ଭୁବନେଶ୍ବରରେ ଦେଲ… କଟକିଆଙ୍କୁ ଟିକା ନାହିଁ… ?

କଟକ: ଭୁବନେଶ୍ବରରେ ମିଳୁଛି, ହେଲେ କଟକରେ ନାହିଁ କରୋନା ଟିକା। ଦ୍ବିତୀୟ ଡୋଜ୍‌ ଟିକା ପାଇଁ ଅପେକ୍ଷା କରିଥିବା ଲୋକଙ୍କର ବି ନିର୍ଦ୍ଧାରିତ ସମୟ ପାଖାପାଖି ୧୫ ଦିନ ଗଡିଗଲାଣି। ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ‌ଲୋକେ ନିରାଶ ହୋଇ ଫେରୁଛନ୍ତି। ଏମିତିକି ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଟିକାକରଣର ତୃତୀୟ ପର୍ଯ୍ୟାୟ ଭୁବନେଶ୍ବର ଓ ଅନ୍ୟ କେତେକ ସହରରେ ଆରମ୍ଭ ହୋଇଯାଇଥିବା ବେଳେ କଟକରେ କିନ୍ତୁ ଆରମ୍ଭ ହୋଇପାରୁ ନାହିଁ। ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ସରକାର ଘୋଷଣା କରି ଦେଲେ ସତ କିନ୍ତୁ କଟକରେ ବି ସେମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ସୁବିଧା ନାହିଁ। କଟକରେ ଏବେ ମାତ୍ର ୮୦ ଡୋଜ ଟିକା ଗଚ୍ଛିତ ଥିବାବେଳେ ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମପୁରାଠାରେ ଥିବା ଜିଲ୍ଲାର ଏକମାତ୍ର କେନ୍ଦ୍ରରେ ମାତ୍ର ଘଣ୍ଟାକ ଭିତରେ ଶହେ ଜଣଙ୍କୁ ଟିକା ଦିଆଯାଇଛି। କିନ୍ତୁ ଟିକା ଦିଆଯାଉଥିବା ଖବର ପାଇ ସେଠାକୁ ଆସିଥିବା ୨ଶହରୁ ଅଧିକ ଲୋକ ନିରାଶ ହୋଇ ଫେରିଛନ୍ତି।

କଟକକୁ ଟିକା କେବେ ଆସିବ ତା’ ଉତ୍ତର କାହା ପାଖରେ ନାହିଁ। କଟକରେ ପାଖାପାଖି ସପ୍ତାହେ ହେଲାଣି ଏଭଳି ସ୍ଥିତି ଲାଗି ରହିଛି। କଟକ ବଡ ଡାକ୍ତରଖାନା ସମେତ ସହର ଓ ଜିଲ୍ଲାର ୯୨ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏଥିରେ ଘରୋଇ ହସ୍ପିଟାଲକୁ ବି ସାମିଲ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କିନ୍ତୁ ଜିଲ୍ଲାକୁ ଯେତିକି ଟାର୍ଗେଟ ଆସୁଥିଲା ସେହି ଅନୁସାରେ ଟିକାକରଣ ହୋଇ ପାରୁନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଉନ୍ନତି ଘଟିଲା ଓ ଦିନକରେ ୧୦୫ଟି କେନ୍ଦ୍ରରେ ୨୩ହଜାର ଲୋକଙ୍କୁ ଟିକାକରଣ କରାଯାଇ ପ୍ରଶାସନ ରେକର୍ଡ କରିଥିଲ‌ା। ଏବେ ସ୍ଥିତି ଓଲଟା। ଟିକାର ସୁଫଳ  ଲୋକେ ଅନୁଭବ କରି ଟିକା ନେବାକୁ ଆଗେଇ ଆସୁଥିବା ବେଳେ ଟିକା ଅଭାବର ଅଭାବନୀୟ ଚିତ୍ର ସାରା ଜିଲ୍ଲାରେ ଦେଖିବାକୁ ମିଳୁଛି। କେଉଁଠି ଟିକାଦାନ କେନ୍ଦ୍ରରେ ଗଣ୍ଡଗୋଳ ତ ‌େକଉଁଠି ଠେଲାପେଲା ପାଟିତୁଣ୍ଡ। ବିଭିନ୍ନ ସ୍ଥାନରେ ଟିକା ନପାଇ ଘଣ୍ଟା ଘଣ୍ଟା ଧରି ଖରାରେ ଅପେକ୍ଷା କରି ଲୋକେ ନିରାଶ ହୋଇ ଫେରୁଛନ୍ତି। କଟକ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୭୧ ହଜାର ୪୦ ଡୋଜ୍‌ ‌ଟିକା ଆସିଥିବା ବେଳେ ସେଥିରୁ ମାତ୍ର ୮୦ ଡୋଜ୍‌ ଟିକା ବଳକା‌ ରହିଛି।

କଟକରେ କେଉଁ ବର୍ଗର କେତେ ଜଣ ନେଇଛନ୍ତି ଟିକା

କେଉଁ ବର୍ଗ ପ୍ରଥମ ଡୋଜ୍‌ ୨ୟ ଡୋଜ୍‌ ମୋଟ
ସ୍ବାସ୍ଥ୍ୟକର୍ମୀ ୨୮, ୧୪୫ ୨୧, ୫୦୫ ୪୯, ୬୫୦
ସମ୍ମୁଖ ଯୋଦ୍ଧା ୧୭, ୮୮୩ ୧୦, ୩୯୧ ୨୮, ୨୭୪
୪୫ରୁ ୫୯ ବର୍ଷ ୧, ୨୬, ୨୫୯ ୪, ୩୮୭ ୧, ୩୦, ୬୪୬
ବରିଷ୍ଠ ନାଗରିକ ୧, ୫୯,୯୩୯ ୩୨, ୭୨୭ ୧, ୯୨, ୬୬୬
ମୋଟ ୩, ୩୨, ୨୨୬ ୬୯, ୦୧୦ ୪, ୦୧, ୨୩୬

ସହର ଅପେକ୍ଷା ଗାଁରେ ଅଧିକ ନେଇଛନ୍ତି ଟିକା

କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୧ହଜାର ୨୩୬ଜଣ ଟିକା ନେଇ ସାରିଲେଣି। ସେଥିମଧ୍ୟରୁ ସହରରୁ ୧ଲକ୍ଷ ୫୩ହଜାର ୯୧୩ଜଣ ଟିକା ନେଇଥିବାବେଳେ ଗ୍ରାମାଞ୍ଚଳରୁ ୨ଲକ୍ଷ ୪୭ ହଜାର ୩୨୩ ଜଣ ଟିକା ନେଇଛନ୍ତି। କିନ୍ତୁ ଶୁକ୍ରବାରଠାରୁ କଟକରେ ଟିକାଦାନ ବନ୍ଦ ରହିଛି।

ଦ୍ବିତୀୟ ଡୋଜ୍ ଅପେକ୍ଷାରେ ଥିବା ୧୨ ହଜାର ଲୋକଙ୍କ ସମୟ ଗଡ଼ିଗଲାଣି

କୋଭିସିଲ୍ଡ’ ଟିକା ନେଇଥିବା ବ୍ୟକ୍ତି ୬ରୁ ୮ସପ୍ତାହ ଭିତରେ ୨ୟ ଡୋଜ୍‌ ଟିକା ନେବା କଥା। କିନ୍ତୁ କଟକରେ ଟିକା ନାହିଁ। ୨ୟ ଡୋଜ୍‌ ଟିକା ନେବା ପାଇଁ ପାଖାପାଖି ୧୨ ହଜାର ୧୩୬ ଜଣ ବ୍ୟକ୍ତିଙ୍କ ସମୟ ଗଡିଲାଣି। କିନ୍ତୁ ସେମାନଙ୍କୁ ଟିକା ମିଳି ପାରୁନି। ଏପଟେ ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଏଭଳି ଲୋକଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ସହ ସ୍ଥିତି ସମ୍ଭାଳିବା ହୁଏତ ସମସ୍ୟା ହେବ।

୧୦ ସପ୍ତାହ ପରେ ନେଲେ ବି ସମସ୍ୟା ନାହିଁ: ଡାକ୍ତର ଜୟନ୍ତ ପଣ୍ଡା

କୋଭିସିଲ୍ଡ’ ଟିକା ନେଇଥିବା ବ୍ୟକ୍ତି ୬ରୁ ୮ସପ୍ତାହ  ଓ ‘କୋଭାକ୍‌ସିନ୍‌’ ପାଇଁ ୪ରୁ ୬ସପ୍ତାହ ଭିତରେ ୨ୟ ଡୋଜ୍‌ ଟିକା ନେବା କଥା। କିନ୍ତୁ ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ସମୟ ଭିତରେ ଟିକା ନ ନିଅନ୍ତି ତାହେଲେ କୌଣସି ଅସୁବିଧା ହେବ ନାହିଁ।  ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ, ଟିକା ନେବାରେ ବିଳମ୍ବ ହେଲେ ବି ତାହା ଭଲ। ୧୦ ସପ୍ତାହରୁ ୧୨ ସପ୍ତାହ ପରେ ଟିକା ନେଲେ ବି କୌଣସି ଅସୁବିଧା ହେବନି। ବରଂ ଆଣ୍ଟିବଡି ଭଲଭାବରେ ତିଆରି  ହୋଇପାରିବ। ବିଭିନ୍ନ ଗବେଷଣାକୁ ଅନୁଧ୍ୟାନ କରି ସରକାର ଏହାର ଅବଧିକୁ ସମୟ ଅନୁସାରେ ବୃଦ୍ଧି କରୁଛନ୍ତି ବୋଲି ଏସ୍‌ସିବି ମେଡିସିନ୍‌ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର