ଭୁବନେଶ୍ୱର: ସୁନ୍ଦରଗଡ଼ର ଦୁଇ ମହିଳା ହକି ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଲା ନୂଆ ମୋଡ଼ | ଏହି ଘଟଣାରେ ଜାତୀୟ ମହିଳା କମିସନ ନିଜ ଆଡୁ ଝାଡ଼ଖଣ୍ଡ ପୁଲିସ ମହାନିର୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। କିଭଳି ହକି ଖେଳାଳିଙ୍କ ମୃତ୍ୟୁ ହେଲା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଝାଡ଼ଖଣ୍ଡ ରାଜ୍ୟ ବୀରୁ ଆରାନୀ ଜଙ୍ଗଲରେ ଦୁଇ ମହିଳା ହକି ଖେଳାଳିଙ୍କ ମୃତ୍ୟୁ ସନ୍ଦେହ ଘେରରେ ହୋଇଥିଲା | ଯୋଜନାବଦ୍ଧ ଭାବେ ଉଭୟଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ |
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସେଣ୍ଟମେରୀ କନ୍ଭେଣ୍ଟ ସ୍କୁଲ୍ର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ସାଲୋନୀ ସୋରେଙ୍ଗ (୧୪) ଏବଂ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛଡା ଜିପିଟୋଲିର ସୁନନ୍ଦିନୀ ବାଗେ (୧୬ ) ଅଲଗା ସ୍କୁଲରେ ପାଠ ପଡୁଥିଲେ ବି ହକି ଖେଳାଳି ଭାବେ ପରସ୍ପରକୁ ଜାଣିଥିଲେ। ଶ୍ରଦ୍ଧା ଝାଡ଼ଖଣ୍ଡ ରାଜ୍ୟ ଭୁକୁମୁଣ୍ଡା ପତ୍ରାଟୋଲିରେ ରହି ନିୟମିତ ସ୍କୁଲ୍କୁ ଯା’ ଆସ କରୁଥିଲେ। ସୁନନ୍ଦିନୀ ହମିରପୁରସ୍ଥିତ ଏକ ଘରୋଇ ମେସ୍ରେ ରହି ହକି ଖେଳ ଅଭ୍ୟାସ କରୁଥିଲେ। ଶନିବାର ଦିନ ସ୍କୁଲ୍ ଯିବାକୁ କହି ଶ୍ରଦ୍ଧା ଘରୁ ବାହାରି ଯାଇଥିଲେ।
କିନ୍ତୁ ସ୍କୁଲ୍କୁ ନ ଯାଇ ସୁନନ୍ଦିନୀ ସହିତ ସିମ୍ଡେଗା ଯାଇଥିଲେ। ତେବେ ଉଭୟ ଶ୍ରଦ୍ଧା ଓ ସୁନନ୍ଦିନୀ ନିଜେ ସିମ୍ଡେଗା ଯାଇଥିଲେ ନା ସେମାନଙ୍କୁ କିଏ ଡାକି ନେଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶବ ଝୁଲୁଥିବା ସ୍ଥାନର କିଛି ଦୃଶ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶନିବାର ରାତିରେ ଏହି ଗଛ ମୂଳ ପାଖକୁ ଏକ ଗାଡ଼ି ଆସିଥିଲା। ତେଣୁ ବାହାରେ ହତ୍ୟା କରାଯାଇ ଉଭୟଙ୍କୁ ଆଣି ଏଠାରେ ଟାଙ୍ଗି ଦିଆଯାଇଥିବା ଲୋକେ ସନ୍ଦେହ କରିଥିଲେ | ଏଥିରୁ ଉଭୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।