ସମ୍ବଲପୁର, ୧।୪ (ଇମିସ): ‌ମାଁ ସମଲେଶ୍ବରୀଙ୍କ କ୍ଷେତ୍ରର ବିକାଶ ପାଇଁ ହାତକୁ ନିଆ ଯାଇଥିବା ମହତ୍ବାକାଂକ୍ଷୀ ସମଲେଇ ଯୋଜନାରେ ଏକ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘୁନ୍‌ଘୁଟିପଡ଼ାବାସୀଙ୍କ ବିସ୍ଥାପନ ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଥିଲାବେଳେ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ‘ସମ୍ବାଦ’ରେ ଘୁନଘୁଟିପଡ଼ାବାସୀଙ୍କ ସମସ୍ୟା ଓ ଦାବି ସଂପର୍କରେ ଏକାଧିକ ରିପୋର୍ଟ ପ୍ରକାଶିତ ପାଇଥିଲା। ଏହାପରେ ସେମାନଙ୍କର ଏକ ପ୍ରମୁଖ ଦାବିକୁ ସରକାର ଇତି ମଧ୍ୟରେ ଗ୍ରହଣ କରି ନେଇଛନ୍ତି। ଭଙ୍ଗାଯିବାକୁ ଥିବା ସେମାନଙ୍କ ଘର ବାବଦ କ୍ଷତିପୂରଣ ସହ ସେମାନଙ୍କୁ ଦିଆଯିବାକୁ ଥିବା ସରକାରୀ ଆବାସ ବାବଦ ଅର୍ଥ ଏକକାଳୀନ ପ୍ରଦାନ କରିବାକୁ ପଡ଼ାବାସୀ ଦାବି କରି ଆସୁଥିଲେ ଯାହା ରାଜ୍ୟ ସରକାର ମାନି ନେଇଛନ୍ତି।

Advertisment

ବର୍ତ୍ତମାନ ପଡ଼ାର ବିସ୍ଥାପିତ ହେବାକୁ ଥିବା ପ୍ରତି ପରିବାରକୁ ସରକାର ପ୍ରଧାନମନ୍ତ୍ରୀ ଆବାସ ବାବଦ ଅର୍ଥ କିସ୍ତିରେ ପ୍ରଦାନ କରିବା ବଦଳରେ ଗୃହନିର୍ମାଣରେ ସୁବିଧା ପାଇଁ ଏକକାଳୀନ ପ୍ରଦାନ କରିବେ। ଏହି ରାଶି ପରିବାର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଆବାସ ଯୋଜନାରେ ପରିବାର ପିଛା ପ୍ରାୟ ୨ ଲକ୍ଷ ଟଙ୍କା କିସ୍ତିରେ ମିଳୁଥିବାବେଳେ ଏହି ଯୋଜନାରେ ସରକାର ଘର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ‌ଏକକାଳୀନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାବାଦ ଭଙ୍ଗା ହେବାକୁ ଥିବା ଢାଞ୍ଚାର ମୂଲ୍ୟାୟନ (ସର୍ବନିମ୍ନ ୫୦ ହଜାର ଟଙ୍କା) ଅନୁଯାୟୀ ଘରଭଙ୍ଗା କ୍ଷତିପୂରଣ ପ୍ରଦାନ କରାଯିବ। ସେହିପରି ସ୍ଥାନାନ୍ତର ବାବଦକୁ ୧୦ ହଜାର ଟଙ୍କା ଓ ୬ ମାସର ଘରଭଡ଼ା ବାବଦକୁ ମାସିକ ୨୫୦୦ ହିସାବରେ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଇତି ମଧ୍ୟରେ ଘର ଛାଡ଼ିବାକୁ ସ୍ବୀକୃତି ଦେଇ ଦସ୍ତଖତ କରି ସାରିଥିବା ପରିବାରଙ୍କୁ ଦୁର୍ଗାପାଲିର ନୂଆ ପୁନର୍ବାସ କଲୋନିରେ ୬୫୦ ବର୍ଗଫୁଟ୍‌ ଲେଖାଏଁ ପ୍ଲଟ୍‌ର ଦଖଲ ପ୍ରଦାନ କରାଯାଉଛି ଯାହାଦ୍ବାରା ସେମାନେ ତୁରନ୍ତ ଗୃହନିର୍ମାଣ ଆରମ୍ଭ କରିପାରିବେ। ସେହିପରି ପଟ୍ଟା ଗୁଡ଼ିକ ମଧ୍ୟ ପ୍ରସ୍ତୁତ ହେଲାଣି ଓ ପୁରୁଣା ଘର ଛାଡ଼ିବା ମାତ୍ରେ ତାହା ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି।

ଘୁନଘୁଟିପଡ଼ାରେ ସର୍ଭେ ଅନୁଯାୟୀ ପ୍ରାୟ ୨୨୦ ପରିବାରଙ୍କୁ ବିସ୍ଥାପିତ କରି କ୍ଷତିପୂରଣ ପ୍ରଦାନ କରିବାକୁ ତାଲିକା ପ୍ରକାଶ ପାଇଛି। ଆଉ ୧୦ଟି ପରିବାର ଏହି ତାଲିକାରୁ ବାଦ ପଡ଼ିଥିବାରୁ ସେମାନଙ୍କୁ ବି ସାମିଲ କରାଯାଉ ବୋଲି ପଡ଼ାବାସୀ ଦାବି କରୁଛନ୍ତି। ଇତି ମଧ୍ୟରେ ଦୁର୍ଗାପାଲିର ନୂଆ ଥଇଥାନ କଲୋନିରେ ବିସ୍ଥାପିତଙ୍କୁ ଦେବାକୁ ଥିବା ୪.୫ ଏକର ଜାଗାକୁ ମାଟି ପକାଇ ସମତଳ କରି ୨୦ ଫୁଟ୍‌ର ରାସ୍ତା ସହ ପ୍ଲଟିଂ କରାଯାଇଛି। ସେଠାରେ ୨ଟି ସାମୂହିକ ଶୌଚାଳୟ ନିର୍ମାଣ କରାଯାଉଛି। ଅସ୍ଥାୟୀ ପାଣି ଟାଙ୍କି ସବୁ ସ୍ଥାପନ କରାଯାଇଛି ଓ ଗୋଟିଏ ନଳକୂପ ଖୋଳାଯାଇଛି। ବିଜୁଳି ଓ ପାଇପ୍ ପାଣି ବ୍ୟବସ୍ଥା ହେଉଛି। ଏହାଛଡ଼ା ସେଠାରେ ୨ଟି ଅଙ୍ଗନବାଡ଼ି କେନ୍ଦ୍ର, ଗୋଟିଏ କମ୍ୟୁନିଟି ସେଣ୍ଟର, ଗୋଟିଏ ଶିଶୁ ଉଦ୍ୟାନ ତଥା ମନ୍ଦିର ନିର୍ମାଣର ଯୋଜନା ରହିଛି।

ଏସବୁ ପାଇଁ ମଧ୍ୟ ଜାଗା ଚିହ୍ନଟ ହୋଇଛି। ଏହି ନୂଆ ପୁନର୍ବାସ କଲୋନିର ନାମ ନୂଆ ଘୁନ୍‌ଘୁଟିପଡ଼ା ରଖିବା ପାଇଁ ପଡ଼ାବାସୀ ଅନୌପଚାରିକ ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଥଇଥାନ ପ୍ୟାକେଜ୍‌ରେ ସେମାନେ ସନ୍ତୁଷ୍ଟ ଥିବା ନେଇ ପଡ଼ାର କିଛି ଲୋକ ପ୍ରତିକ୍ରିୟାରେ କହିଛନ୍ତି। ଏ ସଂପର୍କରେ  ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ କହିବା ହେଲା ବିସ୍ଥାପିତଙ୍କ ଅଧିକାଂଶ ଦାବି ଗୁଡ଼ିକ ପୂରଣ କରାଯିବା ସହ ସେମାନଙ୍କୁ ଯେମିତି କୌଣସି ଅସୁବିଧା ନହେବ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ନୂତନ କଲୋନିରେ ଲାଇଟ୍‌ ଓ ପାଇପ୍‌ ପାଣି ପାଇଁ ଟେଣ୍ଡର ହୋଇ ସାରିଛି ଓ ଖୁବ୍ ଶୀଘ୍ର କାମ ହେବ। ସରକାରୀ ଆବାସ ବାବଦ ଅର୍ଥ ବିସ୍ଥାପିତଙ୍କୁ ଅନ୍ୟ ସବୁ କ୍ଷତିପୂରଣ ସହ ଆଗୁଆ ଚେକ୍ ଆକାରରେ ପ୍ରଦାନ କରାଯିବ, ଯାହାଦ୍ବାରା ସେମାନେ ଶୀଘ୍ର ନୂଆ ଘର ତିଆରି କରିପାରିବେ। ଯେଉଁମାନେ ଘର ଛାଡ଼ିବେ ସେମାନଙ୍କୁ ତୁରନ୍ତ ୬୫୦ ବର୍ଗଫୁଟ୍‌ ଜମିର ପଟ୍ଟା ମଧ୍ୟ ପ୍ରଦାନ କରାଯିବ। ଆଗାମୀ ବର୍ଷା ଋତୁ ପୂର୍ବରୁ ସେମାନେ ସମସ୍ତେ ଯେମିତି ନୂଆ ଘର କରି ସେଠାରେ ରହି ପାରିବେ ଆମେ ସେହି ଅନୁଯାୟୀ କାର୍ଯ୍ୟ କରୁଛୁ। ଦେଢ଼ ବର୍ଷ ମଧ୍ୟରେ ‘ସମଲେଇ’ ପ୍ରକଳ୍ପ ସଂପୂର୍ଣ୍ଣ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ଓ ସେ ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ବୋଲି ଶ୍ରୀ ପରିଡ଼ା କହିଥିଲେ।

ଭଙ୍ଗାଯିବ ନାହିଁ ଚନ୍ଦ୍ରଶେଖରଙ୍କ ଘର: ଜିଲ୍ଲାପାଳ

-ଅଧିଗ୍ରହଣ ପରେ ଗାନ୍ଧୀ ସ୍ମାରକୀ ଭାବେ ବିକଶିତ କରାଯିବ

ସମ୍ବଲପୁର, ୧।୪ (ଇମିସ): ‌କମଲିବଜାର ଗାୟତ୍ରୀ ମନ୍ଦିର ନିକଟରେ ଥିବା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଘର ଭଙ୍ଗାଯିବ ନାହିଁ। ତାକୁ ଅଧିଗ୍ରହଣ କରି ଏକ ସ୍ମାରକୀ ଭାବେ ବିକଶିତ କରାଯିବ। ଏହି ଘରେ ମହାତ୍ମା ଗାନ୍ଧୀ ରାତ୍ର ରହଣି କରିଥିବାରୁ ସମଲେଇ ପ୍ରକଳ୍ପ ମଧ୍ୟରେ ଏହା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ପାଲଟିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।  ପ୍ରକାଶଥାଉ କି, ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହି ଗୃହକୁ ଏକ ସ୍ମାରକୀ ଭାବେ ବିକଶିତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ ସେତେବେଳେ କହିଥିଲେ। ଏହାକୁ ଆଉ ଭଙ୍ଗା ନଯାଇ ଐତିହାସିକ ସ୍ମାରକୀ ଭାବେ ସଂରକ୍ଷିତ ରଖାଯିବ ବୋଲି ଶୁକ୍ରବାର ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ନିଶ୍ଚିତ କରିଛନ୍ତି। ତେବେ ଉକ୍ତ ଘରେ ରହୁଥିବା ଚନ୍ଦ୍ରଶେଖରଙ୍କ ଦାୟାଦ ମାନଙ୍କୁ ସମଲେଇ ଯୋଜନାର ବିସ୍ଥାପନ ନିୟମ ଅନୁଯାୟୀ ଘର ଛାଡ଼ିବାକୁ ହେବ। ସେମାନଙ୍କଠାରୁ ସରକାର ଏହି କୋଠାକୁ ଅଧିଗ୍ରହଣ କରି‌ବା ପରେ ବିକଶିତ କରିବେ ବୋଲି ଶ୍ରୀ ପରିଡ଼ା ସ୍ପଷ୍ଟ କରିଛନ୍ତି।