ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ୍ କୁମାର ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି । ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନା ଦିଆଯାଇଛି । ପବନର ରାଜକ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆସି ନ ଥିବାରୁ ମାର୍ଚ୍ଚ ୩ ତାରିଖ ଲାଗି ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପବନ୍ କୁମାର ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ନାମରେ ଜାରି ମୃତ୍ୟୁ ପରୱାନାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସୋମବାର ଦିନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ପବନ କୁମାରର ରାଜକ୍ଷମା ଆବେଦନ ଖାରଜ କରିବା ପରେ ପୁଣି ଥରେ ୪ ନିର୍ଭୟା  ଦୋଷୀଙ୍କ ଫାଶୀ ଲାଗି ପଥ ସୁଗମ ହୋଇଛି।

ସୋମବାର ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ପବନ କୁମାର ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲା। ସେ ଶେଷ ମୁହୂର୍ତ୍ତରେ ରା‌ଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ଯୋଗୁ ଏହା ଉପରେ ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ରହିତାଦେଶ ଜାରି କରିଥିଲେ । ବିଚାରପତି ରାଣା କହିଥିଲେ ଯେ ଦୋଷୀ ପବନର ରାଜକ୍ଷମା ରାଷ୍ଟ୍ରପତିଙ୍କ ନିକଟରେ ବିଚାର ପାଇଁ ରହିଥିବାରୁ ‌ସେମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବାକୁ ଥିବା ଫାଶୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା। ଫାଶୀକୁ ଅଟକାଇବା ପାଇଁ ଦୋଷୀ ପବନ କରିଥିବା ଆବେଦନକୁ ସୋମବାର ସକାଳେ ପ୍ରଥମେ ବିଚାରପତି ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଦୋଷୀ ପବନର କ୍ୟୁରେଟିଭ ପିଟିସନକୁ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ଓକିଲ ଏ ପି ସିଂହ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ। ପୂର୍ବରୁ ଅନ୍ୟ ୩ ଦୋଷୀଙ୍କର କ୍ୟୁରେଟିଭ ପିଟିସନକୁ  ସର୍ବୋଚ୍ଚ ଅଦାଲତ ଖାରଜ କରିସାରିଛନ୍ତି। ‌ମୁକେଶ ସିଂହ ଏବଂ ବିନୟ ଶର୍ମାର କ୍ୟୁରେଟିଭ ପିଟିସନକୁ ଜାନୁଆରି ୧୪ରେ ଏବଂ ଅକ୍ଷୟ ଠାକୁରର କ୍ୟୁରେଟିଭ ପିଟିସନକୁ ଜାନୁଆରି ୩୦ରେ ସୁପ୍ରିମ କୋର୍ଟ କରିଥିଲେ। ଶୁଣାଣି ବେଳେ ବିଚାରପତି ରାଣା କହିଥିଲେ ଯେ ୭ ଦିନ ମଧ୍ୟରେ ଆଇନଗତ ସୁବିଧା ସୁଯୋଗକୁ ସମ୍ପୂର୍ଣ୍ଣ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ଦେଇଥିବା ସମୟସୀମା ଶେଷ ହୋଇସାରିଛି।

ସମ୍ବନ୍ଧିତ ଖବର