ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ମହିଳା ଦୃଷ୍ଟିହୀନ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣରେ ବିଜେତା ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ‌ନିର୍ମାନ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୧୦ ୱିକେଟ୍‌ରେ ହରିୟାଣାକୁ ପରାସ୍ତ କରି ଏହି ପ୍ରତିଯୋଗିତାରେ ଅପରାଜେୟ ଧାରା ଜାରି ରଖିଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହରିୟାଣା ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟ୍‌ ହରାଇ ୩୯ ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ପଦ୍ମିନୀ ଟୁଡ଼ୁ ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ଫୁଲ ସୋରେନଙ୍କ ଅପରାଜିତ ୩୪ ରନ୍‌ (୧୪ ବଲ୍‌) ବଳରେ ମାତ୍ର ୨.୫ ଓଭରରେ ବିନା କ୍ଷତିରେ ବିଜୟୀ ହୋଇଥିଲା। ସୋରେନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବୁଧବାର ଓଡ଼ିଶା ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ରେ ମଧ୍ୟପ୍ରଦେଶକୁ ଭେଟିବ।

ଜାଫର ସମ୍ବର୍ଦ୍ଧିତ

publive-image

ଦୃଷ୍ଟିହୀନ କ୍ରିକେଟ୍ ପାଇଁ ଦେଇଥିବା ଅତୁଳନୀୟ ଅବଦାନ ଲାଗି ଓଡ଼ିଶାର ବିଶ୍ବକପ୍ ବିଜୟୀ ଦୃଷ୍ଟିହୀନ କ୍ରିକେଟର୍‌ ମହମ୍ମଦ ଜାଫର ଇକବାଲଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଥୱରଚନ୍ଦ ଗେହଲଟ୍ ସମ୍ବର୍ଦ୍ଧିତ କରିଛନ୍ତି। ଏଥିଲାଗି ଜାଫର ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ ଏବଂ ସମର୍ଥନମ୍ ଟ୍ରଷ୍ଟ୍‌କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସମ୍ବର୍ଦ୍ଧନା ଓ ସମ୍ମାନ ତାଙ୍କୁ ଆଗକୁ ଦୃଷ୍ଟିହୀନ କ୍ରିକେଟ୍‌ର ବିକାଶ ଲାଗି ଆହୁରି ଭଲ କାମ କରିବାକୁ ଉତ୍ସାହିତ କରିବ ବୋଲି ଜାଫର କହିଛନ୍ତି।