ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରିବିଜେ ଅବସରରେ ଓଡ଼ିଶାର ଏକମାତ୍ର ଫ୍ରି-ଟୁ-ଏୟାର ମନୋରଞ୍ଜନ ଚାନେଲ୍ ‘ମଞ୍ଜରୀ’ରେ ପ୍ରଦର୍ଶିତ ହେବ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ରସଗୋଲା’। ରଥାରୁଢ଼ ଶ୍ରୀଜିଉଙ୍କୁ ନୀଳାଦ୍ରିବିଜେ ନୀତିରେ ‘ରସଗୋଲା’ ଭୋଗ ଅର୍ପଣ କରାଯାଉଥିବା ବେଳେ ଏହି ଅବସରରେ ‘ମଞ୍ଜରୀ’ ତା’ର ଦର୍ଶକଙ୍କୁ ଉପହାର ଦେବ ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’। ଶନିବାର ମଧ୍ୟାହ୍ଣ ୨ଟା ଏବଂ ରାତି ୧୦ଟାରେ ଏହା ପ୍ରସାରିତ ହେବ।
ଆଦ୍ୟ ସତୁରି ଦଶକରେ ପୁରୀ ଉପକଣ୍ଠର ଏକ ଛୋଟିଆ ଗାଁର ଜଣେ କିଶୋରର ମର୍ମସ୍ପର୍ଶୀ କାହାଣୀ ହେଉଛି ‘ରସଗୋଲା’। ରସଗୋଲା ଖାଇବାକୁ ଭଲ ପାଉଥିବା ଅଭାବୀ ଘରର ପୁଅ 'ବାବୁନା' ଥରେ ଲାଳସା ରୋକି ନପାରି ଗୁଡ଼ିଆ ଦୋକାନରୁ ରସଗୋଲା ଚୋରି କରି ଧରାପଡ଼େ, ଆଉ ଗୁଡ଼ିଆଠାରୁ ଛାଟଖାଏ। ଏହି ଘଟଣାରେ ଖୁବ୍ ମର୍ମାହତ ହୁଏ ସେ। ତା’ପରେ ବାବୁନା ସହ ଯାହା ସବୁ ଘଟିଯାଏ ତାହା ଦେଖିବାକୁ ମିଳେ ‘ରସଗୋଲା’ରେ।
/sambad/media/post_attachments/wp-content/uploads/2020/07/rasagolla.jpg)
ଏହି ଚଳଚ୍ଚିତ୍ରର ପ୍ରଯୋଜକ, କାହାଣୀକାର ଏବଂ ସଂଳାପକାର ସ୍ୱରାଜ ମିଶ୍ର କହନ୍ତି, ଓଡ଼ିଆ ଜନଜୀବନ ସହ ରସଗୋଲା ନିବିଡ଼ ଭାବେ ଜଡ଼ିତ। ସୁଖରେ, ଦୁଃଖରେ, ହସରେ, ଲୁହରେ ସବୁଠି ଓଡ଼ିଆଙ୍କ ସାଥିଟିଏ ଭଳି ଥାଏ ରସଗୋଲା। ଜନ୍ମରୁ ମୃତ୍ୟୁ ଯାଏ, ସବୁ ଅବସରରେ ପରଷା ହୁଏ ରସଗୋଲା। ସେହି ରସଗୋଲାକୁ ନେଇ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରର କାହାଣୀ।
ଏଥିରେ ବିଭିନ୍ନ ଭୂମିକାରେ ଚୌଧୁରୀ ବିକାଶ ଦାସ, ଭାସ୍ୱତୀ ବସୁ, କୁମୁଦିନୀ, ଭିକାରୀ ସ୍ୱାଇଁ ଏବଂ ଶତୃଘ୍ନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ତେବେ କାହାଣୀର ମୁଖ୍ୟ ଚରିତ୍ରରେ ଅଛନ୍ତି ଶିଶୁ କଳାକାର ଅମୃତାଂଶୁ ବିଶୋଇ। ତାଙ୍କ ସହ ଅନ୍ୟ ଦୁଇ ଶିଶୁ କଳାକାର ଶିବ ପ୍ରସାଦ ଓ ଲାଡଲି ବି ଏଥିରେ ଅଭିନୟ କରିଛନ୍ତି । କୁମାରଶ୍ରୀ ବନୁରଣା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ୍ ଡିରେକ୍ଟର ଅଛନ୍ତି ବିରଞ୍ଚି ନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/1hhhhh.jpg)