ରାଜ୍ୟର ୯୦ଟି ବିଦ୍ୟାଳୟରେ କଳାପଟା ନାହିଁ, ବିଧାନସଭାରେ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:  ରାଜ୍ୟର ସରକାରୀ ସ୍କୁଲର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି । କେଉଁଠି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର ସମସ୍ତ ତଥ୍ୟ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ  ଓ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି କିଭଳି ରହିଛି ଓ କେତେ ସଂଖ୍ୟକ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଛାଡି ଘରୋଇ ବିଦ୍ୟାଳୟ ଯାଇଛନ୍ତି ସେ ବାବଦରେ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ ।

ଏହାର ଉତ୍ତରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ଥିବା ସମସ୍ତ ୫୧୪୩୪ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪୩୯୪ ସ୍କୁଲରେ ପାଣି ସହ ଶୌଚାଳୟ ବ୍ୟବସ୍ଥା ନାହିଁ । ସେହିଭଳି ୩୫୬୭୯ଟି ବିଦ୍ୟାଳୟରେ ବିଜୁଳିର ବ୍ୟବସ୍ଥା ନାହିଁ । ୩୭୬୪୫ଟି ସ୍କୁଲରେ ଖେଳ ପଡିଆ ନାହିଁ । ୨୪୫୧ଟି ସ୍କୁଲରେ ପାଠାଗାର ନାହିଁ । ସବୁଠୁ ବଡ କଥା ହେଲା, ୯୦ଟି ବିଦ୍ୟାଳୟରେ କଳାପଟା ନଥିବା ବେଳେ ୧୬୩୬୮ଟି ବିଦ୍ୟାଳୟରେ ପାଚେରି ନାହିଁ ।

ସେହିପରି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏବେ ରାଜ୍ୟରେ ଥିବା ହାଇସ୍କୁଲ ଗୁଡିକ ମଧ୍ୟରୁ ୨୫୮୫ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି । ତେବେ ଏହା ପଛର କାରଣରେ ମନ୍ତ୍ରୀ କହିଛନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶ ଯୋଗୁଁ ଖାଲି ଥିବା SES ପ୍ରଧାନ ଶିକ୍ଷକ ପଦବୀ ଗୁଡିକୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯାଇପାରୁ ନାହିଁ । ତେବେ ଖୁବଶୀଘ୍ର ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର