କେନ୍ଦୁଝର: ଅନ୍ଧାର ଯୋଗୁଁ ଗତ ୨୮ ତାରିଖ ରାତି କେନ୍ଦୁଝର ଟାଉନ ଥାନା ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ସାହି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲିଗଲା। ଟ୍ରକ ଡ୍ରାଇଭର ଜଣକ ବରଯାତ୍ରୀଙ୍କୁ ଦେଖି ନପାରି ତାଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲା । ଏହା ସତ୍ତ୍ବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚେତା ପଶୁ ନାହିଁ । ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ବଜାର ଓଭର ବ୍ରିଜରେ ରାସ୍ତା ନିର୍ମାଣ ବେଳେ ଷ୍ଟ୍ରିଟ୍ ଲାଇଟ ଲାଗାଯାଇଥିଲା। ଲାଇଟ ଲାଗିବାକୁ ୬ ବର୍ଷର ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେହି ଲାଇଟ ଜଳି ପାରିଲା ନାହିଁ। ଗାୟତ୍ରୀ କମ୍ପାନି ୨୦ ନମ୍ବର ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟ କରିଥିଲା। ଏହି ସମୟରେ ସେହି କମ୍ପାନି ଲାଇଟ ମଧ୍ୟ ଲଗାଇଥିଲା।
୧୮ଟି ଲାଇଟ ପୋଷ୍ଟ କମ୍ପାନି ଲାଗାଇଥିବା ବେଳେ ଗାଡ଼ି ଧକ୍କାରେ ୪ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ତାହାର ମରାମତି ମଧ୍ୟ କରାଯାଇ ନାହିଁ। ବର୍ତ୍ତମାନ ସେଠାରେ ୧୪ଟି ଲାଇଟ ପୋଷ୍ଟ ରହିଛି । ହେଲେ ଦୁର୍ଭାଗ୍ୟର କଥା ଲାଇଟ ଲାଗିବାକୁ ଇତି ମଧ୍ୟରେ ୬ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଏହାକୁ ଜଲାଇବାର ଆବଶ୍ୟକ ବୋଲି ମଣୁ ନାହିଁ।
ସଂପୃକ୍ତ ସ୍ଥାନଟି ମଧ୍ୟ ଏକ ବ୍ଲାକ୍ ସ୍ପଟ ଅଞ୍ଚଳ ମଧ୍ୟରେ ଆସୁଛି। ଲୋକଙ୍କ ଧନଜୀବନକୁ ଏନଏଚଆଇ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନାହାନ୍ତି । କେବଳ ନାମକୁ ମାତ୍ର ସଡ଼କ ସୁରକ୍ଷା ସ୍ଲୋଗାନ ଦେଉଛନ୍ତି ଉଭୟ ଏନଏଚଆଇ ଏବଂ ପରିବହନ ବିଭାଗ । ରାଇସୁଆଁ ନିକଟରେ ଅନ୍ଧାର ଯୋଗୁଁ ବହୁ ସମୟରେ ବହୁ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଛି। ବ୍ଲାକ ସ୍ପଟ ସ୍ଥାନରେ ସଡ଼କ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ ଏନଏଚ୍ଆଇ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ଶ୍ରୀ ଦାସଙ୍କ ତାଗିଦକୁ ଏନଏଚ୍ଆଇ କର୍ତ୍ତୃପକ୍ଷ କେତେ ଗୁରୁତ୍ବ ଦେଇ ଏହାର ପ୍ରତିକାର କରୁଛନ୍ତି। ଏପରିକି ରାଇସୁଆଁ ସରପଞ୍ଚ ଅନନ୍ତ ଦେହୁରୀ ଏବଂ ଗୋପୀନାଥପୁର ସରପଞ୍ଚ ସରୋଜ କୁମାର ଦେହୁରୀ ମଧ୍ୟ ଏକାଧିକବାର ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଲାଇଟ ଜଳାଇବାର ବ୍ୟବସ୍ଥାର କରିବାକୁ ଦାବି କରିଛନ୍ତି। ଏନ୍ଏଚ୍ଆଇ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ଅଟେ । ତୁରନ୍ତ ଲାଇନ ନଜଳିଲେ ଦୁଇ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲେଇବେ ବୋଲି ସରପଞ୍ଚମାନେ ଚେତାବନୀ ଦେଇଛନ୍ତି।