ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଲେ ନେତା, ମନ୍ତ୍ରୀ

ରବୀନ୍ଦ୍ର ମଣ୍ଡପରେ ଜମିଲା ‘ନୂଆଁଖାଇ ଭେଟ୍‌ଘାଟ୍‌’

ଭୁବନେଶ୍ବର: ଢୋଲ, ନିଶାନ, ତାସା, ମହୁରି, ହାରମୋନିୟମ, ବଂଶୀ ଆଦି ପାରମ୍ପରିକ ବାଦ୍ୟର ମଧୁର ଧ୍ବନି ଭାସି ଆସୁଥିଲା ମଞ୍ଚ ଉପରୁ। ଦର୍ଶକରେ ଭର୍ତ୍ତି ହୋଇଯାଇଥିଲା ରବୀନ୍ଦ୍ର ମଣ୍ଡପ। ପାରମ୍ପରିକ ସମ୍ବଲପୁରୀ ବେଶଭୂଷାରେ ଗୀତ ଗାଇ ନାଚୁଥିଲେ କଳାକାର। ଶେଷକୁ ଏମିତି ଏକ ପରିବେଶ ସୃଷ୍ଟି ହୋଇଥିଲା ଯେ ମଞ୍ଚ ତଳେ ବସିଥିବା ନେତା, ମନ୍ତ୍ରୀ ଓ ଅଧିକାରୀ ନିଜକୁ ସମ୍ଭାଳି ପାରିନଥିଲେ। ମଞ୍ଚ ଉପରକୁ ଉଠି ଆସି କଳାକାରଙ୍କ ହାତରେ ହାତ ଛନ୍ଦି ନାଚିଥିଲେ। ଅବସର ଥିଲା, ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟ୍‌ଘାଟ୍‌’ର।

କାର୍ଯ୍ୟକ୍ରମରେ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ମା’ ସମଲେଶ୍ୱରୀଙ୍କୁ ଆରାଧନା ଓ ନୂଆଁଖାଇର ପାରମ୍ପରିକ ରୀତିନୀତି ସଂକ୍ରାନ୍ତ ଏକ ଅଡିଓ ଭିଜୁଆଲରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ କଳା, ସଂସ୍କୃତି, କ୍ରୀଡ଼ା, ସମାଜସେବା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଶ୍ଚିମ ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ‘ନୂଆଁଖାଇ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ୩୦୦ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଢ଼ି ମହିଳାଙ୍କୁ ସଶକ୍ତ କରିଥିବା ସୁମତି ସା, ଜାତୀୟ ଫୁଟ୍‌ବଲ୍‌ ଖେଳାଳି ପ୍ୟାରୀ ଖାଖା, ପ୍ରାଧ୍ୟାପିକା କୁନ୍ତିରାଣୀ ପ୍ରଧାନ, ଅଭିନେତ୍ରୀ ଆନୀଷା ଶର୍ମା, ବେଟିଖାଇ ବରିହା, ଟଙ୍କିକିଆ କ୍ଲିନିକ୍ ଡାକ୍ତର ଶଙ୍କର ରାମଚନ୍ଦାନୀ, ରଜତ ପାଣିଗ୍ରାହୀ, ଅଲେଖ ସାହୁ, ସଙ୍ଗୀତଜ୍ଞ ରମେଶ ମହାନନ୍ଦ, ସଙ୍ଗୀତଜ୍ଞ ଅଭିଜିତ୍ ମଜୁମଦାର, ଅଭିନେତା ମନୋଜ ମିଶ୍ର, କୁନା ତ୍ରିପାଠୀ, ଚିନ୍ମୟ ମିଶ୍ର ଓ ପ୍ରଦ୍ୟୁମ୍ନ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ରୁଚି ମସଲାର ପ୍ରତିଷ୍ଠାତା ଶରତ କୁମାର ସାହୁ ଓ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସର ମହିଳା ଶାଖା ଦ୍ୱାରା ଉଲ୍ଲେଖନୀୟ ଅବଦାନ ଥିବା ମହିଳାଙ୍କୁ ‘ଶକ୍ତି’ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବ୍ୟକ୍ତି ଓ କଳାକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସିନେପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ମହେନ୍ଦ୍ର ବଢ଼େଇ, ପୁରନ୍ଦର ନନ୍ଦ, ସମାଜସେବୀ ପ୍ରବୋଧ ରଥ, ସୁନୀତା ବିଶ୍ୱାଳ, ମନୋଜ ଲାଠ୍, ନିଶାନ୍ତ ଦୀକ୍ଷିତ, ପ୍ରଶାନ୍ତ ପଣ୍ଡା, ଆଶିଷ ମିଶ୍ର, ଶୁଭାଶିଷ ମିଶ୍ର, ସଞ୍ଜୟ, ସୁଜିତ୍‌ଙ୍କ ସମେତ ନୂଆଁଖାଇ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ। ଶିବାଂଶୀ ଫାଉଣ୍ଡେସନର ଆବାହକ ଇପ୍‌ସିତା, ସୁପ୍ରୀତି ଓ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଲ୍ଲବୀ ହୋତା ଓ ପ୍ରଦ୍ୟୁମ୍ନ ସାହୁ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର