ସମର୍ଥନମ ଜାତୀୟ ଦୃଷ୍ଟିହୀନ ମହିଳା ଟ୍ବେଣ୍ଟି-୨୦, କର୍ଣ୍ଣାଟକକୁ ହରାଇ ଓଡ଼ିଶା ବିଜେତା

ଭୁବନେଶ୍ବର: ପ୍ରଥମ ସମର୍ଥନମ ଜାତୀୟ ଦୃଷ୍ଟିହୀନ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହେବାର ଗୌରବ ଅର୍ଜନ କରିଛି। ଦିଲ୍ଲୀର ସିରି ଫୋର୍ଟସ୍ଥିତ ଡିଡିଏ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଗୁରୁବାର ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶା ୮୭ ରନ୍‌ରେ କର୍ଣ୍ଣାଟକକୁ ପରାସ୍ତ କରି ଏହି ଟ୍ରଫି କରାୟତ କରିଛି। ପ୍ରଥମେ ବ୍ୟାଟିଂ ପାଇଥିବା ଓଡ଼ିଶା ୮ ୱିକେଟ୍‌ ହରାଇ ୨୧୮ କରିଥିଲା। ଫୁଲ ସୋରେନ୍‌ ୩୯ (୨୭ ବଲ୍‌), ଅଧିନାୟିକା ଲିନା ସ୍ବାଇଁ ୩୩ (୩୫ ବଲ୍‌) ରନ୍‌ କରିଥିଲେ। ଜବାବରେ କର୍ଣ୍ଣାଟକ ୮ ୱିକେଟ୍‌ ବିନିମୟରେ ୧୩୧ ରନ୍‌ କରିପାରିଥିଲା। ଓଡ଼ିଶାର ଦୁଇ ତାରକା ଲିନା ସ୍ବାଇଁ (ବି-୨) ଓ ପଦ୍ମିନୀ ଟୁଡ଼ୁ (ବି-୧) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ କର୍ଣ୍ଣାଟକର ବର୍ଷା ୟୁ (ବି-୧), ଓଡ଼ିଶାର ବାସନ୍ତୀ ହାଂସ୍‌ଦା (ବି-୨) ଓ ଝାଡ଼ଖଣ୍ଡ ଅଧିନାୟିକା ଗୀତା ମହତୋ (ବି-୩) ପ୍ରତି‌‌ଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ସାଂସଦ ମୀନାକ୍ଷୀ ଲେଖି, ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଏବଂ ଓଏନ୍‌ଜିସି ଅଧିକାରୀ ଏଚ୍‌ପି ସିଂହ ଉପସ୍ଥିତ ଥିଲେ। ବିଜେତା ‌ଦଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀସ୍ଥିତ ନିଜ ବାସଭବନକୁ ନିମନ୍ତ୍ରଣ କରିବା ସହ ଶୁଭଚ୍ଛା ଜଣାଇଥିଲେ। ଅନ୍ତର୍ଜାତୀୟ କ୍ରିକେଟର୍‌ ସୁଖରାମ ମାଝୀ, ଲିଙ୍ଗରାଜ ରାଉତରା, ପଙ୍କଜ ଭୁଏ‌, ମହମ୍ମଦ ଜାଫରଙ୍କ ସହ କାଭି ଓଡ଼ିଶା ଅଧିକାରୀ ବିରଞ୍ଚି ନାରାୟଣ ସାହୁ, ପ୍ରଜ୍ଞା ପରମିତା ବେହେରା, ପ୍ରକାଶ କୁମାର ରଥ, ଚନ୍ଦ୍ର ଶେଖର ପଟ୍ଟନାୟକ, ଭାରତୀ ବେହେରା, ଅଶୋକ କୁମାର ସାହୁ ଓ ‌‌ଯୋଗେନ୍ଦ୍ର ଜାନି ପ୍ରମୁଖ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର