ବଜେଟ୍ ‘ବହି ଖାତା’ ସହ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ଣ ୧୧ଟା ବେଳେ ସଂସଦରେ ଉପସ୍ଥାପିତ ହେବ ଦେଶର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ । ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ସେ ବଜେଟ୍ ‘ବହି ଖାତା’ ସହ ପହଞ୍ଚିଗଲେଣି ଅର୍ଥ ମନ୍ତ୍ରାଳୟରେ। ତାଙ୍କର ସହଯୋଗୀ ତଥା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅର୍ଥ ମନ୍ତ୍ରାଳୟରେ ଉପସ୍ଥିତ ହୋଇଗଲେଣି।

ଏବେ ଅର୍ଥ ମନ୍ତ୍ରାଳୟରୁ ନଥି ପତ୍ର ନେଇ ରାଷ୍ଟ୍ରପତିଙ୍କ ପାଖକୁ ଯିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିବେ ସୀତାରମଣ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍ । ସରକାର ଗଢିବାର ୭ ମାସ ମଧ୍ୟରେ ନୀତି ନିର୍ଧାରଣ ଓ ଆର୍ଥିକ ସ୍ଥିତି ସଜାଡିବା କ୍ଷେତ୍ରରେ ମୋଦୀ ସରକାରଙ୍କ ପାଇଁ ଏହାକୁ ଦ୍ୱିତୀୟ ସୁଯୋଗ ବୋଲି କୁହାଯାଇପାରେ । ସଂପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ।

ଏହାଛଡା ନିର୍ବାଚନ ପରବର୍ତ୍ତୀ ତଥା ଦଶନ୍ଧୀର ପ୍ରଥମ ବଜେଟ୍ କେତେ ଲୋକାଭିମୁଖୀ ହେବ ଆଉ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ତା ଉପରେ ସାରା ଦେଶର ନଜର ଅଟକିଛି ।  ନିର୍ମଳା ବଜେଟରେ କେତେକ କ୍ଷେତ୍ରରେ ଟିକସ ହ୍ରାସ ଉପରେ ଜୋର ଦେବେ ବୋଲି ଅନୁମାନ କରାଯାଉଛି । ତେବେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଏଥର ବିତ୍ତୀୟ ନିଅଂଟ କ୍ଷେତ୍ରରେ ରଖିଥିବା ଧାର୍ଯ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେବେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ପ୍ରଥମ ଥର ପାଇଁ ଦେଶରେ ବ୍ୟାଙ୍କ ବ୍ୟବସ୍ଥା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦରଦାମ ଆକାଶଛୁଆଁ ରହିଛି । ଲୋକଙ୍କ କ୍ରୟଶକ୍ତି କମିଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ଲକ୍ଷ୍ୟ ୬ ରୁ ୬.୫ ପ୍ରତିଶତ ଥିବା ବେଳେ ୫ ଟ୍ରିଲିଅନ ଡଲର ଅର୍ଥନୀତିର ସ୍ୱପ୍ନ କେମିତି ସାକାର ହେବ ତାକୁ ନେଇ ବି ସୃଷ୍ଟି ହୋଇଛି ପ୍ରଶ୍ନ । ଏପରି ସ୍ଥିତିରେ ସାଧାରଣ ଜନତା, କ୍ଷୁଦ୍ର ବ୍ୟବସାୟୀ, ବ୍ୟାଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଏହି ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର