ଥଳୀକୁ ଯଦି ପ୍ରଶାସନର ସହଯୋଗ ମିଳନ୍ତା, ତା’ହେଲେ ଏଠାକାର ସୁନ୍ଦରତାକୁ ଆହୁରି ବୃଦ୍ଧି କରିବ। ଏହା ଦ୍ୱାରା ଏଠାକୁ ମାତ୍ରାଧିକ ପର୍ଯ୍ୟଟକ ପହଞ୍ଚି ପାରିବେ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଝରଣା
ବାରୀ ଜଳପ୍ରପାତ ସତେ ଯେପରି ପର୍ଯ୍ୟଟନ ମାନଚିତ୍ରରେ ଲୁକାୟିତ ଏବଂ ଅବହେଳିତ ଭାବେ ରହିଥିବା ଜଣାପଡିଛି। ତଥାପି ଏହା ଲୋକଲୋଚନକୁ ଆସିବା ପରେ ଆସ୍ତେ ଆସ୍ତେ ଶୀତ ଦିନେ ସାଙ୍ଗ ସାଥି ସଦସ୍ୟଙ୍କ ସହ ଏଠାରେ ବଣଭୋଜି କରିବାକୁ ସୁଅ ଛୁଟୁଛି। ଏହି ବାରୀ ଜଳପ୍ରପାତରେ ପ୍ରାକୃତିକ କୋଳରେ ପାହାଡ଼ ଦେଇ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପର୍ଯ୍ୟଟନ ମାନଚିତ୍ରରେ ଲୁକାୟିତ ରହିଥିବା ଏହି ବଣଜଙ୍ଗଲ ଭରା ବାରୀ ଜଳପ୍ରପାତର ପ୍ରାକୃତିକ ପରିବେଶରେ ବର୍ଷତମାମ ବଣଭାଜି ଦେଖିବାକୁ ମିଳୁଥିବା ବେଳେ ଏଠାକୁ ଏଠାକାର ଆଦିବାସୀମାନେ ଭୋଜିଭାତ କରି ବେଶ ଖୁସି ମନାନ୍ତି।

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ
ଆନ୍ଧ୍ରପ୍ରଦେଶ ସାଲୁରୁର କମାମ ଓ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଂଚାୟତ ମଝିରେ ରହିଛି ବାରୀ ଜଳପ୍ରପାତ। ଚଳିତ ମାସରେ ଏଠାକାର କିଛି ସ୍ଥାନୀୟ ଯୁବକ ବାରୀ ଜଳପ୍ରପାତକୁ ଯାଇ ସେଠାକାର ମନୋରମ ଦୃଶ୍ୟ ସୁନ୍ଦର ପ୍ରାକୃତିକ ପରିବେଶ ଫଟୋ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସପ୍ତାହ ଭିତରେ ଏହାକୁ ହଜାର ହଜାର ପ୍ରଶଂସକ ପସନ୍ଦ , ଟିପ୍ପଣୀ ଓ ସେୟାର କରିସାରିଛନ୍ତି।

ଅବହେଳିତ ପର୍ଯ୍ୟଟନ ସ୍ଥଳୀ
ବାରୀ ଜଳପ୍ରପାତ ଲୋକଲୋଚନକୁ ଆସିବା ପରେ ଏହାକୁ ପ୍ରଶାସନ ହାତମୁଠାକୁ ନେଇ ଏହାର ବିକାଶ କଲେ କୋରାପୁଟର ନାରାୟଣପାଟଣା ବ୍ଲକ ଓଡ଼ିଶା ପର୍ଯ୍ୟଟନ ସ୍ଥଳୀରେ ନାମ ପାଇବ ବୋଲି ଏଠାକାର ବୁଦ୍ଧିଜୀବୀ କହୁଛନ୍ତି। ଯାହାକି ଦକ୍ଷିଣ ଓଡ଼ିଶାର ଲକ୍ଷ ଲକ୍ଷ ପର୍ଯ୍ୟଟକ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପଡ଼ୋଶୀ ଛତିଶଗଡ଼ର ତିରଥଗଡ଼କୁ ଯାଉଛନ୍ତି, ତା’ଠାରୁ ଏହି ବାରୀ ଜଳପ୍ରପାତ ବହୁ ମାତ୍ରାରେ ସୁନ୍ଦର ଓ ସମ୍ମହୋନ ସୃଷ୍ଟି କରୁଛ। ଏହି ଜଳପ୍ରପାତ ତଳଗୁମାଣ୍ଡୀ ପଂଚାୟତର ବାରୀର ଏକ ପାହାଡ଼ରୁ ବାହାରି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସାଲୁରୁ ଦେଇ ଅତିବାହିତ ହେଉଛି। ଲୋକଲୋଚନର ଦୃଷ୍ଟି ଆଢ଼ୁଆଳରେ ଆସିଥିବା ବାରୀ ଜଳପ୍ରପାତକୁ ଯିବା ପାଇଁ ରାସ୍ତା ନାହିଁ। ଏଠାରେ ଜଳପ୍ରପାତ ଦୁଇଟି ରହିଛି। କିନ୍ତୁ ଏହାକୁ ଅତି ନିକଟରୁ ଦେଖିବା କଷ୍ଟକର। କାରଣ ଏହା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି।

କେମିିତି ଯିବେ ବାରୀ ଜଳପ୍ରପାତ
ଜିଲ୍ଲା ସଦର ମହକୁମାଠାରୁ ୬୦ କିଲୋମିଟର ଦୂରରେ ଥିବା ଏହି ପର୍ଯ୍ୟଟନସ୍ଥଳ ୩୨୯ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଆସିବା ପରେ, ସେଠାରୁ ୨୨ କିଲୋମିଟର ଦୂର ୫୧ ନମ୍ବର ରାଜ୍ୟ ରାଜପଥରେ ନାରାୟଣପାଟଣା ବ୍ଲକ ସଦର ଆସିବାକୁ ପଡିଥାଏ। ପୁଣି ନାରାୟଣପାଟଣା ସଦର ଠାରୁ ୨୦ କିଲୋମିଟର (ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା) ରାସ୍ତା ଅତିକ୍ରମ କରି ତଳଗୁମାଣ୍ଡି ପଂଚାୟତରେ ପହଂଚି, ସେଠାରୁ ପାଖାପାଖି ବାରୀ ୪କିଲୋମିଟର ଯିବାକୁ ପଡ଼େ। ବାରୀ ଯାଏ ପକ୍କା ରାସ୍ତା ରହିଛି। ପୁଣି ସେମିଳିଗୁଡାରୁ ଦୁଧାରୀ ଦେଇ ତଳଗୁମାଣ୍ଡି ଗ୍ରାମ ପଂଚାୟତକୁ ପକା ରାସ୍ତା ରହିଛି। ପାଖାପାଖି ୩୫ କିଲୋମିଟର ପଡ଼ିବ ବାରୀ ଗ୍ରାମ ଠାରୁ ଏହି ଜଳପ୍ରପାତ କୁ ଯିବାକୁ ରାସ୍ତା ନାହିଁ। ବାରୀ ଗ୍ରାମ ପାଖ ପାହାଡ଼ରେ ଏହି ଜଳପ୍ରପାତ ବୋହି ଥିବାରୁ ଏହାକୁ ବାରୀ ଜଳପ୍ରପାତ କୁହନ୍ତି ସ୍ଥାନୀୟ ବାସିନ୍ଦା। ସେଠାକାର ବାସିନ୍ଦା ପାହାଡ଼ ଜଙ୍ଗଲକୁକୁ ପାଦରେ ଫଟେଇ ତିନି କିଲୋମିଟର ଡଙ୍ଗର ପାହାଡ଼ ଘାଟି ଚଢ଼ିଲା ପରେ ଏହି ବାରୀ ଜଳପ୍ରପାତ ଦେଖାଯାଏ। ସେଠାରୁ ପୁଣି ସାଢେ ତିନି କିଲୋମିଟର ଅତିକ୍ରମ କରିବା ପରେ ପୁଣି ଏକ ବଡ଼ ଜଳପ୍ରପାତ ଦେଖାଯାଏ। ପର୍ଯ୍ୟଟକଙ୍କୁ ଅତି ସାବଧାନତାର ସହିତ ଯିବାକୁ ପଡିଥାଏ।

ସମ୍ବନ୍ଧିତ ଖବର