ନବୀନଙ୍କ ରୋଡ୍ ସୋ’ରେ ବିପୁଳ ଜନ ସମାଗମ: ଶେଷ ନିଶ୍ୱାସ ଥିବା ମୁଁ ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଲେ ବିଜେଡି ସୁପ୍ରିମୋ

ବ୍ରହ୍ମପୁର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ଚଳାଇଛନ୍ତି  ମାରାଥନ ପ୍ରଚାର । ଧରାକୋଟ, ତୁମୁଡ଼ିବନ୍ଧ ଓ ସୋରଡ଼ା ରୋଡ୍ ସୋ’ ପରେ ଆସିକା ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ମାଗିବା ସହ   ଖରାକୁ  ଖାତିର  ନ କରି  ବହୁ ସଂଖ୍ୟାରେ ଆସି  ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥି ସହ ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ । ଶେଷ ନିଶ୍ୱାସ ଥିବା ମୁଁ ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ତେଣୁ ମୋତେ ଆଶର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ବିଜେଡି ସୁପ୍ରିମୋ।

ସେହିପରି ସୋରଡ଼ାରୁ ବ୍ରହ୍ମପୁର ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସରେ ରୋଡ୍ ସୋ’ କରିଛନ୍ତି । ଏହି ରୋଡ୍ ସୋ’ରେ ସ୍ଥାନୀୟ ଅଞ୍ଚଳର ହେଭିୱେଟ୍ ନେତା ସାମିଲ ହୋଇଥିଲେ । ବିଜେଡି ଷ୍ଟାର ପ୍ରଚାରକ  ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥୀ, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ବିଜେଡିର ବହୁ କର୍ମୀ ଓ ସମର୍ଥକ ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ ।

ଏହା ପୂର୍ବରୁ ଫୁଲବାଣୀର ତୁମୁଡ଼ିବନ୍ଧ ଠାରେ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି। ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। ଆମ ସରକାର ଆସିବାର ପ୍ରଥମ ଦିନ ପୁଣି କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳିବ।

କନ୍ଧମାଳ ସଂସଦୀୟ କ୍ଷେତ୍ରକୁ ମାରାଥନ୍‌ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌। କେନ୍ଦ୍ର ଓଡ଼ିଶାକୁ କୌଣସି ସହଯୋଗ କରୁନି, ଭୋଟ୍‌ ମାଗିବାକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି।

ସମ୍ବନ୍ଧିତ ଖବର