ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ: ‘ଯୁବବର୍ଗ ନେତାଜୀଙ୍କ ପଥର ପଥିକ ହୁଅନ୍ତୁ’

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଦେଶପ୍ରେମ ଦିବସ ସମାରୋହ
ଭୁବନେଶ୍ୱର : ନେତାଜୀଙ୍କ କାର୍ଯ୍ୟଶୈଳୀ, ଆଦର୍ଶ ଓ ରାଜନୈତିକ ଚେତନା ପ୍ରତିଟି ମୁହୂର୍ତ୍ତରେ ସମସ୍ୟା ଜର୍ଜରିତ ସାଧାରଣ ମଣିଷକୁ ନୂଆ ଦିଶା ଓ ପ୍ରେରଣା ପ୍ରଦାନ କରିଥାଏ। ଦେଶର ଯୁବବର୍ଗ ନେତାଜୀଙ୍କ ପଥର ପଥିକ ହୋଇପାରିଲେ, ଦେଶରେ ସାମଗ୍ରିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ।  ୟୁନିଟ୍‌-୬ସ୍ଥିତ ନେତାଜୀ ଭବନ ପରିସରରେ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଆଜି ଏହା କହିଛନ୍ତି। ଆଜାଦ୍‌ ହିନ୍ଦ୍‌ ବାହିନୀ ପକ୍ଷରୁ ଆୟୋଜିତ ଏହି ଦେଶପ୍ରେମ ଦିବସ ସମାରୋହରେ ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ର ସଭାପତିତ୍ୱ କରିଥିଲେ।

ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦେଶରେ ଭୋକ, ଭୟ ଓ ଭ୍ରଷ୍ଟାଚାର ରାଜୁତି କରୁଛି। ସରକାର ଦେଶର ପ୍ରାକୃତିକ ସମ୍ପଦଗୁଡ଼ିକୁ ଶାଗମାଛ ଦରରେ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଭଳି ମଣିଷର ସାଧାରଣ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ଗାଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ସରକାରମାନେ ବ୍ୟର୍ଥ ହୋଇଛନ୍ତି। ବସ୍ତୁତଃ ଆମ ଦେଶ ଆଉ ଏକ ପରାଧୀନତା ଆଡ଼କୁ ମୁହାଁଉଛି ବୋଲି ସେ କହିଥିଲେ। ଆଜାଦ୍ ହିନ୍ଦ୍ ବାହିନୀର ସୈନିକମାନେ ଦେଶକୁ ଆସନ୍ନ ବିପତ୍ତିରୁ ରକ୍ଷା କରିବା ପାଇଁ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ବାନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୁବ ସାମ୍ବାଦିକ ସୁଧାଶୁଂ ଶେଖର ରାଉତ, ଭାଷା ଆନ୍ଦୋଳନର ନେତା ଚକ୍ରଧର ମହାନ୍ତ ପ୍ରମୁଖ ବକ୍ତବ୍ୟ ରଖି ଆମ ଦେଶ ଆଜି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଏବଂ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଆବଶ୍ୟକତାକୁ ଆଜାଦ୍ ହିନ୍ଦ୍ ବାହିନୀର ସୈନିକମାନେ ନେତୃତ୍ୱ ଦେବାକୁ ନିଜ ବକ୍ତବ୍ୟରେ ଅତିଥିମାନେ ଆହ୍ୱାନ କରିଥିଲେ। ଏହି ଅବସରରେ ଜସ୍ମିନ୍ ପରିଡ଼ା ଓ ସତ୍ୟବ୍ରତ ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଅତିଥିମାନେ ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖ‌ରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ସକାଳେ ଅନୁଷ୍ଠାନ ପକ୍ଷରୁ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଆଜାଦ୍ ବାହିନୀର ସିପାହୀମାନେ ପ୍ରତିମୂର୍ତି ନିକଟରେ ନେତାଜୀଙ୍କୁ ଗାର୍ଡ-ଅଫ୍‌-ଅନର୍‌ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ର, ଆଜାଦ୍ ହିନ୍ଦ୍ ବାହିନୀର ସିପାହୀ ଅଭିମନ୍ୟୁ କିଷାନୀ, ଲକ୍ଷ୍ମୀ ଦୋରା, ସୁବତୀ ଦଳାଇ, ସୋମନାଥ ଖୀଲ, ବିକ୍ରମ କାଣ୍ଡି ଏବଂ ସୁଶିଲ୍ ଥାନ୍‌ପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

ବିଧାନସଭାରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଚିରବିପ୍ଳବୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ବିଧାନସଭା ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବୀର ସୁରେନ୍ଦ୍ରସାଏଙ୍କୁ ଏକ ଅନବଦ୍ୟ ଅନିର୍ବାଣ ଶିଖା ରୂପେ ବର୍ଣ୍ଣନା କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନ ଥିଲା। କୃତଜ୍ଞ ଓଡ଼ିଆ ଜାତି ତାଙ୍କୁ ଚିରଦିନ ପାଇଁ ମନେ ରଖିଥିବ ବୋଲି ସେ କହିଥିଲେ। ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ବିଧାନସଭା ନିରାପତ୍ତା ଅଧିକାରୀ ଗୋପାଳକୃଷ୍ଣ ପ୍ରଧାନ, ବାଚସ୍ପତିଙ୍କ ମାର୍ଶାଲ ଦେବାଶିଷ ପ୍ରଧାନ, ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ବାଚସ୍ପତିଙ୍କ ଲୋକସଂପର୍କ ଅଧିକାରୀ ଭୂଜଙ୍ଗ ରାଓ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଧାନସଭା ଯୁଗ୍ମନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ। ଏହି ଅବସରରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାଶ୍ୱତୀ ପକ୍ଷରୁ ଦେଶତ୍ମବୋଧ ସଂଗୀତ ପରିବେଷଣ କରାଯାଇଥିଲା।

ନେତାଜୀ ମୁକ୍ତି ଓ ସ୍ୱାଧୀନତାର ଅନିର୍ବାଣ ଅଗ୍ନିଶିଖା
ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପାର୍ଟିର କର୍ମକର୍ତ୍ତାମାନେ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପାର୍ଟିର ରାଜ୍ୟସଭାପତି ରବି ବେହେରା ଉଦ୍‌ବୋଧନ ଦେଇ କହିଥିଲେ, ନେତାଜୀ ହେଉଛନ୍ତି ମାନବ ସମାଜର ଇତିହାସରେ ମୁକ୍ତି ଓ ସ୍ୱାଧୀନତାର ଏକ ଅନିର୍ବାଣ ଅଗ୍ନିଶିଖା। ଭାରତ ବର୍ଷର ଇତିହାସ ତାଙ୍କୁ ଯେଉଁ ସ୍ଥାନ ଦେବା କଥା, ତାହା ଦେଇନାହିଁ। ତାଙ୍କର ଏହି ଜୟନ୍ତୀ ଅବସରରେ ତାଙ୍କ ନାମରେ ଏକ ଜାତୀୟ ପୁରସ୍କାର ଘୋଷଣା କରିବାକୁ ଶ୍ରୀ ବେହେରା ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ସେହିପରି ଓଡ଼ିଶା ଇତିହାସରେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହର ଗାଥାକୁ ପୁନର୍ଲିଖନ କରିବା ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଥିଲା।

କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ଯୁବ ଜନସଭା ଜାତୀୟ ସମ୍ପାଦକ ସୁନୀଲ ମିଶ୍ର, ଯୁବନେତା ଦେଶପ୍ରିୟ ଦାସ, ଅଜୟ ସାହୁ ଓ ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର